ଟିଆରପି ଡାଟା ଏପଟ ସେପଟ ପାଇଁ ଅର୍ଣ୍ଣବ ମୋତେ ଦେଇଛନ୍ତି ୫୦ ଲକ୍ଷ ଟଙ୍କା: ବାର୍କର ପୂର୍ବତନ ସିଇଓଙ୍କ ସାଂଘାତିକ ବୟାନ

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ ୨୫/୦୧: ରିପବ୍ଲିକ୍‌ ଟିଭିର ମୁଖ୍ୟ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଟିଆରପି ହେରଫେର ମାମଲାରେ ଛନ୍ଦି ହୋଇଥିବା ଅର୍ଣ୍ଣବଙ୍କ ବିରୋଧରେ ପୁଣି ଏକ ସଂଗୀନ ଅଭିଯୋଗ ଆସିଛି। ପୂର୍ବତନ ବାର୍କ(BARC) ଇଣ୍ଡିଆ ସିଇଓ ପାର୍ଥ ଦାସଗୁପ୍ତା ମୁମ୍ବାଇ ପୋଲିସକୁ ଦେଇଥିବା ଲିଖିତ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଲିଖିତ ବୟାନରେ ପାର୍ଥ ଦାସଗୁପ୍ତାର କହିଛନ୍ତି ଅର୍ଣ୍ଣବ ତାଙ୍କୁ ୧୨ ହଜାର ଡଲାର ଦେଇଛନ୍ତି। ତାଙ୍କ ୩ ବର୍ଷ କାର୍ଯ୍ୟକାଳରେ ଅର୍ଣ୍ଣବ ମୋଟ ୪୦ ଲକ୍ଷ ଟଙ୍କା ଦେଇଥିବା ଲେଖିଛନ୍ତି ପାର୍ଥ।

ଏହି ଟଙ୍କା ରପବ୍ଲିକ୍‌ ଟିଭିର ଟିଆରପି ହେରଫେର କରିବାକୁ ମିଳିଥିବା ସେ ଉଲ୍ଲେଖ କରିଛନ୍ତି। ଟିଆରପି ହେରଫେର ନେଇ ଏହି ସୂଚନା ସପ୍ଲିମେଣ୍ଟାରି ଚାର୍ଜସିଟ୍‌ରୁ ମିଳିଛି ଯାହାକି ଟିଆରପି ଘୋଟାଲା ମାମଲାରେ ମୁମ୍ବାଇ ପୋଲିସ ଦ୍ବାରା ଦାଏର କରାଯାଇଥିଲା। ୩୬୦୦ ପୃଷ୍ଠାର ସପ୍ଲିମେଣ୍ଟାରି ଚାର୍ଜସିଟ୍‌ ମୁମ୍ବାଇ ପୋଲିସ ଦ୍ବାରା ୧୧ ଜାନୁଆରୀରେ ଦାଏର କରାଯାଇଥିଲା। ଯେଉଁଥିରେ ବାର୍କ ଫୋରେନ୍ସିକ୍‌ ଅଡିଟ୍‌ ରିପୋର୍ଟ ମଧ୍ୟ ସାମିଲ ରହିଛି। ଏହା ସହ ଦାସଗୁପ୍ତା ଓ ଅର୍ଣ୍ଣବଙ୍କ ମଧ୍ୟରେ ହୋଇଥିବା ହ୍ବାଟସ୍‌ ଆପ୍ ଚାଟ୍‌ ସହ ବାର୍କର ପୂର୍ବତନ କର୍ମଚାରୀ ଓ ଅନ୍ୟ ୫୯ ଲୋକଙ୍କ ବୟାନ ସାମିଲ ଅଛି।

ଅଡିଟ୍‌ ରିପୋର୍ଟରେ ଅନେକ ଚ୍ୟାନେଲ ରପବ୍ଲିକ୍‌ ଟିଭି, ଟାଇମ୍ସ ନାଓ ଓ ଆଜତକ୍‌ ପାଇଁ ବାର୍କର ବରିଷ୍ଠ ଅଧିକାରୀ ଟିଆରପିରେ ହେରଫେର କରିବା ସହ ରେଟିଂର ଫିକ୍ସିଂ ତଥ୍ୟ ବି ରହିଛି। ପାର୍ଥ ଦାସଗୁପ୍ତା, ରୋମିଲ ରାମଗଢ଼ିଆ, ବିକାଶ ଖନଚନ୍ଦାନୀଙ୍କ ବିରୋଧରେ ସପ୍ଲିମେଣ୍ଟାରି ଚାର୍ଜସିଟ୍‌ ଦାଏର କରାଯାଇଥିଲା। ସର୍ବ ପ୍ରଥମେ ୧୨ ଜଣଙ୍କ ନାଁରେ ମାମଲା ଦାଏର ହୋଇଥିଲା। ଦ୍ବିତୀୟ ଚାର୍ଜସିଟ୍‌ ଆଧାରରେ କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ ୯ ଡିସେମ୍ବରରେ ଦାସଗୁପ୍ତାଙ୍କ ବୟାନ ରେକର୍ଡ କରିଥିଲା।

ଦାସଗୁପ୍ତାଙ୍କ ବୟାନ ଅନୁସାରେ, ‘ମୁଁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ୨୦୦୪ରୁ ଜାଣିଛି। ଆମେ ଟାଇମ୍ସ ନାଓରେ ଏକାଠି କାର୍ଯ୍ୟ କରୁଥିଲୁ। ମୁଁ ବାର୍କ ସିଇଓ ଭାବେ ୨୦୧୩ରେ ଯୋଗ ଦେଲି। ଅର୍ଣ୍ଣବ ଗୋସ୍ବାମୀ ୨୦୧୭ରେ ରିପବ୍ଲିକ୍‌ ଟିଭି ଲଞ୍ଚ କରିଥିଲେ। ରିପବ୍ଲିକ୍‌ ଲଞ୍ଚ କରିବା ପୂର୍ବରୁ ଅର୍ଣ୍ଣବ ଏନେଇ ମୋ ସହ ଆଲୋଚନା କରିବା ସହ ଟିଆରପି ରେଟିଂ ପାଇଁ ସାହାଯ୍ୟ କରିବାକୁ କହିଥିଲେ। ଗୋସ୍ବାମୀଙ୍କୁ ଜଣାଥିଲା ଯେ ମୁଁ ଜାଣିଛି ଟିଆରପି ସିଷ୍ଟମ କେମିତି କାର୍ଯ୍ୟ କରୁଛି।’

ଏହା ସହ ସେ ଆହୁରି କହିଛନ୍ତି, ‘ମୁ ମୋ ଟିମ୍‌ ସହ କାମ କରୁଥିଲି ଏବଂ ଟିଆରପିରେ ହେରଫେର କରୁଥିଲି। ଯେମିତି ରପବ୍ଲିକ୍‌ ଟିଭିକୁ ନମ୍ବର ଏକ ରେଟିଂ ମିଳିପାରିବ। ଏମିତି ୨୦୧୭ରୁ ୨୦୧୯ ଯାଏ ଚାଲିଥିଲା। ୨୦୧୭ରେ ଅର୍ଣ୍ଣବ ମୋତେ ପାଖାପାଖି ୬୦୦୦ ହଜାର ଡଲାର ଦେଇଥିଲେ। ୨୦୧୯ରେ ବି ପ୍ରାୟ ଏତିକି ଟଙ୍କା ଦେଇଥିଲେ। ୨୦୧୭ରେ ଅର୍ଣ୍ଣବ ମୋତେ ସାକ୍ଷାତ କରି ନଗଦ ୨୦ ଲକ୍ଷ ଟଙ୍କା ଦେଇଥିଲେ। ୨୦୧୮ ଓ ୨୦୧୯ରେ ସେ ପୁଣି ୨୦ ଲକ୍ଷ ଟଙ୍କା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.