ଶ୍ରୀଲଙ୍କାର ପୂର୍ବତନ କ୍ରିକେଟ ଅଧିନାୟକ ଅର୍ଜୁନ ରଣତୁଙ୍ଗା ଗିରଫ

Published By : Prameya-News7 Bureau | October 29, 2018 IST

କଲମ୍ୱୋ ୨୯/୧୦: ଶ୍ରୀଲଙ୍କାର ପେଟ୍ରୋଲିୟମ ମନ୍ତ୍ରୀ ତଥା ଶ୍ରୀଲଙ୍କା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ଆଜି ପୋଲିସ ଗିରଫ କରିଛି । ଗତକାଲି ପେଟ୍ରୋଲିୟମ ମନ୍ତ୍ରଣାଳୟରେ ହୋଇଥିବା ଗୁଳିକାଣ୍ଡ ଘଟଣା ପାଇଁ ତାଙ୍କୁ ଗିରଫ କରାଯାଇଛି । ଗତକାଲି ଅର୍ଜୁନ ରଣତୁଙ୍ଗାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ପ୍ରଧାନମନ୍ତ୍ରୀ ରାଜ୍‌ପକ୍ଷେଙ୍କ ସମର୍ଥକଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ । ଏହି ଘଟଣାରେ ଗତକାଲି ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇଥିଲା । ଆଜି ରଣତୁଙ୍ଗାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ । ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ରାଜନୈତିକ ହଟ୍ଟଚମଟ ଜାରି ରହିଛି । ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂଙ୍ଘେଙ୍କୁ ରାଷ୍ଟ୍ରପତି ତାଙ୍କ ପଦରୁ ବରଖାସ୍ତ କରି ରାଜ୍‌ପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ବରଖାସ୍ତ ପ୍ରଧାନମନ୍ତ୍ରୀ ବ୍ରିକମସିଂଘେଙ୍କର ଜଣେ ଦୃଢ଼ ସମର୍ଥକ ଭାବେ ଅର୍ଜୁନ ରଣତୁଙ୍ଗା ବେଶ ଜଣାଶୁଣା । ଗତକାଲି ଅର୍ଜୁନ ରଣତୁଙ୍ଗା ପେଟ୍ରୋଲିୟମ ମନ୍ତ୍ରଣାଳୟରେ ଥିବା ନିଜ କାର୍ଯ୍ୟାଳୟକୁ ଯାଉଥିବା ବେଳେ ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ରାଜ୍‌ପକ୍ଷେଙ୍କ ସମର୍ଥକମାନେ ତାଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ । ଫଳରେ ରଣତୁଙ୍ଗାଙ୍କ ସୁରକ୍ଷାକର୍ମୀମାନେ ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.