Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରେନିଂ ପାଇଁ ଜମ୍ମୁ କଶ୍ମୀର ଯିବେ ଏମ୍ ଏସ୍‌ ଧୋନୀ, ଜେନେରାଲ ବିପିନ ରାୱତ ଦେଲେ ଅନୁମତି

22/07/2019 at 2:18 PM

ନୂଆଦିଲ୍ଲୀ୨୨|୭: କ୍ରିକେଟ ତାରକା ଏମ ଏସ୍‌ ଧୋନୀଙ୍କୁ  ସେନାବାହିନୀରେ ଟ୍ରେନିଂ ନେବାକୁ ଅନୁମତି ମିଳିଛି। ଆର୍ମି ଚିଫ ବିପିନ ରାୱତ ନିଜେ ଧୋନୀଙ୍କୁ ପ୍ରଶିକ୍ଷଣ ପାଇଁ ଅନୁମତି ଦେଇଛନ୍ତି। ଆଗାମୀ କିଛି ଦିନ ପାଇଁ ଧୋନୀ ଭାରତୀୟ ସେନାର ପାରାସୁଟ୍‌ ରେଜିମେଣ୍ଟ  ସହ ପ୍ରଶିକ୍ଷଣ ନେବେ। ସୂଚନାଯୋଗ୍ୟ ଯେ, ଧୋନୀଙ୍କ ଟ୍ରେନିଂ ଜମ୍ମୁ କଶ୍ମୀରରେ ହେବ। ତେବେ ଆକ୍ଟିଭ ଅପରେଶନରେ ଭାଗ ନେବା ଲାଗି ଧୋନୀଙ୍କୁ ସେନାବାହିନୀ ଅନୁମତି ଦେଇନାହିଁ।     

ରିପୋର୍ଟ ଅନୁସାରେ ଧୋନୀ ସିୟାଚୀନ ବର୍ଡର ଯିବାକୁ ଚାହାନ୍ତି। ଏବେ ସେନାବାହିନୀରୁ ଖବର ଆସିଛି ଯେ, ଧୋନୀ ଜମ୍ମୁ କଶ୍ମୀରରେ ରହିବେ ଓ ତାଙ୍କ ଟ୍ରେନିଂ ସେଠାରେ ହେବ। କିନ୍ତୁ ଧୋନୀଙ୍କ ସିୟାଚୀନ ଯିବାର ସ୍ବପ୍ନ ମଧ୍ୟ ପୂରା ହେବ ବୋଲି କୁହାଯାଇଛି।  ଏହା ପୂର୍ବରୁ ମଧ୍ୟ ଧୋନୀ ଜମ୍ମୁ କଶ୍ମୀର ଯାଇସାରିଛନ୍ତି। ୨୦୧୭ ମସିହାରେ ଧୋନୀ କଶ୍ମୀରର ବାରାମୁଲା ଯାଇଥିଲେ। ସେଠାରେ ଆର୍ମି ଦ୍ବାରା ଆୟୋଜିତ ହୋଇଥିବା କ୍ରିକେଟ ମ୍ୟାଚ୍‌ରେ ଅତିଥି ଭାବେ ଭାଗ ନେଇଥିଲେ। ଆର୍ମି ୟୁନିଫର୍ମ  ପିନ୍ଧି  ଧୋନୀ ଏହି ମ୍ୟାଚ୍‌ ଦେଖିବାକୁ ଯାଇଥିଲେ।

୨୦୧୧ ମସିହାରେ ଧୋନୀଙ୍କୁ ଇଣ୍ଡିୟାନ ଟେରିଟୋରିଆଲ ଆର୍ମିରେ ଲେଫ୍ଟିନେଣ୍ଟ କର୍ଣ୍ଣଲର ର୍ୟାଙ୍କ ଦିଆଯାଇଥିଲା। ଧୋନୀଙ୍କର ଆର୍ମି ପ୍ରତି ଥିବା ପ୍ରେମ ସମସ୍ତେ ଜାଣନ୍ତି। ରାଂଚିର ଏହି ଯୁବକ କ୍ରିକେଟ୍‌ରେ ଅନେକ ପ୍ରତିଷ୍ଠା ଲାଭ କରିଛନ୍ତି ସତ କିନ୍ତୁ ସେ କ୍ରିକେଟର ବଦଳରେ ଆଉ କିଛି ହେବାର ଆଶା ରଖିଥିଲେ। ଏକ ସାକ୍ଷାତକାରରେ ଧୋନୀ କହିଥିଲେ ଯେ, ପିଲାବେଳୁ ସେନା ବାହିନୀରେ ଯୋଗ ଦେବାକୁ ସ୍ବପ୍ନ ଦେଖି ଥିଲେ। ରାଂଚିର କେଣ୍ଟ ଏରିଆରେ ସେ ଅଧିକାଂଶ ସମୟ ବୁଲାବୁଲି କରୁଥିଲେ। କିନ୍ତୁ ତାଙ୍କ ଭାଗ୍ୟରେ ଆଉ କିଛି ଲେଖା ଥିଲା। ଫଳରେ ସେ ଆର୍ମି ଅଫିସର ହୋଇପାରିନଥିଲେ।

 

 

   Related Posts