କୁକୁଡା ଲଢେଇ କରୁଥିବା ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲା ପୋଲିସ!
16/06/2019 at 6:11 PM

ନବରଙ୍ଗପୁର ୧୬|୬: ପୁଣି ଖାକିରେ ଦାଗ । ନବରଙ୍ଗପୁର କୋଇଡ଼ା ପୋଲିସ ବିରୋଧରେ ସଂଗୀନ ଅଭିଯୋଗ । ଜଣେ ଅଭିଯୁକ୍ତକୁ ପୋଲିସ ପିଟି ପିଟି ମାରିଦେଇଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି । କୁକୁଡ଼ା ଲଢେଇ ବେଳେ ପୋଲିସ ଦୁଇ ଜଣଙ୍କୁ ଉଠାଇ ନେଇଥିଲା। ଏହାପରେ ଜଣଙ୍କର ମୃତ୍ୟୁକୁ ନେଇ ଲୋକେ ଥାନାରେ ଭଙ୍ଗାରୁଜା କରିଛନ୍ତି।

ଥାନା ଭିତରେ ହଙ୍ଗାମା । କିଏ ବାହୁରୁ ଟେକା ପଥର ମାଡ କରୁଛି ତ କିଏ ଭିତରେ ପଶି ଭଙ୍ଗାରୁଜା କରୁଛି । ଏ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନାର । ପୋଲିସ ମାଡ଼ରେ ଜଣଙ୍କର ମୃତ୍ୟୁ ଅଭିଯୋଗ କରି ତାତିଛନ୍ତି ଲୋକେ। ବଡ଼ଫଜାରିଆଗୁଆ ଏବଂ ଏହାର ଆଖପାଖର ଗାଁ ଲୋକେ ଥାନା ଘେରାଉ କରିଛନ୍ତି। ମୃତକ ବଡ଼ପଂଜାରିଆଗୁଡା ଗାଁର ଗୋବର୍ଦ୍ଧନ ବିନ୍ଧାଣି । ପୋଲିସ ମାଡରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କୁକୁଡା ଲଢେଇ ବେଳେ ପୋଲିସ ଦୁଇଜଣଙ୍କୁ ଉଠାଇନେଇଥିଲା । ସେମାନଙ୍କ ମଧ୍ୟରୁ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କମଳୁ ହରିଜନ ଏବେ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ଥାନାରେ ପାଣି ମାଗିବାରୁ ପୋଲିସ ମାଡ ମାରି ଏପରି ଅବସ୍ଥା କରିଥିବା କମଳୁ କହିଛନ୍ତି ।

ପୋଲିସ ସୂଚନା ଅନୁଯାୟୀ କୋଡ଼ିଙ୍ଗା ଥାନା ଖୁଟିଗୁଡା ହାଟରେ ଶନିବାର ରାତିରେ ଚାଲିଥିଲା କୁକୁଡ଼ା ଲଢେ଼ଇ । ପୋଲିସ ଚଢାଉ କରି ଗୋବର୍ଦ୍ଧନ ଓ କମଳୁ ହରିଜନଙ୍କୁ ଥାନାକୁ ଆଣିଥିଲା । ଥାନାରେ ଅସୁସ୍ଥ ହୋଇପଡିବାରୁ ଗୋବର୍ଦ୍ଧନଙ୍କୁ ପ୍ରଥମେ ନବରଙ୍ଗପୁରୁ ଓ ପରେ ବିଶାଖାପାଟଣା ହସ୍ପିଟାଲକୁ ରେଫର କରାଯାଇଥିଲା । ସେଠରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଗୋବର୍ଦ୍ଧନଙ୍କୁ ପିଟି ପିଟି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମିତିକି ଘଟଣା ଚପାଇଦେବାକୁ ପୋଲିସ ମୃତଦେହକୁ ବିଶାଖାପାଟଣା ପଠାଇବା ସହ ଗୋବର୍ଦ୍ଧନଙ୍କ ପତ୍ନୀ ଏବଂପୁଅକୁ ଘରୁ କେଉଁଆଡେ ନେଇଯାଇଥିବା ଅଭିଯୋଗ ହୋଇଛି ।

କୋଇଡା ପୋଲିସ ବିରୋଧରେ ଆସିଥିବା ଏ ସଂଗୀନ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।