ନିରବ ମୋଦିଙ୍କ ପ୍ରତ୍ୟାର୍ପଣକୁ ମିଳିଲା ବ୍ରିଟେନ କୋର୍ଟର ମଞ୍ଜୁରୀ, ମୁମ୍ବାଇ ଆର୍ଥର ରୋଡ ଜେଲ ପ୍ରସ୍ତୁତ

Published By : Prameya-News7 Bureau | February 26, 2021 IST

ମୁମ୍ବାଇ ୨୬।୨: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଋଣ ଠକେଇ ମାମଲାରେ ଭାରତର ୱାଣ୍ଟେଡ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ପାଇଁ ବ୍ରିଟିଶ କୋର୍ଟ ମଞ୍ଜୁରୀ ଦେଇଛନ୍ତି। ଏହା ସହ ମୁମ୍ବାଇର ଆର୍ଥର ରୋଡ ଜେଲର ପ୍ରସ୍ତୁତି ସମ୍ପୂର୍ଣ୍ଣ  ହୋଇସାରିଥିବା କାରାଗର କର୍ତ୍ତୃପକ୍ଷଙ୍କ ସୂଚନାରୁ ଜଣାପଡିଛି। 

କାରାଗାରର ଜନୈକ ଅଧିକାରୀଙ୍କ ସୂଚନା ଅନୁଯାୟୀ ନିରବ ମୋଦିଙ୍କୁ ଭାରତ ଅଣାଯିବା ପରେ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯିବ। କାରାଗାରର ଉଚ୍ଚ ସୁରକ୍ଷିତ ୧୨ ନମ୍ବର ବାରାକର ୩ଟି କୋଠରୀରୁ କୌଣସି ଗୋଟିକରେ ସେ ରହିପାରିବେ। ନିରବ ମୋଦି ପ୍ରତ୍ୟାର୍ପିତ ହେଲେ ଭାରତର କେଉଁ ଜେଲରେ ରହିବା ସୁବିଧାଜନକ ହେବ ସେ ନେଇ ୨୦୧୯ରେ ଭାରତ ସରକାର ରିପୋର୍ଟ ମାଗିଥିଲେ।

ସେହି ଅନୁସାରେ ମହାରାଷ୍ଟ୍ର ଜେଲ ବିଭାଗ ରିପୋର୍ଟରେ ନିରବ ମୋଦିଙ୍କୁ ରଖିବା ଲାଗି ଆର୍ଥର ରୋଡ ଜେଲ ସୁବିଧାଜନକ ହେବ ବୋଲି କହିଥିଲେ। ଏଠାରେ ନିରବ ମୋଦିଙ୍କୁ ଯେଉଁ ବାରାକରେ ରଖାଯିବ ସେଠାରେ କୈଦୀଙ୍କ ସଂଖ୍ୟା କମ୍‌ ଥିବା ସାଙ୍ଗକୁ କୋଠରୀରେ ତାଙ୍କୁ ୩ରେ ୩ ବର୍ଗମିଟରର ଖୋଲାଜାଗା ମିଳିବ ବୋଲି ସୂଚିତ କରାଯାଇଥିଲା। ସେହିପରି ଜେଲ ପକ୍ଷରୁ ତାଙ୍କୁ କଟନ ଗଦ୍ଦି, ତକିଆ, ବେଡସିଟ୍‌ ସହ ରେଜେଇ  ମଧ୍ୟ ଉପଲବ୍ଧ କରାଯାଇପାରିବ ବୋଲି ସୂଚିତ କରାଯାଇଥିଲା।

ମୁକ୍ତ ଆଲୋକ ଓ ପବନ ଚଳାଚଳ କରୁଥିବା କୋଠରୀରେ ତାଙ୍କୁ ରଖାଯିବ ଓ ତାଙ୍କ ଆବଶ୍ୟକ ସାମଗ୍ରୀ ରଖିବା ଲାଗି ଷ୍ଟୋର ମଧ୍ୟ ଉପଲବ୍ଧ କରାଯିବ। କେବଳ ନିରବ ମୋଦି ନୁହନ୍ତି ଯଦି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟାର୍ପିତ ହୋଇ ଭାରତ ଆସନ୍ତି ତାଙ୍କ ଲାଗି ମଧ୍ୟ ୧୨ ନମ୍ବର ବାରାକରେ ଏପରି ସୁବିଧା ସୁଯୋଗ ମିଳିପାରିବ ବୋଲି ମହାରାଷ୍ଟ୍ର ଜେଲ ବିଭାଗ ଭାରତ ସରକାରଙ୍କୁ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.