ଦେଶବାସୀଙ୍କୁ ଫ୍ରିରେ କରୋନା ଭ୍ୟାକସିନ୍ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେଜ୍ରିୱାଲଙ୍କ ଅପିଲ୍

Published By : Prameya-News7 Bureau | January 09, 2021 IST

ନୂଆଦିଲ୍ଲୀ ୦୯/୦୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଏକ ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ କରି ସେ ଦେଶବାସୀଙ୍କ ଫ୍ରିରେ କରୋନା ଭ୍ୟାକସିନ ଦେବାକୁ ଅପିଲ କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରାଜ୍ୟମାନଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକରେ ଦିଲ୍ଲୀ ଦେଶର ସବୁ ରାଜ୍ୟକୁ କରୋନା ଭ୍ୟାକସିନ ଫ୍ରିରେ ଦେବାକୁ ଦାବି କରିଥିଲେ।

ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରିଛନ୍ତି ଯେ, "କରୋନା ଶତାବ୍ଦୀର ସବୁଠାରୁ ଭୟାବହ ମହାମାରୀ। ଦେଶବାସୀଙ୍କୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ। ମୁଁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଯେ ଦେଶବାସୀଙ୍କୁ କରୋନା ଭ୍ୟାକସିନ ଫ୍ରିରେ ଦିଆଯାଉ। ଏଥିରେ ହେବାକୁଥିବା ଖର୍ଚ୍ଚ ଅନେକ ଭାରତୀୟ ଜୀବନ ବଞ୍ଚାଇବାକୁ ସହାୟକ ହେବ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ। କେଜ୍ରିୱାଲ ମଧ୍ୟ ଏହି ବୈଠକରେ ସାମିଲ ହେବେ। ବୈଠକରେ ସେ ଏହି ପ୍ରସଙ୍ଗ ଉଠାଇବେ ବୋଲି ଅନୁମାନ କରାଯାଉଛି। ସୋମବାର ଅପରାହ୍ନ ୪ଟା ସମୟରେ ଏହି ବୈଠକ ବସିବ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କରୋନା ଭ୍ୟାକସିନକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଗାମୀ କିଛି ଦିନରେ ଦେଶବାସୀଙ୍କ ପାଇଁ ଭ୍ୟାକସିନ ଉପଲବ୍ଧ ହେବ। ସରକାର ନିର୍ଣ୍ଣୟ ଦେଇଛନ୍ତି ଯେ ଟୀକାକରଣ କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ। ଚେନ୍ନାଇ ହସ୍ପିଟାଲରେ ଭ୍ୟାକସିନ ଡ୍ରାଏ ରନର ତଦାରଖ ପାଇଁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ସେ କହିଥିଲେ ଭ୍ୟାକସିନ୍ ସର୍ବପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ। ଏହାପରେ ଅନ୍ୟାନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦିଆଯିବ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, "ଭାରତ ଭ୍ୟାକସିନ ତିଆରିରେ ବହୁତ ଭଲ କାମ କରିଛି। ଆଗାମୀ ଦିନରେ, ନିକଟ ଭବିଷ୍ୟତରେ ଆମେ ଦେଶବାସୀଙ୍କୁ ଭ୍ୟାକସିନ ଦେବାରେ ସକ୍ଷମ ହେବୁ। ସର୍ବପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଭ୍ୟାକସିନ ଦିଆଯିବ। ଏହାପରେ ଅନ୍ୟାନ୍ୟ ଫ୍ରଣ୍ଟଲାଇନ କର୍ମୀଙ୍କୁ ଭ୍ୟାକସିନ ଦିଆଯିବ। ଡ୍ରାଏ ରନ୍ ସମୟରେ ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଭ୍ୟାକସିନ ଦେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.