ଯୁଦ୍ଧ ସମାପ୍ତ କରିବା ମୁଡରେ ନାହାନ୍ତି ଆରମେନିଆ-ଅଜରବୈଜାନ: ଏବେ ଏହି ସର୍ତ୍ତ ରଖିଲେ ରାଷ୍ଟ୍ରପତି ଇଲହାମ ଅଲିୟେଭ

Published By : Prameya-News7 Bureau | October 05, 2020 IST

ବାକୁ ୦୫।୧୦: ଆରମେନିଆ ଓ ଅଜରବୈଜାନ ମଧ୍ୟରେ ଲଢେଇ ଜାରି ରହିଛି। ଦୁଇ ଦେଶ ଯୁଦ୍ଧ ସମାପ୍ତ କରିବାକୁ ଅନ୍ତରାଷ୍ଟ୍ରୀୟ ସମୁଦାୟର ଅପିଲକୁ ଖାରଜ କରିଛନ୍ତି। ଏହା ମଧ୍ୟରେ ଅଜରବୈଜାନର ରାଷ୍ଟ୍ରପତି ଯୁଦ୍ଧ ସମାପ୍ତ କରିବା ଲାଗି କିଛି ସର୍ତ୍ତ ରଖିଛନ୍ତି। ତାଙ୍କ କହିବାନୁଯାୟୀ ଯଦି ଆରମେନିଆ ଏହି ସର୍ତ୍ତକୁ ସ୍ଵୀକାର କରିବ ତେବେ ଯୁଦ୍ଧ ବନ୍ଦ କରି ଦେବୁ। 

ଅଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭ କହିଛନ୍ତି ଆରମେନିଆ ସେନା ସେହି ଇଲାକାକୁ କବ୍‌ଜା କରି ରଖିଛି ଯାହାକୁ ସେ ୧୯୯୦ ଦଶନ୍ଧିରେ ହାରିଥିଲା। ଆରମେନିଆ ଜାଣିଶୁଣି ଯୁଦ୍ଧକୁ ଉସୁକାଉଛି। ଯଦି ଆରମେନିଆ ସେନା ତୁରନ୍ତ ଆମ ଇଲାକାରୁ ପଛକୁ  ହଟିଯିବ କିମ୍ବା ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବାର ସମୟସୀମା ନିର୍ଦ୍ଧାରଣ କରିବ କିମ୍ବା ଯାହା କିଛି ଭୁଲ କରିଛି ସେଥିପାଇଁ କ୍ଷମା ମାଗିବ ତେବେ ଯୁଦ୍ଧ ବନ୍ଦ କରିବାକୁ ଆମେ ପ୍ରସ୍ତୁତ।

ଅଲିୟେଭ କହିଛନ୍ତି ଆରମେନିଆକୁ  ଅଜରବୈଜାନର ସାର୍ବଭୌମତ୍ଵକୁ ସ୍ଵୀକାର କରିବାକୁ ପଡିବ, ଏହା ହିଁ ଯୁଦ୍ଧକୁ ସମାପ୍ତ କରିବାର ଏକ ମାତ୍ର ମାଧ୍ୟମ। ସେ କହିଛନ୍ତି ମିଳିତ ଜାତିସଂଘ ପ୍ରସ୍ତାବକୁ ଲାଗୁ କରିବା ଓ ଅଜରବୈଜାନର ଅଞ୍ଚଳରୁ ଆର୍ମେନିଆ ସେନାକୁ ହଟାଇବାକୁ ଚାପ ପକାଇବାରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ବିଫଳ ହୋଇଛି।

{"id":339208,"sizeSlug":"large"}

ଅଲିୟେଭଙ୍କ ଆଭିମୁଖ୍ୟରୁ ଏହା ସ୍ପଷ୍ଟ ଯେ, ରୁଷ, ଆମେରିକା ଓ ୟୁରୋପୀୟ ସଙ୍ଘ ଯୁଦ୍ଧ ଉପରେ ବିରାମ ଲଗାଇବାକୁ ଯେଉଁ ଅପିଲ୍ କରିଛନ୍ତି ତାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଅଲିୟେଭଙ୍କ ଭାଷଣ ପରେ ପରେ ଆରମେନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ବୟାନ ଜାରି କରିଛି। ମନ୍ତ୍ରଣାଳୟ କହିଛି ଆମକୁ କୌଣସି ବିପଦ ନାହିଁ, ତଥାପି ଆମେ ସବୁ ପ୍ରକାର ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ। ଏହା ପୂର୍ବରୁ ଆରମେନିଆ ପ୍ରଧାନମନ୍ତ୍ରୀ ନିକୋଲାସ ପଶିନିୟମ ସ୍ପଷ୍ଟ କରିଥିଲେ ଯେ, ସେ ଅଜରବୈଜାନ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ନାହାନ୍ତି।   

ଏ ହେଉଛି ସବୁଠୁ ବଡ ବିପଦ

ଆରମେନିଆ ଓ ଅଜରବୈଜାନ ଦୁହେଁ ପରସ୍ପର ଉପରେ ଯୁଦ୍ଧ ଆରମ୍ଭ କରିଥିବା ଅଭିଯୋଗ କରିଛନ୍ତି। ଉଭୟ ପକ୍ଷରୁ ନାଗରିକଙ୍କ ଉପରେ ନିଶାଣ କରାଯାଉଛି। ଏହି ଯୁଦ୍ଧରେ ରୁଷ ପରି ମହାଶକ୍ତି ସାମିଲ ହେବାର ବିପଦକୁ ଦୃଷ୍ଟିରେ ରଖି ଦୁଇ ଦେଶକୁ ଶାନ୍ତି ସହିତ ବିବାଦର ସମାଧାନ କରିବାକୁ ଅପିଲ କରାଯାଉଛି। ଆମେରିକା ସହିତ ଅନେକ ଦେଶ ଆରମେନିଆ ଓ ଅଜରବୈଜାନକୁ ଯୁଦ୍ଧ ବନ୍ଦ କରିବାକୁ ଅପିଲ୍ କରିଛନ୍ତି। ଗତ ଅନେକ ଦିନ ଧରି ଜାରି ଏହି ଯୁଦ୍ଧରେ ଏବେ ରୁଷ, ତୁର୍କୀ, ଫ୍ରାନ୍ସ, ଇରାନ ଓ ଇସ୍ରାଏଲ ମଧ୍ୟ ସାମିଲ ହେବାର ବିପଦ ବଢି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.