ବର୍ଷେ ପରେ ମିଳିଲା ନିଖୋଜ ବୁଡା ଯାହାଜ ; କେମିତି ଥିଲା ସେହି ୪୪ ଜଣଙ୍କ ଶେଷ ଯାତ୍ରା

Published By : Prameya-News7 Bureau | November 17, 2018 IST

ଆର୍ଜେଣ୍ଟିନା ୧୭|୧୧: ବର୍ଷେ ତଳେ ଅତଳ ସମୁଦ୍ରରେ ନିଖୋଜ ଆର୍ଜେଣ୍ଟିନା ବୁଡ଼ା ଜାହାଜର ସନ୍ଧାନ ମିଳିଛି । ଏଆରଏ ସାନ ଜୁଆନ ବୁଡ଼ା ଜାହାଜଟି ୨୦୧୭ ନଭେମ୍ବର ୧୫ ତାରିଖରେ ନିଖୋଜ ହୋଇଯାଇଥିଲା । ଆର୍ଜେଣ୍ଟିନା ଉପକୂଳଠାରୁ ୪୩୦ କିଲୋମିଟର ଦୂରରେ ଥିବାବେଳେ ବନ୍ଦର ସହ ବୁଡ଼ାଜାହାଜର ସଂପର୍କ ଛିନ୍ନ ହୋଇଥିଲା । ଏଆରଏ ସାନ୍ ଜୁଆନରେ ସେତେବେଳେ ଜାହାଜ କର୍ମଚାରୀଙ୍କ ସହ ମୋଟ୍ ୪୪ ଜଣ ଆରୋହୀ ଥିଲେ । କିନ୍ତୁ ରାଡର ପରଦାରୁ ଜାହାଜଟି ଉଭାନ ହେବାସହ ଯୋଗଯୋଗ ବିଛିନ୍ନ ହୋଇଥିଲା । ସେହିଦିନଠାରୁ ଆରମ୍ଭ ହୋଇଥିଲା ଜୋରଦାର ଅନୁସନ୍ଧାନ । ଆର୍ଜେଣ୍ଟିନାକୁ ଏହି ଅଭିଯାନରେ ଆମେରିକା ସହ ଆଉ କିଛି ରାଷ୍ଟ୍ରର ସାମୁଦ୍ରିକ ବିଷେଷଜ୍ଞ, ନୌବାହିନୀର ହେଲିକପ୍ଟର ସହାୟତା କରିଥିଲେ । କିନ୍ତୁ ଏଆରଏ ସାନ ଜୁଆନ କିମ୍ବା ସେଥିରେ ଥିବା ଯାତ୍ରୀଙ୍କର କୌଣସି ସୁରାକ୍‌ ବି ମିଳିନଥିଲା । ଶେଷରେ ଗତ ଦୁଇ ସପ୍ତାହ ତଳେ ଅନୁସନ୍ଧାନ ଅଭିଯାନକୁ ବନ୍ଦ କରିଦେଇଥିଲା ଆର୍ଜେଣ୍ଟିନା । ଆଉ ଏବେ ଅଭିଯାନ ବନ୍ଦ ହେବାର ୨ ସପ୍ତାହ ପରେ ଏଆରଏ ସାନ୍ ଜୁଆନ ବୁଡ଼ା ଜାହାଜକୁ ଠାବ କରାଯାଇଛି । ଆଟଲାଣ୍ଟିକ ମହାସାଗରରେ ମିଳିଛି ବୁଡ଼ା ଜାହାଜଟିର ଧ୍ବଂସାବଶେଷ । ସମୁଦ୍ରର ପତ୍ତନର ପ୍ରାୟ ୨ ହଜାର ୬ ଶହ ୨୯ ଫୁଟ୍ ତଳେ ମିଳିଛି ଏଆରଏ ସାନ୍ ଜୁଆନ୍‌ର କିଛି ଖଣ୍ଡ ବିଖଣ୍ଡିତ ଅଂଶ । ଏକ ଆମେରିକୀୟ କମ୍ପାନୀ ଏହାକୁ ଠାବ କରିଥିବା ଆର୍ଜେଣ୍ଟିନାର ନୌବିଭାଗ ସୂଚନା ଦେଇଛି । ତେବେ ସେହି ଅଭିଶପ୍ତ ୪୪ ଯାତ୍ରୀଙ୍କ ଚିହ୍ନବର୍ଣ୍ଣ ମିଳିନାହିଁ । ୨୦୧୭ ନଭେମ୍ବର ୧୫ ତାରିଖରେ ଏରଏ ସାନ୍‌ ଜୁଆନ ଦକ୍ଷିଣ ଆମେରିକା ଉପକୂଳ ନିକଟ ଉଷୁଆଇଆରୁ ରୁଟିନ୍ ଅଭିଯାନ ସାରି ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସର୍ଟ ସର୍କିଟ୍ କାରଣରୁ ବୁଡାଜାହାଜର ଇଲେକ୍ଟ୍ରିକ୍‌ ଫେଲଡାଉନ ହେବାରୁ ତାହା ନିୟନ୍ତ୍ରଣ ହରାଇ ବୁଡିଥିଲା। ସେଥିରେ ଥିବା ଯାତ୍ରୀମାନେ ବିଦ୍ୟୁତଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ପୂର୍ବରୁ ପ୍ରବଳ ଶବ୍ଦ ହୋଇଥିଲା, କିନ୍ତୁ ତାପରେ ବୁଡାଜାହାଜଟିକୁ ଠାବ କରାଯାଇପାରିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.