ଥମୁନି ଆର୍ମେନିଆ-ଅଜରବୈଜାନ ଲଢେଇ, ଏବେ ଯୁଦ୍ଧବିରତି ପାଇଁ ଆଗକୁ ଆସିଲା ଆମେରିକା

Published By : Prameya-News7 Bureau | October 24, 2020 IST

ନ୍ୟୁୟର୍କ, ୨୪୧୦:    ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ଲାଗିଥିବା ସଙ୍ଘର୍ଷ ଥମିବାର ନାଁ ନେଉନାହିଁ । ଶୁକ୍ରବାର ପୁଣି ନାଗୋର୍ନୋ-କରାବାଖ କ୍ଷେତ୍ରରେ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି । ଆମେରିକା ଉଭୟ ଦେଶ ମଧ୍ୟରେ କୁଟନୈତିକ ସ୍ତରରେ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଆମେରିକାର ବୈଦେଶିକ ସଚିବ ଉଭୟ ଆର୍ମେନିଆ ଓ ଅଜରବୈଜାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ପାଇଁ ଅପିଲ ମଧ୍ୟ କରିଛନ୍ତି । ପ୍ରାୟ ୪୦ ମିନଟ ଧରି ଏହି ଆଲୋଚନା ଚାଲିଥିଲା । ଏହି ଭୟଙ୍କର ଯୁଦ୍ଧ ଏବେସୁଦ୍ଧା ୫ହଜାରରୁ ଅଧିକ ଜୀବନ ନେଲାଣି । ଏବେବି ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗି ରହିଛି । ନାଗୋର୍ନୋ-କାରବାଖ ସମେତ ଷ୍ଟେପାନକାର୍ଟ ଓ ମାର୍ଟାକେର୍ଟ ଅଞ୍ଚଳରେ ବିଶେଷ କ୍ଷତି ହୋଇଛି । ଅଜରବୈଜାନର ରକେଟ ଆକ୍ରମଣରେ ଏପରି କ୍ଷତି ହୋଇଥିବା ଆର୍ମେନିଆ ପକ୍ଷରୁ ଅଭିଯୋଗ ମଧ୍ୟ ହେଉଛି । ଏସବୁ ସତ୍ତ୍ୱେ ଆର୍ମେନିଆର ଅଭିଯୋଗକୁ ଅଜରବୈଜାନ ପ୍ରତିରକ୍ଷା ମନ୍ତ୍ରୀ ଖଣ୍ଡନ କରିଛନ୍ତି ।

ଗତ ମାସ ୨୭ ତାରିଖରୁ ନାଗୋର୍ନୋ-କାରବାଖକୁ ନେଇ ଉଭୟ ଦେଶ ମଧ୍ୟରେ ଲଡେଇ ତୀବ୍ର ହୋଇଥିଲା । ପ୍ରଥମେ ଋଷ ଓ ତୁର୍କୀ ଉଭୟ ଦେଶକୁ ଶାନ୍ତ ରହିବାକୁ ପରାମର୍ଶ ଦେଇଥେଲେ ମଧ୍ୟ ତାହା ବିଫଳ ହୋଇଥିଲା । ଏହି ଯୁଦ୍ଧକୁ ନେଇ ପ୍ରତିକ୍ରିୟା ରଖିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ସେ କହିଥିଲେ ଯେ, ଉଭୟ ଦେଶ ଯୁଦ୍ଧରୁ କ୍ଷାନ୍ତ ହୁଅନ୍ତୁ । ଏହାସହ ସେ ଉଭୟ ଦେଶର ରାଷ୍ଚ୍ରମୁଖ୍ୟଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । କାରଣ ଆମେରିକାର ଆର୍ମେନିଆ ସହ ଭଲ ସମ୍ପର୍କ ରହିଛି ।

ଆର୍ମେନିଆର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ମାଇକ ପାମ୍ପିଓଙ୍କ ସହ ଆଲୋଚନା ସଫଳ ହୋଇଛି । ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉଛି । ଯୁଦ୍ଧ ବନ୍ଦ ପାଇଁ ଯାହା ସବୁ କରାଯାଇପାରିବ ସେ କରିବେ ବୋଲି କହିଛନ୍ତି । ସେହିପରି ମାଇକ ପାମ୍ପିଓ ମଧ୍ୟ ଆସନ୍ତା ସପ୍ତାହରେ ହିଁ ଯୁଦ୍ଧ ବନ୍ଦ ହେବ ବୋଲି ଆଶା କରୁଛନ୍ତି । ସେହିପରି ଅନ୍ୟ ବିଶ୍ୱଶକ୍ତି ମଧ୍ୟ ଯଥାସମ୍ଭବ ଯୁଦ୍ଧ ଟାଳିବାକୁ ଉଦ୍ୟମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.