ମାନବିକତାର ପରିଚୟ ଦେଲେ ରାଜ୍ୟପାଳ : ଗର୍ଭବତୀ ମହିଳାଙ୍କୁ ନିଜ ହେଲିକେପ୍ଟରରେ ହସ୍ପିଟାଲ ନେଲେ ରାଜ୍ୟପାଳ
30/11/2018 at 1:31 PM

ଇଟାନଗର ୩୦/୧୧ : ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ବ୍ରିଗେଡିୟର ବିଡି ମିଶ୍ର ସମସ୍ତଙ୍କ ପାଇଁ ମାନବିକତାର ମିସାଲ ପରିବେଷଣ କରିଛନ୍ତି | ପ୍ରସବ ଯନ୍ତ୍ରଣାରେ ଛଟପଟ ଜଣେ ଗର୍ଭବତୀ ମହିଳାଙ୍କୁ ସେ ନିଜ ହେଲିକେପ୍ଟର ଯୋଗେ ତବାଙ୍ଗରୁ ଇଟାନଗର ନେଇ ଯାଇଥିଲେ | ଠିକ ସମୟରେ ଡାକ୍ତରୀ ସହାୟତା ଯୋଗେଇ ଦେବା ପାଇଁ ସେ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିଥିଲେ | ମହିଳାଙ୍କୁ ଯେପରି ସମସ୍ତ ପ୍ରକାର ଡାକ୍ତରୀ ସୁବିଧା ମିଳିବ ସେନେଇ ମଧ୍ୟ ରାଜ୍ୟପାଳ ଧ୍ୟାନ ଦେଇଥିଲେ | ସୂଚନାଯୋଗ୍ୟ ଯେ, ଯେତେବେଳେ ରାଜ୍ୟପାଳ ମହିଳାଙ୍କୁ ହେଲିକେପ୍ଟରରେ ବସେଇ ନେଇଯାଇଥିଲେ, ସେତେବେଳେ ମହିଳାଙ୍କ ଅବସ୍ଥା ଗୁରୁତର ଥିଲା | ବିଧବାର ଦିନ ତବାଙ୍ଗରେ ଏକ ଅଧିକାରୀ କାର୍ଯ୍ୟକ୍ରମ ଚାଲିଥିଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପେମା ଖାଁଡୁ, ରାଜ୍ୟପାଳ ଏବଂ ବିଧାୟକ ଉପସ୍ଥିତ ଥିଲେ | ଗର୍ଭବତୀ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଏମାନେ ଜାଣିପାରିଥିଲେ | ଖବର ଶୁଣି ରାଜ୍ୟପାଳ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲେ |
ସୂଚନାଯୋଗ୍ୟ ଯେ, ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କହିଥଲେ ଯେ, ଜଣେ ଗର୍ଭବତୀ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | କିନ୍ତୁ ତବାଙ୍ଗ ଏବଂ ଗୁଆହାଟୀ ମଧ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କୌଣସି ହେଲିକେପ୍ଟର ସୁବିଧା ନାହିଁ | ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବିଷୟରେ ରାଜ୍ୟପାଳ ଶୁଣି ପାରିଥିଲେ | ଘଟଣାରେ ସେ ନିଜେ ମହିଳାଙ୍କୁ ସାହାଯ୍ୟ କରିବେ ବୋଲି ପ୍ରସ୍ତାବ ଦେଇଥିଲେ | ସେ କହିଲେ ଯେ ନିଜେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ନିଜ ହେଲିକେପ୍ଟରରେ ହସ୍ପିଟାଲକୁ ନେଇଯିବେ | ତେବେ ହେଲିକେପ୍ଟରରେ ଜାଗା ନଥିବାରୁ ରାଜ୍ୟପାଳ ନିଜର ଦୁଇ କର୍ମଚାରୀଙ୍କୁ ତବାଙ୍ଗରେ ଛାଡିଦେଇଥିଲେ ଏବଂ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ନେଇଯାଇଥିଲେ |
ଏହି ପୁଣ୍ୟ କାମରେ ରାଜ୍ୟପାଳଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା | ରାଜ୍ୟପାଳଙ୍କ ହେଲିକେପ୍ଟର ଆସାମର ତେଜପୁରରେ ତେଲ ପକେଇବା ପାଇଁ ଓହ୍ଲାଇଥିଲା | ସେତେବେଳେ ପାଇଲଟ ଦେଖିବାକୁ ପାଇଥିଲେ ଯେ, ହେଲିକେପ୍ଟର କିଛି ଅସୁବିଧା ରହିଛି | ତେବେ ହେଲିକେପ୍ଟର ଆଉ ଆଗକୁ ଯାଇପାରିବନାହିଁ ବୋଲି କହିଥିଲେ ପାଇଲଟ | ମହିଳାଙ୍କ ଅବସ୍ଥା ଦେଖି ବ୍ୟତିବ୍ୟସ୍ତ ହୋଇପଡିଥିଲେ ରାଜ୍ୟପାଳ | ରାଜ୍ୟପାଳ ତେଜପୁରର ବାୟୁ ସେନାର କାମାଣ୍ଡିଙ୍ଗ ଅଫିସରଙ୍କୁ ଆଉ ଏକ ହେଲିକେପ୍ଟର ପାଇଁ କହିଥିଲେ | ସେହି ହେଲିକେପ୍ଟରରେ ସେ ସେହି ଗର୍ଭବତୀ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ହସ୍ପିଟାଲକୁ ପଠାଇଦେଇଥିଲେ ଓ ନିଜେ ଅନ୍ୟ ଏକ ହେଲିକେପ୍ଟରରେ ଯାଇଥିଲେ |