କେଜ୍‌ରିୱାଲ୍‌ଙ୍କ ଘୋଷଣା, ଦଳ ଉତ୍ତରାଖଣ୍ଡ ଜିତିଲେ ମିଳିବ ୩ ଶହ ୟୁନିଟ୍‌ ମାଗଣା ବିଜୁଳି, ପୁରୁଣା ବିଲ୍‌ ମଧ୍ୟ ହେବ ଛାଡ଼

Published By : Prameya-News7 Bureau | July 11, 2021 IST

ନୂଆଦିଲ୍‌ଲୀ, ୧୧/୦୭: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଆଜି ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଉତ୍ତରାଖଣ୍ଡରେ ଆପ୍‌ ସରକାର ଗଢ଼ିଲେ ଜନତାଙ୍କୁ ୩ ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥି ସହିତ ବାକି ଥିବା ପୁରୁଣା ବିଲ୍ ମଧ୍ୟ ଛାଡ଼ କରାଯିବ ବୋଲି ସେ ଏହି ଘୋଷଣାରେ କହିଛନ୍ତି । ଆପ୍‌ ସରକାର ଲୋକଙ୍କୁ ୨୪ ଘଣ୍ଟା ମାଗଣା ବିଜୁଳି ଯୋଗାଇ ଦେବେ ଏବଂ କୃଷକଙ୍କୁ ମଧ୍ୟ ମାଗଣା ବିଜୁଳି ଦିଆଯିବ ବୋଲି ସେ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ, ଭଗବାନ ଉତ୍ତରାଖଣ୍ଡକୁ ସବୁକିଛି ଦେଇଛନ୍ତି । ହେଲେ ଉତ୍ତରାଖଣ୍ଡର ନେତା ଏବଂ ରାଜନୈତିକ ଦଳ ଏହାକୁ ବର୍ବାଦ କରିବାକୁ କୌଣସି ବି ସୁଯୋଗ ଛାଡ଼ିନାହାନ୍ତି । ୨୦ ବର୍ଷ ଧରି ଶାସନ କରି ଆସୁଥିବା ଦୁଇ ଦଳ ଜନତାଙ୍କୁ ଲୁଟିଛନ୍ତି ।

ପୂର୍ବରୁ ଅରବିନ୍ଦ କେଜରିୱାଲ୍‌ ଉତ୍ତରାଖଣ୍ଡ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି ଟ୍ୱିଟ୍‌ କରି ଜଣାଇଥିଲେ । ସେ ଟ୍ୱିଟ୍‌ରେ କହିଥିଲେ ଯେ, ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉନାହିଁ କିନ୍ତୁ ବାହାର ରାଜ୍ୟରୁ ଆଣି ବି ଦିଲ୍ଲୀରେ ବିଜୁଳି ମାଗଣା ଦିଆଯାଉଛି । ଉତ୍ତରାଖଣ୍ଡକୁ କାହିଁକି ମାଗଣା ବିଜୁଳି ଦିଆନଯିବ । ଡେରାଡୁନ୍‌ ଗସ୍ତରେ ଯାଇଥିବା କେଜରିୱାଲ୍‌ଙ୍କ ଏହି ଘୋଷଣାକୁ ନେଇ ଉତ୍ତରାଖଣ୍ଡରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରଭାବ ପାକାଇ ପାରେ ବୋଲି ଚର୍ଚ୍ଚା ହେଉଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.