LOCରେ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍ ଉଡାଇ ଦେଲେ ଭାରତୀୟ ସେନା: ୭ ଘଣ୍ଟା ଘମାଘୋଟ୍ ଗୁଳି ବିନିମୟ
10/04/2020 at 9:10 PM

ନୂଆଦିଲ୍ଲୀ ୧୦।୦୪: ସଂପ୍ରତି ପୂରା ଦୁନିଆ କରୋନା ଭାଇରସ୍ର ମୁକାବିଲା କରୁଥିବା ଅନ୍ୟପଟେ ପାକିସ୍ତାନ ନିଜର ହୀନ କାର୍ଯ୍ୟରୁ ନିବୃତ୍ତ ହେଉ ନାହିଁ। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ କୁପଓ୍ଵାଡାର କେରନ ସେକ୍ଟରରେ ଶୁକ୍ରବାର ଭାରତୀୟ ସୁରକ୍ଷା କର୍ମୀ ଉପରେ ଗୁଳି ମାଡ କରିଛି ପାକିସ୍ତାନ। ଏହାର ମୁହଁତୋଡ ଜବାବ ଦେଇ ଭାରତୀୟ ଯବାନ ଆତଙ୍କୀ ଲଞ୍ଚ ପ୍ୟାଡକୁ ଉଡାଇବା ସହ ଗୋଳା ବାରୁଦ ରଖୁଥିବା ଜାଗାକୁ ଲକ୍ଷ୍ୟଭେଦ କରି ସଠିକ୍ ହମଲା କରିଛନ୍ତି। ସୂତ୍ର ଅନୁଯାୟୀ ଏଥିରେ ଶତ୍ରୁ ପକ୍ଷର ବିପୁଳ ପରିମାଣ କ୍ଷୟକ୍ଷତି ଘଟିଛି।
ଆର୍ମି ସୂତ୍ର ଅନୁଯାୟୀ ଶୁକ୍ରବାର ସକାଳ ପ୍ରାୟ ୧୧ଟାରେ ପାକିସ୍ତାନ କୁପଓ୍ଵାଡାର କେରନ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ଏହାର ପ୍ରତି ଜବାବ ଭାରତୀୟ ସେନା ଦେଇଥିଲେ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ୭ ଘଣ୍ଟା ଧରି ଘମାଘୋଟ୍ ଗୁଳି ବିନିମୟ ଜାରି ରହିଥିଲା। ଭାରତୀୟ ସେନା ମୁତାବକ, ଯବାନ ନିୟନ୍ତ୍ରଣ ରେଖା ଅପର ପାର୍ଶ୍ଵରେ ନିର୍ମିତ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍ ଟାର୍ଗେଟ୍ କରି ଉଡାଇ ଦେଇଛନ୍ତି। ଏହା ସହିତ ଆତଙ୍କବାଦୀ ରଖୁଥିବା ଗୋଳା-ବାରୁଦ ସ୍ଥାନକୁ ମଧ୍ୟ ନିଶାଣ କରି ଧ୍ଵଂସ କରାଯାଇଛି।
ଉଭୟ ପକ୍ଷରେ ହୋଇଥିବା ଭୀଷଣ ଗୁଳି ବିନିମୟ ପରେ ସୀମାବର୍ତ୍ତୀ ଅଞ୍ଚଳର ୫ଟି ସ୍ଥାନରେ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଜୈନକ ଅଧିକାରୀ କହିଛନ୍ତି ଆମର ଯବାନ ଶତ୍ରୁ ପକ୍ଷକୁ ପ୍ରଭାବଶାଳୀ ଓ ମୁହଁତୋଡ ଜବାବ ଦେଇଛନ୍ତି। ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଓ ଗୋଳା ବାରୁଦ ରଖୁଥିବା ସ୍ଥାନକୁ ସଠିକ୍ ଲକ୍ଷ୍ୟଭେଦ୍ କରାଯାଇଛି। ଏଥିରେ ଶତ୍ରୁ ପକ୍ଷର ବିପୁଳ ପରିମାଣରେ କ୍ଷତି ଘଟିଛି। ଏହି ସମୟରେ ଭାରତୀୟ ସେନାର କୌଣସି କ୍ଷୟକ୍ଷତି ଘଟିନାହିଁ।
ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଭାରତୀୟ ସେନା ୧୦୫ ଏମଏମ ଫିଲ୍ଡ ଗନ ଓ ୧୫୫ ଏମଏମ ବୋଫର୍ସ ତୋପର ମଧ୍ୟ ବ୍ୟବହାର କରିଛନ୍ତି। ସେନା ସୂତ୍ର ଅନୁଯାୟୀ ଅତି କମରେ ପାକିସ୍ତାନ ଏକୁର ଲଞ୍ଚ ପ୍ୟାଡ୍ ସଂପୂର୍ଣ୍ଣ ଭାବେ ଧ୍ଵଂସ ହୋଇ ଯାଇଛି। ଅନ୍ୟ ଲଞ୍ଚ ପ୍ୟାଡର ମଧ୍ୟ କ୍ଷତି ଘଟିଛି।
୧୧ଟାରୁ ପାକିସ୍ତାନ ଆରମ୍ଭ କଲା ଗୁଳି ବିନିମୟ
ଜାମ୍ମୁ-କାଶ୍ମୀରର ଉରି ଓ କେରନ ସେକ୍ଟର ସଂଲଗ୍ନ ଏଲଓସିରେ ପାକିସ୍ତାନ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଗୁଳିମାଡ ଆରମ୍ଭ କରିଥିଲା। ପାକିସ୍ତାନ ସୁରକ୍ଷା ବଳ ବିନା କୌଣସି କାରଣରେ ଭାରତୀୟ ସେନା ଶିବିର ଉପରକୁ ଆଖିବୁଜା ଗୁଳି ମାଡ କରିଥିଲେ। ଏହାର ଉଦ୍ଦେଶ୍ୟ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଥିଲା। ଏହା ପରେ ଭାରତୀୟ ସେନା ମୁହଁତୋଡ ଜବାବ ଦେବା ଆରମ୍ଭ କରିଥିଲେ ଏବଂ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍ ଓ ସେମାନଙ୍କର ଗୋଳା ବାରୁଦ ଭଣ୍ଡାରକୁ ଗୋଟି ଗୋଟି କରି ଟାର୍ଗେଟ୍ କରିଥିଲେ।