ହଜାର ହଜାର ମୃତ୍ୟୁ ପରେ ଆର୍ମେନିଆ ଓ ଅଜରବୈଜାନ ନରମିଲେ, ରୁଷରେ ଜରୁରୀ ଶାନ୍ତି ଆଲୋଚନାରେ ହେବେ ସାମିଲ

Published By : Prameya-News7 Bureau | October 09, 2020 IST

ମସ୍କୋ ୦୯।୧୦: ପ୍ରାୟ ଦୁଇ ସପ୍ତାହ ଧରି ନାଗୋର୍ଣ୍ଣେ-କାରାବାଖ ଅଞ୍ଚଳରେ ଜାରି ଲଢେଇକୁ ଦେଖିଲେ ଲାଗୁନଥିଲା ଯେ ଏତେ ଶୀଘ୍ର ଏହାର ସମାଧାନର ରାସ୍ତା ବାହାରିବ। ହେଲେ ବର୍ତ୍ତମାନ ଆର୍ମେନିଆ ଓ ଅଜରବୈଜାନ ପ୍ରଥମ ଥର ଆଲୋଚନା କରିବାକୁ ସହମତି ପ୍ରକାଶ କରିଛନ୍ତି। ରୁଷର ମଧ୍ୟସ୍ଥତାରେ ଆଲୋଚନା ପାଇଁ ଯୁଦ୍ଧରତ ଏହି ଦୁଇ ଦେଶ ରାଜି ହୋଇଛନ୍ତି। ରୁଷର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାରିଆ ଜାଖାରୋଭା କହିଛନ୍ତି ଦୁଇ ଦେଶ ମଧ୍ୟରେ ଆଲୋଚନା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି।

ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତ୍ରିରେ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପଶିନୟାନ ଓ ଅଜରବୈଜାନର ରାଷ୍ଟ୍ରପତି ଇଲହମ ଅଲୟେଭଙ୍କ ସହିତ ଫୋନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଥା ହୋଇ କାରାବାଖରେ ସଂଘର୍ଷ ସମାପ୍ତ କରିବାକୁ ଅପିଲ୍ କରିଥିଲେ। ଯଦ୍ଵାରା ଶବ ଫେରାଇବା ସହିତ କଏଦୀଙ୍କୁ ନିଜ ନିଜ ଦେଶକୁ ପଠାଯାଇ ପାରିବ।

ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ରୁଷର ରାଜଧାନୀ ମସ୍କୋ ଆମନ୍ତ୍ରିତ କରାଯାଇଛି। ଏହି ଆଲୋଚନାର ମଧ୍ୟସ୍ଥତା ରୁଷ କରିବ। ଏହି ଅଞ୍ଚଳରେ ସେପ୍ଟେମ୍ବର ୨୭ରୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏହି ଅଞ୍ଚଳ ଅଜରବୈଜାନର, କିନ୍ତୁ ଏହା ଉପରେ ଆର୍ମେନିଆ ବଳପୂର୍ବକ ନିୟନ୍ତ୍ରଣ ରହିଛି। ୧୯୯୪ରେ ସମାପ୍ତ ହୋଇଥିବା ଲଢେଇ ପରେ ଏହି ଅଞ୍ଚଳରେ ଗମ୍ଭୀର ସଂଘର୍ଷ ଲାଗି ରହିଛି।

ଏହି ଲଢେଇରେ ଅଜରବୈଜାନ ସେନାର ୩ ହଜାରରୁ ଅଧିକ ସୈନିକ ପ୍ରାଣ ହରାଇ ସାରିଛନ୍ତି। ଦୁଇ ଦେଶ ଜନତାଙ୍କୁ ନିଶାଣ କରି ଗୁଳିବର୍ଷଣ କରୁଛନ୍ତି। ସ୍ଥିତି ଏତେ ଗମ୍ଭୀର ଯେ କାରାବାଖର ଆଖାପାଖ ଗାଁଗୁଡିକୁ ଖାଲି କରାଯାଉଛି। କିନ୍ତୁ ନୋଗୋର୍ଣ୍ଣେ-କାରାବାଖର ରାଜଧାନୀ ଷ୍ଟେପନକର୍ଟକୁ ଖାଲି କରାଯାଇ ନାହିଁ।  ଯେଉଁ ଜାଗାରେ ଏ ପର୍ଯ୍ୟନ୍ତ ଲୋକ ଫସି ରହିଛନ୍ତି ସେମାନେ ଘର ତଳେ ନିର୍ମିତ ସୁଡଙ୍ଗରେ ଲୁଚି ଗୁଳିମାଡରୁ ନିଜର ଜୀବନ ବଞ୍ଚାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.