ରାଜ୍ୟସଭାରୁ ଇସ୍ତଫା ଦେଲେ ଟିଏମସି ସାଂସଦ ଅର୍ପିତା, ଅଶୋଭନୀୟ ଆଚରଣ ପାଇଁ ଗୃହରୁ ହୋଇଥିଲେ ସସପେଣ୍ଡ୍

Published By : Prameya-News7 Bureau | September 16, 2021 IST

କୋଲକାତା, ୧୬।୦୯ :  ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଅର୍ପିତା ଘୋଷ ଇସ୍ତଫା ପ୍ରଦାନ କରିଛନ୍ତି । ସେ ରାଜ୍ୟସଭା ଅଧ୍ୟକ୍ଷ ଭୈଙ୍କୟା ନାଇଡୁଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟସଭା ସଚିବାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଅର୍ପିତା ସେହି ସାଂସଦମାନଙ୍କ ମଧ୍ୟରୁ ଜଣେ ଯିଏ ମୌସୁମୀ ଅଧିବେଶନରେ ହଟଗୋଳ କରିବା ସହ ମାର୍ଶାଲଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହି ମାମଲାରେ ଅର୍ପିତାଙ୍କୁ ସସପେଣ୍ଡ୍ କରାଯାଇଥିଲା । ପଶ୍ଚିମବଙ୍ଗ ଉପ ନିର୍ବାଚନ ପୂର୍ବରୁ ଅର୍ପିତାଙ୍କ ଇସ୍ତଫାକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଛି ।

୨୦୧୦ରେ ଅର୍ପିତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା । ଗଣମାଧ୍ୟମରେ ଏହା ମଧ୍ୟ କୁହାଯାଉଛି ଯେ, ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ ସେ ଇସ୍ତଫା ଦେଇଛନ୍ତି । ତାଙ୍କୁ ସଙ୍ଗଠନର ଦାୟିତ୍ୱ ମିଳିପାରେ । ଆଗାମୀ ଦିନରେ ସେ ସଙ୍ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି ।

ସୂଚନାଯୋଗ୍ୟ, ଭବାନୀପୁର ଆସନରେ ସେପ୍ଟେମ୍ବର ୩୦ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଆସନରେ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରିୟଙ୍କା ଟିବରେଓ୍ୱାଲ ଲଢୁଛନ୍ତି ।ଉଭୟ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।

ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ମମତା ନନ୍ଦିଗ୍ରାମ ଆସନରୁ ହାରିଯାଇଥିଲେ । ତାଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଜିତଥିଲେ । ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ଭବାନୀପୁରରୁ ଜିତିବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.