ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ସେନା ବିଭାଗର କିରାଣୀ ଗିରଫ

Published By : Prameya-News7 Bureau | May 17, 2019 IST

ଭୋପାଳ ୧୭|୫: ପାକିସ୍ତାନୀ ସେନା ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ କିରାଣୀକୁ ପୋଲିସ ଗିରଫ କରିଛି । ଆଇବି, ମିଲିଟାରୀ ଇନଟେଲିଜେନ୍ସ ଏବଂ ପୋଲିସର ମିଳିତ ଉଦ୍ୟମରେ କିରାଣୀ ଜଣଙ୍କ ଗିରଫ ହୋଇଛନ୍ତି ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ମହୁରେ ଥିବା ଏକ ଇନଫେଣ୍ଟ୍ରି ବାଟାଲିୟନରେ ଜଣେ କିରାଣୀ ଭାବେ ନିଯୁକ୍ତି ପାଇଥିଲେ ଜନୈକ ବ୍ୟକ୍ତି । ତାଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିଜ ଜାଲରେ ଫସାଇ ଦେବାପରେ ତାଙ୍କ ଜରିଆରେ ସେନା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ଦଲିଲ୍‌କୁ ହାତେଇ ନେଇଥିଲା।  ଆଇଏସ୍‌ଆଇ ହାତରୁ ଅର୍ଥ ନେଇ ଅର୍ଥ ବିନିମୟରେ ସଂପୃକ୍ତ କିରାଣୀ ଜଣକ ସେନା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ଦଲିଲ୍‌କୁ ଆଇଏସ୍‌ଆଇକୁ ହସ୍ତାନ୍ତର କରି ଦେଇଥିବା ଜାଣିବାକୁ ମିଳିଛି।

ତେବେ, ସଂପୃକ୍ତ କିରାଣୀଙ୍କର ଚାଲିଚଳଣ କ୍ରମେ ସନ୍ଦେହପୂର୍ଣ୍ଣ ହେବାରୁ ଉଭୟ ସେନା ଓ ପୋଲିସ୍‌ ପକ୍ଷରୁ ତାଙ୍କ ଉପରେ ନଜର ରଖା ଯାଇଥିଲା। ତେବେ, ଗତ ବୁଧବାର ରାତିରେ ସେ ସେନା ବିଭାଗର କିଛି ସେନା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ଦଲିଲ୍‌କୁ ଜନୈକ ଅଜ୍ଞାତ ବ୍ୟକ୍ତିକୁ ହସ୍ତାନ୍ତର କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।

ଏହା ପୂର୍ବରୁ ଅକ୍ଟୋବର ୨୦୧୮ରେ ମେରଠରେ ଜଣେ ଯବାନଙ୍କୁ ଗିରଫ କରାଯାଇଥିଲା । ସେ ସେନାର ସିଗନାଲ ରେଜିମେଣ୍ଟରେ କାମ କରୁଥିଲେ । ଏଥିପୂର୍ବରୁ ସେପ୍ଟେମ୍ବର ୨୦୧୮ରେ ବିଏସଏଫର ଜଣେ ଯବାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ସୂଚନା ଅନୁସାରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ସୁନ୍ଦର ଝିଅ ମାନଙ୍କର ଫଟୋ ଫେସବୁକ୍ ରେ ରଖି ଆର୍ମି ଯବାନମାନଙ୍କୁ ଫସାଉଥିଲେ । ତାପରେ ଗୁପ୍ତଚର କାମ କରିବା ପାଇଁ ବାଧ୍ୟ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.