ଆରପାରିରେ 'ଶଲାବୁଢା', ବିଶିଷ୍ଟ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ

Published By : Prameya-News7 Bureau | June 05, 2021 IST

ଭୁବନେଶ୍ୱର. ୦୫।୦୬: ପରଲୋକରେ ଶଲାବୁଢା, ବିଶିଷ୍ଟ ଅଭିନେତା ଅଟଳବିହାରୀ ପଣ୍ଡା ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲେ ।

୯୨ ବର୍ଷ ବୟସରେ ବୁର୍ଲା ଭୀମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଆଜି ରାତି ୩ଟା ୪୫ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ପ୍ରକାଶ କରିଛନ୍ତି ।  ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ ଶଳାବୁଢା, ଶଳାବୁଢାର ବଦଲା, ଆଦିମ ବିଚାରର ସେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ବ୍ଲଡ ସେଫିସେମିଆରେରେ ସେ ଆକ୍ରାନ୍ତ ଥିବାବେଳେ ତାଙ୍କର ସୁଗର ସ୍ତର ବଢିଯାଇଥିବା ତାଙ୍କର ପୁଅ ସୂଚନା ଦେଇଛନ୍ତି । ତେବେ ଜଣେ ବର୍ଷିଆନ କଳାକାରଙ୍କୁ ହରାଇ  ସାରା ପଶ୍ଚିମ ଓଡିଶାରେ ଏବେ ଶୋକର ଲହରୀ ଖେଳିଯାଇଛି ।

ସୂଚନାଯୋଗ୍ୟ, ସେ କୋଭିଡ୍ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ଏହାପରେ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗତ ମେ ମାସରେ ତାଙ୍କ ପତ୍ନୀଙ୍କର ମଧ୍ୟ ବିୟୋଗ ହୋଇଥିଲା ।  

ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଅଟଳ ବିହାରୀ ପଣ୍ଡା ଜନ୍ମ ଗ୍ରହଣ କରିଥିଲେ। ୧୯୪୪ରେ ସେ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ। ଏହା ପରେ ସେ ଆଗକୁ ବଢିଚାଲିଥିଲେ। ପ୍ରାୟ ୧୦୦ଟି ନାଟକରେ ଅଭିନୟ କରିଛନ୍ତି। ସମ୍ବଲପୁରୀରେ ୬୫ଟି ମଞ୍ଚ ଏବଂ ରେଡିଓ ନାଟକ ଲେଖିଛନ୍ତି। ତାଙ୍କ ଦ୍ୱାରା ଲିଖିତ “ଫାଟା କପାଳ” ହେଉଛି ପ୍ରଥମ ମୁଦ୍ରିତ ସମ୍ବଲପୁରୀ ନାଟକ। ଭଏଁଷ ଆଗେ ନାଗଧୁନି” ତାଙ୍କର ଦ୍ଵିତୀୟ ନାଟକ ଥିଲା।

ଡକ୍ଟର ହରେକୃଷ୍ଣ ମହତାବ ଥରେ ତାଙ୍କର ନାଟକ ଦେଖି ଅପେରା ସ୍କ୍ରିପ୍ଟ ଲେଖିବା ପାଇଁ ପରାମର୍ଶ ଦେଇଥିଲେ। କଟକରେ ଚାକିରୀକାଳ ମଧ୍ୟରେ ସେ ୬ଟି ଅପେରା ସ୍କ୍ରିପ୍ଟ ଲେଖିଛନ୍ତି। ବାଘ ମାତିଛି ତାଙ୍କର ଏକ ହାଇ ଭୋଲଟେଜ୍ ଅପେରା। ମଣି ସଂଗ୍ରହ, କ୍ଲାନ୍ତ ଅପରାହ୍ନ ତାଙ୍କର ଦୁଇଟି ଲୋକପ୍ରିୟ ଓଡ଼ିଆ ନାଟକ। ସଦଗତି ସମ୍ବଲପୁରୀ ନାଟକ ତାଙ୍କ ଦ୍ଵାରା ଲିଖିତ।

'ଶଲାବୁଢା' ତାଙ୍କର ଅଦ୍ଵିତୀୟ ସମ୍ବଲପୁରୀ ଫିଲ୍ମ। ୨୦୧୩ରେ ୮୩ ବର୍ଷ ବୟସରେ ସେ ଏହି ପିଲ୍ମରେ ଅଭିନୟ କରିଥିଲେ। 'ଶଲାବୁଢା' ପୂର୍ବରୁ ସେ ଦୂରଦର୍ଶନରେ ଏକ ୪୫ ମିନିଟର ଟେଲି ଫିଲ୍ମ ଡଂଗର ତଲେ ଡମରୁ ବାବାରେ ଅଭିନୟ କରିଥିଲେ। ସେ ଜଣେ ଶ୍ରେଷ୍ଠ ଅଭିନେତା ଭାବରେ ଦୁଇ ଦୁଇଟି ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ସେ ସମ୍ବଲପୁର ବୁର୍ଲାରେ ଜଣେ ସରକାରୀ ଚାକିରିଆ ଥିଲେ। ଚାକିରିରୁ ଅବସର ନେବା ପରେ ସେ ବୁର୍ଲାରେ ରହୁଥିଲେ ଏବଂ ସେହି ଠାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.