ସେନା ହିରୋଙ୍କ ଅଭିନବ ଚିନ୍ତା, ପରେଡ ପରେ ଫେରିବାବେଳେ ଲଗେଜରେ ନେବେ ପିଆଜ

Published By : Prameya-News7 Bureau | January 24, 2020 IST

ନୂଆଦିଲ୍ଲୀ ୨୪।୧: ଆର୍ମି ହିରୋ ସେରିଙ୍ଗ ମୁଟୁପ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବା ପରେ ପିଆଜ ନେଇ ଲେହକୁ ଫେରିବେ । ତାଙ୍କ ଲଗେଜରେ ସେ ପିଆଜ ନେଇ ଯିବେ। ଲେହ ମାର୍କେଟରେ ଏବେ ପିଆଜର ଅଭାବ ଦେଖାଦେଇଛି । ଲେହରେ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି ପିଆଜ। ତେଣୁ ସେ ଦିଲ୍ଲୀରୁ ଶସ୍ତାରେ ଏବଂ ସୁବିଧାରେ ପିଆଜ କିଣିନେବେ ।

ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୬ଜଣ ଅଶୋକଚକ୍ର ସମ୍ମାନରେ ସମ୍ନାନୀତ ହୋଇଥିବା ଯବାନ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ମଧ୍ୟରେ ସେରିଙ୍ଗ ମୁଟୁପ ରହିଛନ୍ତି। ୧୯୮୫ ମସିହାରେ ତାଙ୍କୁ ଅଶୋକଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ସେରିଙ୍ଗଙ୍କ ଦୁଇ ପୁଅ ଏବଂ ୩ ନାତି ସେନାରେ ଭର୍ତ୍ତି ହୋଇଛନ୍ତି । ଚଳିତ ଥର ପରେଡରେ ପରମବୀର ଚକ୍ର ପାଇଥିବା ୩ ଜଣ ମଧ୍ୟ ସାମିଲ ହେବେ ।

ସେରିଙ୍ଗ କହିଛନ୍ତି ଯେ, ଦିଲ୍ଲୀରେ ପିଆଜ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି କରାଯାଉଛି। ଲେହରେ ପିଆଜ କିଲୋ ପ୍ରତି ୨୦୦ ଟଙ୍କାରୁ ଅଧିକରେ ବିକ୍ରି ହେଉଛି । ଜାନୁଆରୀ ୩୧ ତାରିଖ ଦିନ ଫେରିବା ବେଳେ ୭ରୁ ୮ କିଲୋ ପିଆଜ ନେଇ ଯିବାକୁ ଯୋଜନା କରୁଛି । ଓଜନ କଟକଣା ରହିଥିବାରୁ ଅଧିକ ପିଆଜ ନେବା ସମ୍ଭବ ନୁହେଁ ।

ଗତ ଅଗଷ୍ଟ ମାସରୁ ବିଭିନ୍ନ ସହରରେ ପିଆଜ ଦର ଦ୍ବିଗୁଣ ହୋଇଯାଇଛି । ଆଗରୁ ପିଆଜ ଦର କିଲୋ ପ୍ରତି ୨୦ରୁ ୩୦ ରହିଥିଲା । ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରୁ ପିଆଜ ଦେଶ ତଥା ଦେଶ ବାହାରକୁ ଯୋଗାଣ କମ୍ ହୋଇଛି । ଫଳରେ ପିଆଜ ଦର ବୃଦ୍ଧି ପାଇଛି ।

ସେରିଙ୍ଗ ଆଶା ରଖିଛନ୍ତି ଯେ, ପିଆଜ ଯୋଗାଣ ସ୍ବାଭାବିକ ହେଲେ ଦର ହ୍ରାସ ପାଇବ । ଲେହର କୃଷି ଉନ୍ନୟନ ଅଧିକାରୀ ସେରିଙ୍ଗ୍‌ ଦୋର୍ଜୟ କହିଛନ୍ତି ଯେ, ଲେହରେ ପିଆଜ ପ୍ରାୟ ମିଳୁନାହିଁ। କିଛି ଦିନ ତଳେ କିଲୋ ପ୍ରତି ପିଆଜ ୨୨୦ ଟଙ୍କା ଦରରେ ବିକ୍ରି ହେଉଛି । ପିଆଜ ଯୋଗାଣ କମ୍ ଯୋଗୁଁ ଦର ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.