ଏହି ଦେଶରେ ବିକଟାଳ ରୂପ ନେଲା କରୋନା ଭୂତାଣୁ, ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | May 11, 2020 IST

ମସ୍କୋ ୧୧।୦୫: ରୁଷରେ କୋଭିଡ୍-୧୯ ସଂକ୍ରମଣର ପ୍ରକୋପ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ୧୧,୬୫୬ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶର କରୋନା  ଭୂତାଣୁ ରେସପନ୍ସ ସେଣ୍ଟର ଏହି ସୂଚନା ଦେଇଛି। ଏହାକୁ ମିଶାଇ ରୁଷରେ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୨୧ ହଜାର ୩୪୪ ହୋଇଛି। ସମାଚାର ଏଜେନ୍ସି ସିନହୁଆ ଅନୁଯାୟୀ, ଗୋଟିଏ ଦିନରେ ସଂକ୍ରମିତ ସଂଖ୍ୟା ୧୦ ହଜାର ଅତିକ୍ରମ କରିବା ଗତ ନଅ ଦିନ ହେବ ଜାରି ରହିଛି।

ପେସ୍ ବିଜ୍ଞପ୍ତିରେ କୁହାଯାଇଛି, ଦେଶରେ ମୃତକ ସଂଖ୍ୟା ୨୦୦୯କୁ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ୫,୪୯୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି, ଯାହା ଏକ ରେକର୍ଡ। ଏହାକୁ ମିଶାଇ ମୋଟ୍  ୩୯,୮୦୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶର ରାଜଧାନୀ ମସ୍କୋ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୧୫ ହଜାର ୯୦୯ ହୋଇଛି। ଗତ ୨୪ ଘଣ୍ଟାରେ ୬,୧୬୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରୁଷର ଉପଭୋକ୍ତା ଓ ମାନବାଧିକାର ସଂଗଠନ ସୋମବାର କହିଛି , ରବିବାର ୨ ଲକ୍ଷ ୪୭ ହଜାର ୮୪୨ ଜଣଙ୍କୁ ନଜରରେ ରଖାଯାଇଛି। ସମଗ୍ର ଦେଶରେ ଏବେ ସୁଦ୍ଧା ୫୦ ଲକ୍ଷ ୬ ହଜାର ଲୋକଙ୍କ ଯାଞ୍ଚ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.