ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଆବେଦନ ବମ୍ବେ ହାଇକୋର୍ଟରେ ଅଗ୍ରାହ୍ୟ

Published By : Prameya-News7 Bureau | November 09, 2020 IST

ମୁମ୍ବାଇ ୯।୧୧: ରିପବ୍ଲିକ୍ ଟିଭି ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ନିବେଦନକୁ ବମ୍ବେ ହାଇକୋର୍ଟ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି। ତେବେ କୋର୍ଟ ଜାମିନ ଲାଗି ତାଙ୍କୁ ନିମ୍ନ ଅଦାତଲରେ ଆବେଦନ କରିପାରନ୍ତି ବୋଲି ପରାମର୍ଶ ଦେଇଥିବା ଜଣାପଡିଛି। ଅଲିବାଗ୍ ସେସନକୋର୍ଟରେ ଟେଲିଭିଜନ ଉପସ୍ଥାପକଙ୍କ ଜାମିନ ପିଟିସନ ଦାଖଲର ମାତ୍ର କିଛି ଘଣ୍ଟା ବିଳମ୍ବରେ ହାଇକୋର୍ଟଙ୍କ ନିଷ୍ପତ୍ତି ଜଣାପଡିଛି।

ପୋଲିସ ଗତ ସପ୍ତାହରେ ଅର୍ଣ୍ଣବଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ୫୨ ବର୍ଷ ବୟସ୍କ ଆର୍କିଟେକ୍ଟ ଅନ୍ୱୟ ନାଇକ୍ ଓ ତାଙ୍କ ମାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଅର୍ଣ୍ଣବ ଓ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଅନ୍ତରୀଣ ଜାମିନ ନିବେଦନ ଉପରେ ହାଇକୋର୍ଟ ଶନିବାର ଶୁଣାଣି କରିବା ପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ଓ ଅର୍ଣ୍ଣବ ଯଦି ଚାହାନ୍ତି ୪ ଦିନ ମଧ୍ୟରେ ନିମ୍ନ ଅଦାଲତରେ ଜାମିନ ନିବେଦନ କରିପାରନ୍ତି ବୋଲି କହିଥିଲେ।

ପୋଲିସ ଦ୍ୱାରା ଗିରଫ ହେବା ପରେ ଅର୍ଣ୍ଣବ ୧୪ ଦିନିଆ ବିଚାର ବିଭଗୀୟ ହାଜତ କ୍ୱାରେଣ୍ଟାଇନ ସେଣ୍ଟରରେ ଅବସ୍ଥାନ କରୁଥିଲେ। ତେବେ ସେ ବିଚାରବିଭାଗୀୟ ହାଜତରେ ଥାଇ ମୋବାଇଲ ଫୋନରୁ ସୋସିଆଲ ନେଟୱାର୍କ ଆକ୍ସେସ୍‌ କରୁଥିବା ଜଣାପଡିବାରୁ ରବିବାର ତାଙ୍କୁ ତଲୋଜା ଜେଲକୁ ସ୍ଥାନାନ୍ତରଣ କରାଯାଇଛି। ରବିବାର ଜେଲ ସ୍ଥାନାନ୍ତରଣ ବେଳେ ଅର୍ଣ୍ଣବ ଜେଲ ଭ୍ୟାନରୁ ଜୋରଜୋରରେ ଚିଲ୍ଲାଇ ତାଙ୍କ ଜୀବନପ୍ରତି ବିପଦ ଥିବା ଓ ତାଙ୍କୁ ତୁରନ୍ତ ସୁପ୍ରିମକୋର୍ଟରୁ ଜାମିନ କରାଇବାକୁ କହୁଥିଲେ। ଅର୍ଣ୍ଣବଙ୍କ ଗିରଫ ପରଠାରୁ ତାଙ୍କ ରିପବ୍ଲିକ୍‌ ଟିଭିର ସାମ୍ବାଦିକମାନେ ତାଙ୍କ ପିଛା ଲାଗି ରହିଛନ୍ତି। ରବିବାର ଜେଲ ସ୍ଥାନାନ୍ତରଣ କାଳରେ ମଧ୍ୟ ସେମାନେ ଜେଲ ଭ୍ୟାନର ପିଛା କରୁଥିବାର ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.