ଫୋନୀ ବାତ୍ୟା ପୂର୍ବରୁ ପୁରୀ ଶ୍ରୀମନ୍ଦିରର ପତିତପାବନ ବାନା ଛିଡିଯିବା ନେଇ ଦାନା ବାନ୍ଧୁଛି ବିଭିନ୍ନ ଆଲୋଚନା ଓ ଆଶଙ୍କା

Published By : Prameya-News7 Bureau | May 10, 2019 IST

ପୁରୀ୧୦|୫: ପୁରୀ ଯିବି, ଜଗାକୁ ଦେଖିବି । ବାଟମଙ୍ଗଳାରୁ ପତିତ ପାବନ ବାନାକୁ ଜୁହାର ହେବି। ଏ ଆସ୍ଥା ଆଉ ବିଶ୍ବାସ ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଥାଏ । ହେଲେ ବାତ୍ୟା ଫୋନି ଭକ୍ତଙ୍କର ଏହି ଆସ୍ଥାକୁ ଦୋହଲାଇ ଦେଲା । ପ୍ରଳଙ୍କରୀ ବାତ୍ୟା ଫୋନି ତାଣ୍ଡବ ରଚିବା ପୂର୍ବରୁ ହିଁ ଶ୍ରୀକ୍ଷେତ୍ରରୁ ଉଡିଯାଇଥିଲା ବାନା ।ଶ୍ରୀକ୍ଷେତ୍ରବାସୀଙ୍କ ମନରେ ସୃଷ୍ଟି କରିଥିଲା ଭୟ ଓ ଆତଙ୍କ । ଲାଗୁଥିଲା ଯେମିତି ଷାଠିଏ ପଉଠି ଖିଆ କାଳିଆ ବି ହାତ ଟେକି ଦେଇଛି….    

ପତିତ ପାବନ ବାନା ଆଉ କେତେ ବେଳକୁ….ଶ୍ରୀକ୍ଷେତ୍ରକୁ ଆସୁଥିବା ତୀର୍ଥଯାତ୍ରୀମାନେ ଦୂରରୁ ପତିତପାବନ ବାନାକୁ ଚାହିଁ ଜୁହାର ହୋଇଥାନ୍ତି । ଶ୍ରୀଜଗନ୍ନାଥ ଭକ୍ତ ମାନଙ୍କ ବିଶ୍ବାସ, ପତିତ ପାବନ ପତାକା ହିଁ ସାକ୍ଷାତ ଜଗନ୍ନାଥ । ଏହି ପତାକା ହିଁ ଶ୍ରୀମନ୍ଦିରର ଶିରି । ମନ୍ଦିର ଚୂଡାରେ ପତାକା ନରହିଲେ, ଛତିଶା ନିଯୋଗ ଅଟକି ଯାଏ । ବନ୍ଦ ହୋଇଯାଏ ଷାଠିଏ ପଉଠି ଖିଆ ଶ୍ରୀଜଗନ୍ନାଥଙ୍କର ମଣୋହି । ବାତ୍ୟା ଫୋନି ଶ୍ରୀମନ୍ଦିର ଚୂଡ଼ାରୁ ପତିତପାବନ ପତାକାକୁ ତ ନେଇ ଯାଇଛି, ତାସହ ଖେଳାଇ ଦେଇଛି ଜଗନ୍ନାଥପ୍ରେମୀଙ୍କ ଅନ୍ତରରେ ଆତଙ୍କ ।

ପୁରାଣ ଶାସ୍ତ୍ରର ବର୍ଣ୍ଣନା ଅନୁସାରେ ମନ୍ଦିର ଚୂଡ଼ାର ପତାକା ବା ବାନା ମନ୍ଦିରର ଶ୍ରୀରକ୍ଷକ । ସେଇଥିପାଇଁ ଶ୍ରୀମନ୍ଦିର ବେଢାରେ ଥିବା ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ବାନା ବା ପତାକା ନଥିବା ବେଳେ କେବଳ ଶ୍ରୀଜଗନ୍ନାଥଙ୍କ ଶ୍ରୀବତ୍ସ ଖଣ୍ଡଶାଳ ମନ୍ଦିର ଚୂଡ଼ାରେ ହିଁ ରହିଛି ପତାକା । ଏହି ପତାକା ମହାପ୍ରଭୁଙ୍କର ପତିତ ଉଦ୍ଧାର ଲୀଳାର ପ୍ରତୀକ । ଶ୍ବେତ, ପୀତ୍ତ, ରକ୍ତ ବର୍ଣ୍ଣର ଏହି ପତାକା ଭକ୍ତଙ୍କୁ ସତେ ଯେମିତି ଯୁଗ ଯୁଗ ଧରି ଅଭୟ ପ୍ରଦାନ କରି ଆସିଛି ।

ଆଗରୁ ବି ଅନେକ ଥର ଝଡ଼ବାତ୍ୟା ପୂର୍ବରୁ ନୀଳଚକ୍ରରୁ ପତିତପାବନ ବାନା ଛିଣ୍ଡି ସମୁଦ୍ରରେ ପଡ଼ିଛି ।  ପୁରୁଷୋତ୍ତମକ୍ଷେତ୍ରର ରକ୍ଷକ ସ୍ବୟଂ ଜଗନ୍ନାଥ ତାଙ୍କ କ୍ଷେତ୍ରର ରକ୍ଷା ପାଇଁ ଏଭଳି ଲୀଳା ରଚିଥାନ୍ତି ବୋଲି ଯୁଗ ଯୁଗରୁ ବିଶ୍ବାସ ରହିଛି । ଏଥର କିନ୍ତୁ ପରିସ୍ଥିତି ପୂର୍ବ ବିଶ୍ବାସ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ବାନା ଛିଣ୍ଡିଲା ସତ । ହେଲେ ପ୍ରଳୟ ପଥକୁ ରୋକି ହେଲାନି । ଯାହାକୁ ନେଇ  ପୁରୀବାସୀଙ୍କ ବିଶ୍ବାସ ସମ୍ପୂର୍ଣ୍ଣ ଦୋହଲିଯାଇଛି । ଠାକୁରଙ୍କର ଲୀଳାରେ ଏଭଳି ପରିବର୍ତ୍ତନ ସମସ୍ତଙ୍କ ମନରେ ଗୋଟେ ଅଜବ ଆଶଙ୍କା ସୃଷ୍ଟି କରିଛି ।

ମହାବାତ୍ୟା ଫୋନି ଆସିବା ପୂର୍ବରୁ ମନ୍ଦିର ଚୂଡ଼ାରୁ ଉଡ଼ିଯାଇଥିଲା ପତିତପାବନ ବାନା । କେହି କେହି କହିଲେ ଠାକୁର ଆଜ୍ଞାମାଳ ଗଲା । ବାଟ ଭାଙ୍ଗି ଚାଲିଯିବ ବାତ୍ୟା । କାରଣ ପୁରୀରେ ସ୍ବୟଂ ବ୍ରହ୍ମାଣ୍ଡ କର୍ତ୍ତା ଅଛନ୍ତି । ତାଙ୍କ କ୍ଷେତ୍ରକୁ ଇନ୍ଦ୍ର, ଚନ୍ଦ୍ର, ବାୟୁ, ବରୁଣଙ୍କର ଭିନ୍ନ ଦୃଷ୍ଟି ପଡ଼ିପାରିବନି । ହେଲେ ବାତ୍ୟା ଫୋନି ପୁରୀବାସୀଙ୍କ ସବୁ ଆଶାଙ୍କା ଆକଳନକୁ ଓଲଟପାଲଟ କରିଦେଇଛି ।

 ବାତ୍ୟାର ବିଭୀଷିକା ପରେ ଆରମ୍ଭ ହୋଇଛି ଚାପା ଗୁଞ୍ଜରଣ । ସତରେ କ’ଣ ଶ୍ରୀମନ୍ଦିରରେ ମହାବାହୁ ଅଛନ୍ତି, ସତରେ କ’ଣ  ମହାପ୍ରଭୁ ଶ୍ରୀମନ୍ଦିର ଚୂଡ଼ାରୁ ପତିତ ପାବନ ପତାକାକୁ ଉଡାଇ ବାତ୍ୟାକୁ ଘଉଡାଇ ନଥିଲେ, ନା ପାପୀଙ୍କୁ ଉଚିତ୍‌ ଶିକ୍ଷା ଦେବାକୁ ପରୋକ୍ଷରେ  ପ୍ରଳୟକୁ ଆଜ୍ଞା ପ୍ରଦାନ କରିଦେଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.