ଜେଲ୍‌ରେ ରହିବେ ରିପବ୍ଲିକ ଟିଭିର ସଂପାଦକ ଅର୍ଣ୍ଣବ ଗୋସ୍ଵାମୀ, ଜାମିନ ଖାରଜ କଲେ ହାଇକୋର୍ଟ

Published By : Prameya-News7 Bureau | November 05, 2020 IST

ମୁମ୍ବାଇ ୦୫।୧୧: ଇଣ୍ଟିରିୟର ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ଗିରଫ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ବମ୍ବେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରି ଏହି ମାମଲାରେ ସମସ୍ତ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି। ଅଦାଲତ କହିଛନ୍ତି ସରକାର ଏବଂ ଅଭିଯୋଗକାରୀଙ୍କ ପକ୍ଷ ଶୁଣିବା ପରେ ଅର୍ଣ୍ଣବଙ୍କ ଜାମିନ ଉପରେ ନିଷ୍ପତ୍ତି ନିଆଯିବ।

ଅଲିବାଗର ଏକ ଅଦାଲତ ଅର୍ଣ୍ଣବଙ୍କୁ ନଭେମ୍ବର ୧୮ ପର୍ଯ୍ୟନ୍ତ  ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ବିଳମ୍ବିତ ରାତ୍ରିରେ ଅଦାଲତଙ୍କ ଆଦେଶ ପରେ ଜାମିନ ପାଇଁ ଅର୍ଣ୍ଣବ ଗୋସ୍ଵାମୀ ବମ୍ଵେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ସମସ୍ତ ପକ୍ଷଙ୍କ ତର୍କ ଶୁଣିବା ପରେ ହିଁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ନିଜର ପକ୍ଷ ରଖିବାକୁ ଅଦାଲତ ସରକାର ଏବଂ ଅଭିଯୋଗକାରୀ ସମେତ ସମସ୍ତ ପକ୍ଷଙ୍କୁ ଶୁକ୍ରବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

ଏହା ପୂର୍ବରୁ ରାୟଗଢ ପୁଲିସର ଏକ ଦଳ ଅର୍ଣ୍ଣବଙ୍କୁ ବୁଧବାର ସକାଳେ ମୁମ୍ବାଇ ସ୍ଥିତ ନିଜ ବାସଭବନରୁ ଉଠାଇ ନେଇଥିଲା। ଗିରଫଦାରୀ ସମୟରେ ପୁଲିସ ତାଙ୍କୁ ମାଡ ମାରିଥିବା ଅର୍ଣ୍ଣବ  ଅଭିଯୋଗ କରିଥିଲେ। ଜଣେ ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଆଇପିସିର ଧାରା ୩୦୬(ଆତ୍ମହତ୍ୟା ପାଇଁ ଉସୁକାଇବା) ଏବଂ ୩୪ ଆଧାରରେ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଗିରଫ କରାଯାଇଛି।

କଣ ଥିଲା ପୂରା ମାମଲା

ଅର୍ଣ୍ଣବଙ୍କ ଗିରଫଦାରୀ ସମ୍ବନ୍ଧିତ ଏହି ମାମଲା ୨୦୧୮ର। ପୁଲିସ ଅନୁଯାୟୀ ରିପବ୍ଲିକ ଟିଭିର ଷ୍ଟୁଡିଓ ପ୍ରସ୍ତୁତ କରିଥିବା କମ୍ପାନୀ କନକର୍ଡ ଡିଜାଇନ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳକ ପ୍ରବନ୍ଧକ ଅନ୍ଵୟ ନାଇକ ଏବଂ ତାଙ୍କ ମା ୨୦୧୮ରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଅନ୍ଵୟ ଏକ ଚିଠି ଲେଖିଥିଲେ। ଏହି ସୁଇସାଇଡ୍‌ ନୋଟ୍‌ରେ ସେ କହିଛନ୍ତି, ରିପବ୍ଲିକ ଟିଭିର  ୮୩ ଲକ୍ଷ ଟଙ୍କା ସହିତ ଅନ୍ୟ ଦୁଇ କମ୍ପାନୀ ଆଇକାଷ୍ଟଏକ୍ସ/ସ୍କାଇ ମିଡିଆ ଓ ସ୍ମାର୍ଟଓ୍ଵକ୍ସ ନିକଟରେ ମୋଟ୍‌ ୫.୪୦ କୋଟି ଟଙ୍କାର ବକେୟା ରହିଛି। ଏହି ବକେୟା କାରଣରୁ ତାଙ୍କର ଆର୍ଥିକ ସ୍ଥିତି ଦୟନୀୟ ହୋଇ ପଡିଛି ଏବଂ ତାଙ୍କ ପାଖରେ ଆତ୍ମହତ୍ୟା ବ୍ୟତୀତ ଆଉ କୌଣସି ଚାରା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.