ମ୍ୟାଚ୍‌ରେ ହେଲା ୧୩୦୦ ରନ, ତଥାପି ରେଫରୀ ନିଜ ଦେଶର ପିଚ୍‌କୁ କହିଲେ ଖରାପ, ମିଳିଲା ଡିମେରିଟ୍ ପଏଣ୍ଟ

Published By : Prameya-News7 Bureau | April 28, 2021 IST

କଲୋମ୍ବୋ ୨୮।୦୪: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି)ର ସବୁଠୁ ଅନୁଭବୀ ମ୍ୟାଚ୍ ରେଫରୀ ରଞ୍ଜନ ମୋଦୁଗଲେ କାଣ୍ଡିର ପାଲେକଲ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମର ପିଚ୍‌କୁ ଖରାପ ରେଟିଂ ଦେଇଛନ୍ତି। ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ନିକଟରେ ସଂପନ୍ନ ଟେଷ୍ଟ ମ୍ୟାଚ୍‌ରେ ପାଖାପାଖି ୧୩୦୦ ରନ ହୋଇଥିଲା। କିନ୍ତୁ ମ୍ୟାଚ୍‌ ରେଫରୀ ନିଜ ଦେଶର ଏହି ଗ୍ରାଉଣ୍ଡକୁ ଖରାପ ରେଟିଂ ଦେବାରୁ ଷ୍ଟାଡିୟମକୁ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି।

ବାଂଲାଦେଶ ୭ ଓ୍ଵିକେଟ୍‌ରେ ୫୪୧ ରନ କରିବା ପରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ପୁଣି ଦ୍ଵିତୀୟ ଇନିଂସରେ ୨ ଓ୍ଵିକେଟ୍‌ରେ ୧୦୦ ରନ କରିଥିଲା। ଶ୍ରୀଲଙ୍କାକୁ କେବଳ ଥରୁଟିଏ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। ଆୟୋଜକ ଦଳ ପ୍ରଥମ ଇନିଂସରେ ୮ ଓ୍ଵିକେଟ୍‌ରେ ୬୪୮ ରନରେ ପାଳି ଘୋଷଣା କରିଥିଲା। ଅଧିନାୟକ ଦିମୁଥ କରୁଣାରତ୍ନେ କ୍ୟାରିୟରର ସର୍ବଶ୍ରେଷ୍ଠ ଦ୍ଵିଶତକୀୟ ଇନିଂସ ଖେଳିଥିଲେ।

ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ମ୍ୟାଚ୍ ରେଫରୀ ରଞ୍ଜନ ମଦୁଗଲେ କହିଛନ୍ତି, ପାଞ୍ଚ ଦିନର ଖେଳ ସମୟରେ ପିଚ୍‌ର ପ୍ରକୃତିରେ କୌଣସି ପରିବର୍ତ୍ତନ ଆସିନଥିଲା। ଖେଳ ବଢିବା ସହ ବଲ୍ ଏବଂ ବ୍ୟାଟ୍ ମଧ୍ୟରେ ସନ୍ତୁଳନ ବଦଳିନଥିଲା।

ସେ କହିଛନ୍ତି, ପିଚ୍  ପୂରା ମ୍ୟାଚ୍‌ରେ ବ୍ୟାଟିଂ ପାଇଁ ଅନୁକୂଳ ରହିଥିଲା। କେବଳ ୧୭ଟି ଓ୍ଵିକେଟ୍ ବିନିମୟରେ ୧୨୮୯ ରନ ହୋଇଥିଲା। ଏଥିପାଇଁ ଆଇସିସିର ଗାଇଡ୍‌ଲାଇନ୍‌ ଅନୁସାରେ ପିଚ୍‌କୁ ହାରାହାରିଠୁ କମ୍ ରେଟିଂ ଦେଉଛି ବୋଲି ମଦୁଗଲେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.