ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ, କେବଳ ଲକ୍ଡାଉନ୍ ୪.୦ରେ ସାମ୍ନାକୁ ଆସିଲା ୮୬୦୦୦ କେସ୍
31/05/2020 at 7:38 PM

ନୂଆଦିଲ୍ଲୀ ୩୧।୦୫: ସବୁ ପ୍ରକାରର ପଦକ୍ଷେପ ପରେ ବି ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ମେ ୧୮ରେ ଲାଗୁ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ସମୟରେ ରବିବାର ସକାଳ ୮ଟା ସୁଦ୍ଧା ସଂକ୍ରମଣର ୮୫,୯୭୪ ମାମଲା ସାମ୍ନାକୁ ଆସିଛି। ଏହା ଦେଶରେ ମୋଟ୍ ସଂକ୍ରମଣର ଅଧା ହେବ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ମେ ୩୧ ମଧ୍ୟ ରାତ୍ରରେ ଶେଷ ହେଉଥିବା ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ସମୟରେ ଦେଶରେ କରୋନା ସଂକ୍ରମଣର ମୋଟ୍ କେସ୍ର ୪୭.୨୦ ପ୍ରତିଶତ ସାମ୍ନାକୁ ଆସିଛି।
ଦେଶରେ ସର୍ବ ପ୍ରଥମେ ମାର୍ଚ୍ଚ ୨୫ରେ ଲକ୍ଡାଉନ୍ ଲାଗୁ ହୋଇଥିଲା। ଏହାର ଅବଧି ୨୧ ଦିନ ଥିଲା। ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ରେ ୧୦,୮୭୭ କେସ୍ ସାମ୍ନାକୁ ଆସିଥିଲା। ଦ୍ଵିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଏପ୍ରିଲ ୧୫ ରୁ ୧୯ ଦିନ ପର୍ଯ୍ୟନ୍ତ ରହିଥିଲା। ଏହି ସମୟରେ ୩୧, ୦୯୪ ସଂକ୍ରମିତ ଚିହ୍ନଟ ହୋଇଥିଲେ। ୧୪ ଦିନିଆ ତୃତୀୟ ପର୍ଯ୍ୟାୟର ଲକ୍ଡାଉନ୍ ମେ ୧୭ରେ ସମାପ୍ତ ହୋଇଥିଲା ଏବଂ ମେ ୧୮ ତାରିଖ ସକାଳ ୮ଟା ସୁଦ୍ଧା ୫୩, ୬୩୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ହେଲେ ମେ ୧୮ ରୁ ମେ ୩୧ ଯାଏ ଲାଗୁ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ରେ ୮୫,୯୭୪ ମାମଲା ସାମ୍ନାକୁ ଆସିଛି।
ଉଲ୍ଲେଖନୀୟ ଦେଶରେ ମାର୍ଚ୍ଚ ୨୪ ସୁଦ୍ଧା କୋଭିଡ୍-୧୯ର ୫୧୨ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଭାରତ ଏହି ବିଶ୍ଵ ମହାମାରୀରେ ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ନବମ ସ୍ଥାନରେ ରହିଛି। ଦେଶରେ କରୋନା ସଂକ୍ରମଣର ପ୍ରଥମ ମାମଲା ଜାନୁଆରୀ ୩୦ରେ କେରଳରୁ ଚିହ୍ନଟ ହୋଇଥିଲା। ଉହାନ ବିଶ୍ଵ ବିଦ୍ୟାଳୟରୁ ଭାରତ ଫେରିଥିବା ମେଡିକାଲର ଜଣେ ଛାତ୍ର ସଂକ୍ରମିତ ହୋଇଥିଲେ।
ଭାରତରେ ରବିବାର ଗୋଟିଏ ଦିନ ହିସାବରେ ସବୁଠୁ ଅଧକ ୮,୩୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୧, ୮୨, ୧୪୩ରେ ପହଞ୍ଚିଛି। କରୋନା ଜନିତ ମୃତ୍ୟୁସଂଖ୍ୟା ୫୧୬୪ ହୋଇଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ସଂପ୍ରତି ୮୯,୯୯୫ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୮୬,୯୮୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୭.୭୫ ପ୍ରତିଶତ ରୋଗୀ ସୁସ୍ଥ ହୋଇ ସାରିଛନ୍ତି।