ଥମୁନି କରୋନା, ଏବେ କୋଭିଡ୍-୧୯ର ଶିକାର ହେଲେ ଆରମେନିଆର ପ୍ରଧାନମନ୍ତ୍ରୀ ଓ ପରିବାର ସଦସ୍ୟ

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୦୧।୦୬: ସମଗ୍ର ବିଶ୍ଵରେ ନିଜର କାୟା ବିସ୍ତାର କରି ଚାଲିଛି ମହାମାରୀ କରୋନା ଭୂତାଣୁ। ସାଧାରଣ ଜନତାଙ୍କଠୁ ନେଇ ମନ୍ତ୍ରୀ ପର୍ଯ୍ୟନ୍ତ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି। ବିଶ୍ଵର ଅନେକ ରାଷ୍ଟ୍ରମୁଖ୍ୟ ମଧ୍ୟ ଏଥିରୁ ବାଦ୍‌ ପଡି ନାହାନ୍ତି। ଏହି କ୍ରମରେ ସୋମବାର ଆରମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପସିନ୍ୟାନ୍ ଏବଂ ତାଙ୍କ ପରିବାର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶରେ ସଂପ୍ରତି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ପସିନ୍ୟାନ୍ ନିଜର ଫେସ୍‌ବୁକ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ଗତ କାଲି ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କ ପରିବାର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଠାରେ କିମ୍ବା ପରିଜନଙ୍କ ଠାରେ କରୋନା ଭାଇରସ୍‌ର ଲକ୍ଷଣ ନାହିଁ। ସେ ଏବ ଘରେ ରହି କାମ କରୁଛନ୍ତି। ତାଙ୍କ ସାମ୍ବାଦିକ ପତ୍ନୀ ଆନା  ହାକୋବ୍ୟାନ୍‌ ଓ ଚାରି ସନ୍ତାନ ହୋମ୍ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି।

ଆରମେନିଆର ଜନସଂଖ୍ୟା ହେଉଛି ୩୦ ଲକ୍ଷ। ଅଦ୍ୟାବଧି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୯୨ ରହିଥିବା ବେଳେ ମହାମାରୀରେ ୧୩୯ ଜଣଙ୍କ ପ୍ରାଣହାନୀ ଘଟିଛି। କରୋନା ଭାଇରସ୍‌ କାରଣରୁ ଆରମେନିଆ ହସ୍ପିଟାଲ ସ୍ଵାସ୍ଥ୍ୟ ସେବାକୁ ଝଟକା ଲାଗିଛି। ଛୋଟ ଦେଶ ହୋଇଥିବାରୁ ଏବଂ ଜନସଂଖ୍ୟା କମ୍ ଥିବାରୁ କରୋନାକୁ ଲଢିବାରେ ଏହି ଦେଶ ସକ୍ଷମ ହେବ ବୋଲି କୁହାଯାଉଛି।

ମେ ୧୪ରେ ଲକ୍‌ଡାଉନ୍ ଉଠିବା ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଜନକ ଭାବେ ବୃଦ୍ଧି ପାଇଛି। ଦେଶର ପ୍ରଧାନମନ୍ତ୍ରୀ ସ୍ଵୀକାର କରିଛନ୍ତି ଯେ, ସେ କରୋନା ମୁକାବିଲାକୁ ସଠିକ୍ ଢଙ୍ଗରେ ପରିଚାଳନା କରିବାରେ ବିଫଳ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.