ଆଉଥରେ ହାରିବାକୁ ପ୍ରସ୍ତୁତ ନୁହଁନ୍ତି କିଙ୍କ୍ ଖାନ୍ : ବମ୍ବେ ହାଇକୋର୍ଟରେ ଆର୍ଯ୍ୟନ ଜାମିନ ମାମଲା ଲଢିବେ ମାନେସିନ୍ଦେ କିମ୍ବା ଅମିତ ଦେଶାଇ

Published By : Prameya-News7 Bureau | October 23, 2021 IST

ମୁମ୍ବାଇ, ୨୩/୧୦:  ଡ୍ରଗ୍ସ ଲିଙ୍କ ମାମଲାରେ କିଙ୍ଗ ଖାନ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ବାରମ୍ବାର ତାଙ୍କ ଜାମିନ ଆବେଦନ ଖାରଜ ହେଉଛି । ଏବେ ସେ ଏନସିବି ହେପାଜତରେ ରହିଛନ୍ତି । ବମ୍ବେ ହାଇକୋର୍ଟରେ ମାମଲାର ଶୁଣାଣି ଜାରି ରହିଛି । ତେବେ ଆର୍ଯ୍ୟନଙ୍କ ମାମଲାର ତୁରନ୍ତ ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ ଓକିଲ ସତୀଶ ମାନେସିନ୍ଦେ ।

ମାନେସିନ୍ଦେ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ, ମାମଲାର ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ ହେବା ଆବଶ୍ୟକ । ଆର୍ଯ୍ୟନଙ୍କ ବଦଳରେ ଜଣେ ଆଇନଜୀବୀ କୋର୍ଟରେ ଉପସ୍ଥିତ ରହିବେ ବୋଲି ମଧ୍ୟ ସେ ଅନୁରୋଧ କରିଥିଲେ । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ଶାହରୁଖ ମୁମ୍ବାଇ ବାହାରର ଜଣେ ଓକିଲଙ୍କୁ ମାମଲା ଲଢିବା ପାଇଁ ନିଯୁକ୍ତ କରିବାକୁ ଚାହୁଁଛନ୍ତି ।

ତେବେ ଭିଡିଓ କନଫରେନ୍ସିଂରେ ଶୁଣାଣି ଅନୁରୋଧକୁ କୋର୍ଟ ପ୍ରତାଖ୍ୟାନ କରିଦେଇଥିଲେ । ଏବେ ଦେଖିବାକୁ ବାକି ରହିଲା ଆର୍ଯ୍ୟନଙ୍କ ବଦଳରେ କୋର୍ଟରେ କିଏ ହାଜର ହେଉଛନ୍ତି । କାରଣ ପୂର୍ବରୁ ମାନେସିନ୍ଦେ କୋର୍ଟରେ ଉପସ୍ଥିତ ହେଉଥିଲେ । ତାଙ୍କ ସହ ବରିଷ୍ଠ କାଉନସେଲ୍ ଅମିତ ଦେଶାଇ ମଧ୍ୟ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଉପସ୍ଥିତ ହୋଇଥିଲେ ।

ସୂଚନାଯୋଗ୍ୟ, ଆର୍ଯ୍ୟନଙ୍କୁ ଏନସିବି ଅକ୍ଟୋବର ୨ ତରିଖରେ ଗିରଫ କରିଥିଲା । ମଝି ସମୁଦ୍ରରେ ଡ୍ରଗ୍ସ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ଆଇପିସି ୮(ଗ), ୨୦(ଖ), ୨୭, ୨୮, ୨୯ ଓ ୩୫ ଆଧାରରେ ଦଫା ଲାଗିଛି । ପ୍ରଥମେ ତାଙ୍କୁ ଅକ୍ଟୋବର ୪ ଯାଏଁ ଏନସିବି ରିମାଣ୍ଡରେ ନେଇଥିଲା । ପରେ ରିମାଣ୍ଡ ଅବଧିକୁ ଅକ୍ଟୋବର ୭କୁ ବୃଦ୍ଧି କରାଯାଇଥିଲା । ସେବେଠାରୁ ସେ ଜାମିନ ଆବେଦନ କରିଥିଲେ ମଧ୍ୟ ଜାମିନ ମିଳୁନାହିଁ ।

ପ୍ରଥମେ ଜଷ୍ଟିସ ଆରଏମ ନେରଲିକର ଜାମିନ ଆବେଦନ ଖାରଜ କରିଥିଲେ । ଜାମିନ ଆବେଦନର ଶୁଣାଣି ସ୍ୱତନ୍ତ୍ର କୋର୍ଟରେ ହେବ ବୋଲି ସେ କହିଥିଲେ । ଫଳରେ ଆର୍ଯ୍ୟନ ସ୍ୱତନ୍ତ୍ର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହା ପୁଣି ଥରେ ଖାରଜ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.