ଲେହ ହସ୍ପିଟାଲରେ ଆହତ ବାହାଦୂର ଯବାନଙ୍କୁ ଭେଟିଲେ ସେନାଧ୍ୟକ୍ଷ, କହିଲେ- ଏବେ କାମ ପୂରା ହୋଇ ନାହିଁ

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩।୦୬: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ବାସ୍ତବ ନିୟନ୍ତ୍ରଣ ରେଖାରେ ଜାରି ତତ୍ତେଜନା କମ କରିବା ପାଇଁ ଦୁଇ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଘନ ଘନ ବୈଠକ ଜାରି ରହିଛି। ଗତ ଏକ ମାସରେ ଦୁଇ ଦେଶର ସୈନ୍ୟ ଅଧିକାରୀ ମଧ୍ୟରେ ଅନେକ ପର୍ଯ୍ୟାୟରେ ବୈଠକ ହୋଇ ସାରିଛି। ଏହି କ୍ରମରେ ସୋମବାର ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି। ଏହା ମଧ୍ୟରେ ମଙ୍ଗଳବାର ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରବଣେ ଲେହ ପହଞ୍ଚି ସଦ୍ୟତମ ସ୍ଥିତିର ସମୀକ୍ଷା କରିଛନ୍ତି। ଦୁଇ ଦିବସୀୟ ଗସ୍ତରେ ଲେହ ପହଞ୍ଚିଥିବା ସେନା ପ୍ରମୁଖ ମିଲିଟାରୀ ହସ୍ପିଟାଲରେ ଗଲଓ୍ଵାନ ସଂଘର୍ଷରେ ଆହତ ସୈନିକଙ୍କୁ ଭେଟିଛନ୍ତି।

ସେନାଧ୍ୟକ୍ଷ ବାହାଦୂର ଯବାନଙ୍କ ସହ କଥା ହୋଇ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଏବଂ ଶୀଘ୍ର ସୁସ୍ଥ ହେବାର କାମନା କରିଛନ୍ତି। ଏହି ସମୟରେ ସେ ଯବାନଙ୍କ ଉତ୍ସାହ ବଢାଇଛନ୍ତି। ଏହା ସହିତ ଉକ୍ତ ରାତିର ଘଟଣା ବିଷୟରେ ମଧ୍ୟ ଯବାନଙ୍କଠୁ ପଚାରି ବୁଝିଛନ୍ତି। ସେନାଧ୍ୟକ୍ଷ କହିଛନ୍ତି ଆପଣମାନେ ଗର୍ବ କରିବା ପରି କାମ କରିଛନ୍ତି, ମାତ୍ର କାମ ଏବେ ପୂରା ହୋଇ ନାହିଁ।

wp:html /wp:html

ଲେହରେ ଜେନେରାଲ ନରବଣେ ଚୀନ ସହିତ ଲାଗି ରହିଥିବା ସମ୍ବେଦନଶୀଳ ସୀମାର ସୁରକ୍ଷା ଦାୟିତ୍ଵ ସମ୍ଭାଳୁଥିବା ୧୪ କୋରର ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହଙ୍କ ସହ ଆଲୋଚନା କରିବେ। ସୋମବାର ଲେଫ୍ଟନାଣ୍ଟ ଜେନେରାଲ ସିଂହ ଚୀନ ସହିତ ଉତ୍ତେଜନା କମ କରିବା ପାଇଁ ତିବ୍ବତ ସୈନ୍ୟ ଜିଲ୍ଲାର କମାଣ୍ଡର ମେଜର ଜେନେରାଲ ଲ୍ୟୁ ଲିନ୍‌ଙ୍କ ସହିତ ୧୧ ଘଣ୍ଟା ଧରି ବୈଠକ କରିଥିଲେ। ଏହି ବୈଠକରେ ଭାରତ ଚୀନକୁ ସ୍ପଷ୍ଟ ଶବ୍ଦରେ ମେ ୫ ପୂର୍ବର ସ୍ଥିତିକୁ  ଚାଲି ଯିବାକୁ କହିଛି। ଏବେ ଖବର ରହିଛି ଯେ, ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ କରିଛି।

ସୂତ୍ର ମୁତାବକ ସୋମବାର ହୋଇଥିବା କୋର କମାଣ୍ଡର  ବୈଠକ ସମୟରେ ଭାରତ ଚୀନଠୁ ଏଲଏସିରୁ ସୈନିକଙ୍କ ପ୍ରତ୍ୟାହାର ପାଇଁ ସମୟ ସୀମା ମାଗିଛି। ଗଲଓ୍ଵାନ ଘାଟିରେ ସଂଘର୍ଷ ପରେ ଦୁଇ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଏହା ସବୁଠୁ ବଡ ବୈଠକ ଥିଲା। ଏହାର ଉଦ୍ଦେଶ୍ୟ ଏଲଏସିରେ ପୂର୍ବର ଯଥାସ୍ଥିତି ବଜାୟ ରଖିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.