କଟକ ଜିଲ୍ଲାରେ ନିର୍ବାଚନୀ ଖର୍ଚ୍ଚ ସୀମା ଉଲଂଘନ ଆଶଙ୍କା ବେଶୀ, ଜାଣନ୍ତୁ କାହା ପାଇଁ କେତେ କଟକଣା

Published By : Prameya-News7 Bureau | March 21, 2019 IST

କଟକ ୨୧|୩ : ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚର ଟିକ୍‌ନିଖି ହିସାବ ରଖିବା ଓ ପ୍ରାର୍ଥୀମାନଙ୍କ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାଇବା ପାଇଁ ନିର୍ବାଚନ କମିଶନଙ୍କଠାରୁ  ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ରହିଛି ଗୁରୁ ଦାୟିତ୍ବ । ଏ ନେଇ ନିୟମ ବି ବେଶ୍ କଡାକଡି ହୋଇଛି । ହେଲେ ପ୍ରଶ୍ନ ଉଠୁଛି ପ୍ରଶାସନର ସୀମିତ ମାନବ ସମ୍ବଳ ଏହାକୁ ନିୟନ୍ତ୍ରଣ କରିବାକୁ କେତେ ସକ୍ଷମ ହୋଇପାରିବ । ଏଭଳି କ୍ଷେତ୍ରରେ ନିର୍ବାଚନୀ ଖର୍ଚ୍ଚ କଟକଣା କେବଳ ଧର୍ମକୁ ଆଖି ଠାର ବୋଲି ସାଧାରଣରେ ଆଲୋଚନା ହେଉଛି ।

କଟକ ଜିଲ୍ଲାରେ ଏଥର ନିର୍ବାଚନରେ ବିଧାୟକ ପ୍ରାର୍ଥୀ ୨୮ ଲକ୍ଷ ଏବଂ ସାଂସଦ ପ୍ରାର୍ଥୀ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।  ଏମିତିକି ପ୍ରାର୍ଥୀ କେତେ ଗାଡି ବ୍ୟବହାର କରିବେ ସେନେଇ  ମଧ୍ୟ କଟକଣା ରହିଛି । ହେଲେ ସମସ୍ତେ ଯେ, ଏଇ କଟକଣାକୁ ମାନି ଖର୍ଚ୍ଚ କରିବେ ସେକଥା ଭାବିବା ଭୁଲ୍‌ । କାହିଁକି ନା ସବୁ ଥର ଭଳି ଏଥର ମଧ୍ୟ ଅନେକ ଯାଗାରେ ପ୍ରାର୍ଥୀ ବେଆଇନ୍‌ ଭାବେ ଅର୍ଥ କାରବାର କରିବେ ସେଥିରେ କୌଣସି ସଂଦେହ ନାହିଁ । ବର୍ତ୍ତମାନ ପରିସ୍ଥିତିରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଯେଭଳି ଭାବେ ଟକରା ଟକରି ଚାଲିଛି, ସେଥିରୁ ଏଥର ନିର୍ବାଚନ ମଇଦାନରେ ଧୁମ୍‌ ଟଙ୍କା ଉଡ଼ିବ, ସେକଥା ଥୟ ।

ଜିଲ୍ଲାପାଳଙ୍କ କହିବା କଥା, ନିର୍ବାଚନରେ ବେଆଇନ୍‌ ଟଙ୍କା କାରବାର ରୋକିବାକୁ ବିଭିନ୍ନ ସ୍ତରରେ ଯାଂଚ କରାଯାଉଛି । ଫ୍ଲାଇଙ୍ଗ ସ୍କ୍ବାର୍ଡ଼ ସମେତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଏମିତିକି ନିର୍ବାଚନ କମିଶନଙ୍କ ଧାର୍ଯ୍ୟ ଅଧିକାରୀଙ୍କ ଠାରୁ ଅଧିକ ସଂଖ୍ୟାରେ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ନୂଆ ଆପ୍ ଜାରି କରିବା ସହ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଫୋନ୍‌ ନମ୍ବର ସମସ୍ତଙ୍କୁ ଜଣାଇଦିଆଯାଇଛି । ଯାହା ମାଧ୍ୟମରେ ସାଧାରଣ ଲୋକେ ମଧ୍ୟ ସିଧାସଳଖ ଅଭିଯୋଗ କରିପାରିବେ ।

କଟକ ଜିଲ୍ଲାରେ ୨୨୪୬ବୁଥ ମଧ୍ୟରୁ ୩୫୦ଟି ବୁଥକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଏହି ସବୁ ବୁଥ୍‌ ଗୁଡ଼ିକରେ କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ ମୁତୟନ ହେବେ । ଏଥି ସହ ପୂରା ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି ବ୍ୟବସ୍ଥା ଓ ଅତିରିକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତି ନେଇ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.