Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ୨ ଝିଅ ସହ ଯବାନଙ୍କ ପତ୍ନୀ ନିଖୋଜ

25/04/2019 at 11:59 AM

କାନପୁର ୨୫/୪ : ଉତ୍ତର ପ୍ରଦେଶ କାନପୁର ଅନ୍ତର୍ଗତ ଚକେରୀରେ ରହୁଥିବା ଜଣେ ଯବାନଙ୍କ ପତ୍ନୀ ୨ ଝିଅ ସହ ସନ୍ଦିଗ୍ଧ ଅବସ୍ଥାରେ ନିଖୋଜ ହୋଇଯାଇଛନ୍ତି | ଯବାନଙ୍କ ଭାଇ ବୁଧବାର ଦିନ ମା’ ଏବଂ ୨ ଝିଅଙ୍କ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଛନ୍ତି | ପୋଲିସ ମହିଳାଙ୍କ ମୋବାଇଲ ନମ୍ବରର ସିଡ଼ିଆର ଜରିଆରେ ଯାଞ୍ଚ ଆରମ୍ଭ କରିଛି |


ଫତେହପୁର ଥାନା ଅନ୍ତର୍ଗତ ବାଟୁଆପୁର ବାସିନ୍ଦା ଶ୍ୟାମ କୁମାର ପାଲ ସେନାରେ କାର୍ଯ୍ୟରତ | ବର୍ତ୍ତମାନ ସେ ଯୈସଲମେରରେ ନିୟୋଜିତ ଅଛନ୍ତି | ଘରେ ତାଙ୍କ ପତ୍ନୀ ଶୋଭା ଏବଂ ୨ ଝିଅ ସୌମ୍ୟା (୧୧) ଏବଂ କାମ୍ୟା (୮) ରୁହନ୍ତି | ୨ ଝିଅଙ୍କ ପାଠପଢା ଯୋଗୁଁ ପୁରା ପରିବାର ଫତେହପୁରରୁ ଚକେରୀକୁ ସ୍ଥାନାନ୍ତର ହୋଇଥିଲେ | ଚକେରୀ ଛକରେ ମା ୨ ଝିଅଙ୍କୁ ଧରି ଏକ ଭଡା ଘରେ ରହୁଥିଲେ | ୨ ଝିଅ ପାଖରେ ଥିବା ଏକ ସ୍କୁଲରେ ପଢୁଥିଲେ | ଶୋଭା ଏପ୍ରିଲ ୧୯ ତାରିଖ ଦିନ ୩ଟା ବେଳେ ନିଜ ମାଉସୀ ଝିଅ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ୨ ଝିଅଙ୍କୁ ନେଇ ଘରୁ ବାହାରିଥିଲେ |


ସୋମବାର ଦିନ ଯବାନ ଶ୍ୟାମ କୁମାରଙ୍କୁ ସ୍କୁଲରୁ ଫୋନ ଆସିଥିଲା | ତାଙ୍କ ୨ ଝିଅ ସ୍କୁଲ କାହିଁକି ଆସୁନାହାନ୍ତି ବୋଲି ଶ୍ୟାମ କୁମାରଙ୍କୁ ସ୍କୁଲରୁ ଫୋନ ଯାଇଥିଲା | ଏକଥା ଶୁଣି ଶ୍ୟାମ କୁମାର ଶୋଭାଙ୍କୁ ଫୋନ କରିଥିଲେ କିନ୍ତୁ ଶୋଭାଙ୍କ ମୋବାଇଲ ବନ୍ଦ ଥିଲା | ଶୋଭାଙ୍କ ଫୋନ ସେ ବହୁତ ଥର ଲଗାଇବାକୁ ଚେଷ୍ଟା କରିଥିଲେ | କିନ୍ତୁ ତାଙ୍କ ଫୋନ ଲାଗିନଥିଲା | ଶୋଭାଙ୍କୁ ସମ୍ପର୍କ କରି ନପାରିବାରୁ ସେ ଚିନ୍ତିତ ହୋଇ ଫତେହପୁରରେ ରହୁଥିବା ନିଜ ବଡ ଭାଇଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ | ତାଙ୍କ ବଡ ଭାଇ ଦୀନେଶ ପଚରାଉଚୁରା କରିବାରୁ ଜଣାପଡିଥିଲା ଯେ, ସେ ଯେଉଁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ସେଠାରେ ସେ ପହଂଚିନଥିଲେ | ଏହାପରେ ସେ କାନପୁର ଆସିଥିଲେ ଏବଂ ଚକେରୀ ଥାନାରେ ଏତଲା ଦେଇଥିଲେ | ପୋଲିସ ୩ ଜଣଙ୍କୁ ଖୋଜାଖୋଜି କରୁଛି | ଖୁବ ଶୀଘ୍ର ସମସ୍ତଙ୍କ ପତା ଲଗାଯିବ ବୋଲି ପୋଲିସ ଅଧିକାରୀ ରଣଜିତ ରାୟ କହିଛନ୍ତି |

   Related Posts