ପାକିସ୍ତାନରୁ ହେଉଥିବା ଅନୁପ୍ରବେଶ ରୋକିବା ପାଇଁ ଏଲଓସିରେ ୩୦୦୦ ଅତିରିକ୍ତ ସୈନିକ ମୁତୟନ
19/09/2020 at 8:08 PM

ନୂଆଦିଲ୍ଲୀ ୧୯।୦୯: ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା(ଏଲଓସି)ରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଜାମ୍ମୁ-କାଶ୍ମୀରରେ ଅତିରିକ୍ତ ୩୦୦୦ ସୈନିକ ମୁତୟନ କରିଛି। ଯଦ୍ଵାରା ଅନୁପ୍ରବେଶ ଉଦ୍ୟମକୁ ବିଫଳ କରାଯାଇ ପାରିବ। ସୂତ୍ର ମୁତାବକ ଅନୁପ୍ରବେଶକୁ ରୋକିବା ପାଇଁ ଏଲଓସିରେ ଏକ ଅତିରିକ୍ତ ବିଗ୍ରେଡ୍ ମୁତୟନ କରାଯାଇଛି। ଏହି ପଦକ୍ଷେପରେ ଭଲ ଫଳାଫଳ ମଧ୍ୟ ମିଳିଛି।
ସୂତ୍ର ଅନୁଯାୟୀ ଏଲଓସିରେ ମୁତୟନ ଅତିରିକ୍ତ ଯବାନ ପ୍ରାୟତଃ ସମସ୍ତ ବଡ ଅନୁପ୍ରବେଶକୁ ରୋକିବାରେ ସଫଳ ହୋଇଛନ୍ତି। କାରଣ ଅକ୍ଟୋବର-ନଭେମ୍ବରରେ ପ୍ରବଳ ବରଫପାତ କାରଣରୁ ଅନୁପ୍ରବେଶର ସମସ୍ତ ରାସ୍ତା ବନ୍ଦ ହୋଇଯାଏ। ଏଥିପାଇଁ ଆତଙ୍କବାଦୀ ଏହା ପୂର୍ବରୁ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥାନ୍ତି।
ପାକିସ୍ତାନକୁ ଚଳିତ ବର୍ଷ ଆତଙ୍କବାଦୀଙ୍କୁ ଭାରତ ପଠାଇବାରେ ବିଶେଷ ସଫଳତା ମିଳି ପାରିନାହିଁ। ଭାରତୀୟ ସେନା ଏଲଓସିରେ ସଂପୂର୍ଣ୍ଣ ସକ୍ରିୟ ରହିଛି। ସୈନିକ ନିକଟରେ ଉତ୍ତର କାଶ୍ମୀରର ଗୁରେଜ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛନ୍ତି।
ପାକିସ୍ତାନୀ ସେନା ମଧ୍ୟ କିଛି ଅତିରିକ୍ତ ବାଟାଲିୟନ ପାକିସ୍ତାନ ଅଧିକୃତ କାଶ୍ମୀରରେ ନିୟନ୍ତ୍ରଣ ରେଖାରେ ଡେରା ପକାଇଛନ୍ତି। ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ କଣ ସେମାନେ ଚୀନ ସେନା ସମର୍ଥନରେ ଭାରତ ଉପରେ ଚାପ ପକାଇବା ପାଇଁ ଏଠାରେ ଅଛନ୍ତି। ଯଦି ପାକିସ୍ତାନୀ ସେନା ଏମିତି ଉଦ୍ୟମ କରେ ତେବେ ଭାରତୀୟ ସେନା ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଅଧିକାରୀ କହିଛନ୍ତି।