ପ୍ରଶାନ୍ତ ଭୂଷଣ ମାମଲା: ନ୍ୟାୟାଳୟ କହିଲେ ତାଙ୍କ ପ୍ରତି କୋର୍ଟ ସର୍ବଦା ନିରପେକ୍ଷ, ହେଲେ ସେ..

Published By : Prameya-News7 Bureau | August 20, 2020 IST

ନୂଆଦିଲ୍ଲୀ ୨୦।୮: ଓକିଲ ପ୍ରଶାନ୍ତ ଭୂଷଣଙ୍କ ନ୍ୟାୟାଳୟ ଅବମାନନା ମାମଲାରେ ଗୁରୁବାର କୋର୍ଟ ଶୁଣାଣି କରିଛନ୍ତି। ଅଦାଲତ ଅବମାନନା ଲାଗି ପ୍ରଶାନ୍ତ ଭୂଷଣଙ୍କ ଦଣ୍ଡଦେଶ ନେଇ ଜଷ୍ଟିସ୍ ଅଋଣ ମିଶ୍ରଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ପ୍ରଶାନ୍ତଙ୍କ ଓକିଲ ଦୁଷ୍ୟନ୍ତ ଦବେଙ୍କ ଉପସ୍ଥିତିରେ ହୋଇଥିବା ଏହି ଶୁଣାଣିରେ ଖଣ୍ଡପୀଠ ‘ଯଦି ପ୍ରଶାନ୍ତ ଭୂଷଣ ନ୍ୟାୟାଳୟ ଅବମାନନା ଲାଗି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ଏଥିଲାଗି ଦଣ୍ଡାଦେଶ କରାଯାଏ ତଥାପି ତାଙ୍କୁ ସେ ପର୍ଯ୍ୟନ୍ତ ଦଣ୍ଡିତ କରାଯିବନି ଯେଉଁ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟଙ୍କ ୧୪ ଅଗଷ୍ଟ ରାୟ ନେଇ ରିଭ୍ୟୁ ପିଟିସନ ଦାଖଲ ନ କରିଛନ୍ତି ଓ ଏହି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ଧର୍ଯ୍ୟ କରାଯାଇଛି’ ବୋଲି ଜଷ୍ଟିସ୍ ମିଶ୍ର କହିଛନ୍ତି।

ଶୁଣାଣିରେ ଜଷ୍ଟିସ୍‌ ମିଶ୍ର କୋର୍ଟ ସର୍ବଦା ପ୍ରଶାନ୍ତ ଭୂଷଣଙ୍କ ଲାଗି ନିରପେକ୍ଷ, ତେବେ କୋର୍ଟଙ୍କ ପ୍ରତି ତାଙ୍କ ଭାବନା କ’ଣ ତାହା ଜଣାନାହିଁ ବୋଲି କହିଛନ୍ତି। ଟ୍ୱିଟରରେ ନ୍ୟାୟପାଳିକାଙ୍କ ବିରୋଧରେ ଅପମାନଜନକ ପୋଷ୍ଟ ଲାଗି ସୁପ୍ରିମକୋର୍ଟ ଅଗଷ୍ଟ ୧୪ ତାରିଖରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ପରେ ପୋଷ୍ଟକୁ ଟ୍ୱିଟର ଡିଲିଟ୍  କରିଦେଇଛନ୍ତି। ଏପରି ଅପରାଧିକ ଅବମାନନା ଲାଗି ଦୋଷୀ ସାବ୍ୟସ୍ତ ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡାଦେଶ ଲାଗି ସମୀକ୍ଷା ପିଟିସନ ନିମନ୍ତେ ସୁପ୍ରିମକୋର୍ଟ ଉତ୍ସୁକ ନୁହଁନ୍ତି। ହେଲେ ଦଣ୍ଡଶୁଣାଣି ପରେ ହିଁ ମାମଲାରେ ପୂର୍ଣ୍ଣଛେଦ ପଡିବ ବୋଲି ବେଞ୍ଚ କହିଛନ୍ତି।

ଗୁରୁବାର ଶୁଣାଣି ବେଳେ ପ୍ରଶାନ୍ତ ଭୂଷଣ ମହାତ୍ମା ଗାନ୍ଧିଙ୍କ ପଙକ୍ତି ଉଦ୍ଧୃତ କରି ସେ ଟ୍ୱିଟ୍‌ ଲାଗି କ୍ଷମା ନିବେଦନ କରିବେନି ଓ ଏଥିପାଇଁ ତାଙ୍କୁ ଯାହା ଦଣ୍ଡ ମିଳିବ ମିଳୁ ବୋଲି କହିଛନ୍ତି। କୋର୍ଟ ଯାହାକୁ ଅପରାଧ କହୁଛନ୍ତି ତାକୁ ମୁଁ ମୋର ସଚ୍ଚୋଟ କର୍ତ୍ତବ୍ୟ ବୋଲି ଭାବୁଛି। ଏଣୁ କୋର୍ଟ ଯେଉଁ ଦଣ୍ଡାଦେଶ କରିବେ କରିପାରନ୍ତି ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.