କର୍ମଚାରୀଙ୍କୁ ଦରମା ଦେବା ପାଇଁ କେଜ୍ରିଓ୍ୱାଲ ସରକାର ପାଖରେ ଟଙ୍କା ନାହିଁ, କେନ୍ଦ୍ରକୁ ମାଗିଲେ ୫୦୦୦ କୋଟି
31/05/2020 at 2:53 PM

ନୂଆଦିଲ୍ଲୀ, ୩୧|୦୫: କରୋନା ଭାଇରସ ମହାମାରୀର ଏବେ ସାରା ବିଶ୍ୱ ମୁକାବିଲା କରୁଛି । ଏହାର ପ୍ରଭାବରେ ଦେଶର ଅର୍ଥନୀତି ମଧ୍ୟ ବିଗିଡିବାରେ ଲାଗିଛି । ଏହା ମଧ୍ୟରେ ଦିଲ୍ଲୀ ସରକାର ନିଜ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଅନେକ ସମସ୍ୟାର ସମାଧାନ କରୁଛନ୍ତି । କାରଣ ଦିଲ୍ଲୀ ସରକାରଙ୍କ ପାଖରେ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଆବଶ୍ୟକୀୟ ଅର୍ଥ ନାହିଁ । ଏହି ସଙ୍କଟର ମୁକାବିଲା ପାଇଁ ଦିଲ୍ଲୀ ସରକାର କେନ୍ଦ୍ରକୁ ୫ ହଜାର କୋଟି ତୁରନ୍ତ ସହୟତା ରାଶି ଦେବାକୁ ଦାବି କରିଛନ୍ତି ।

ଏନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ, କର୍ମଚାରୀଙ୍କ ଦରମା ଓ ଅଫିସ ଖର୍ଚ୍ଚ ବହନ କରିବାକୁ ପ୍ରତିମାସରେ ୩୫୦୦ କୋଟି ଟଙ୍କା ଆବଶ୍ୟକ । ଦିଲ୍ଲୀର ଆର୍ଥିକ ଗତିବିଧି ଉପରେ କରୋନା ଭାଇରସ ପ୍ରଭାବ ପକାଇଛି । ଗତ ୨ ମାସରେ ମାତ୍ର ୫୦୦ କୋଟି ଟଙ୍କା ଜିଏସଟି ଆକାରରେ ମିଳିଛି । ଅନ୍ୟ ଉତ୍ସକୁ ଦେଖିଲେ ମୋଟ ୧୭୩୫ କୋଟି ଟଙ୍କା ଆୟ ହୋଇଛି । ଲକଡାଉନ୍ ପାଇଁ ଟ୍ୟାକ୍ସ କଲେକ୍ସନ ୮୫ ପ୍ରତିଶତ ହ୍ରାସ ପାଇଛି । ତେଣୁ କର୍ମଚାରୀଙ୍କୁ ଦରମା ଦେବା ପାଇଁ ସଙ୍କଟ ସୃଷ୍ଟି ହୋଇଛି । ଏଥିପାଇଁ ମୋଟ ୫୦୦୦ କୋଟି ଟଙ୍କା ଆବଶ୍ୟକ । ଏଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି ।
ସେ ଆହୁରି କହିଛନ୍ତି ଯେ, ଗୋଟିଏ ପଟେ ରାଜସ୍ୱ କମିଛି ଅନ୍ୟ ପଟେ କେନ୍ଦ୍ର ସରକାର ଯେଉଁ ପ୍ୟାକେଜ ଦେଇଛନ୍ତି ସେଥିରେ ଦିଲ୍ଲୀକୁ କିଛି ମିଳିନାହିଁ । ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଦେଶରେ ଲକଡାଉନ୍ ଲାଗୁ ହୋଇଛି । ଏହି ସମୟରେ ଆବଶ୍ୟକୀୟ ସାମଗ୍ରୀକୁ ଛାଡି ଅନ୍ଯ ସମସ୍ତ ଉଦ୍ୟୋଗ ବନ୍ଦ ରହିଛି ।