ଭାରତର ନୂଆ ସେନା ଅଧ୍ୟକ୍ଷ ନିଯୁକ୍ତି ଲାଗି ଚୟନ ପ୍ରକ୍ରିୟା ଆରମ୍ଭ, ସବୁଠୁ ଆଗରେ ରହିଛି ଏହି ତିନିଜଣଙ୍କ ନାଁ , ଜାଣନ୍ତୁ କିଏ
26/09/2019 at 12:08 PM

ନୂଆଦିଲ୍ଲୀ୨୬|୯: ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ ଡିସେମ୍ବର ୩୧ ତାରିଖରେ କାର୍ଯ୍ୟରୁ ଅବସର ନେବେ। ଏନେଇ ନୂଆ ସେନା ଅଧ୍ୟକ୍ଷ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସେପ୍ଟେମ୍ବର ୨୬ ତାରିଖରେ ଏ ସଂପର୍କରେ ସେନାର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନୂଆ ସେନା ଅଧ୍ୟକ୍ଷ ରେସ୍ରେ ତିନି ଜଣଙ୍କ ନାଁ ଆଗରେ ରହିଛି। ସେମାନେ ହେଲେ ଲେଫ୍ଟିନେଣ୍ଟ ଜେନେରାଲ ଏସଏସ ନରାଓ୍ବନେ, ଲେଫ୍ଟିନେଣ୍ଟ ଜେନେରାଲ ରଣବୀର ସିଂହ ଓ ଲେଫ୍ଟିନେଣ୍ଟ ଜେନେରାଲ ଏସକେ ସ୍ୟାନୀ।
ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନୂଆ ସେନା ଅଧ୍ୟକ୍ଷ ନିଯୁକ୍ତି କରାଯିବ ବୋଲି ସେନାର ଅଧିକାରୀ ସୂଚନା ଦେଇଛନ୍ତି। ନୂଆ ସେନା ଅଧ୍ୟକ୍ଷ ନିଯୁକ୍ତିରେ ସୁରକ୍ଷା ମନ୍ତ୍ରାଳୟର ଦାୟିତ୍ବ ଗୁରୁପୂର୍ଣ୍ଣ ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବଧୀନ କ୍ୟାବିନେଟର ନିଯୁକ୍ତି କମିଟି ନୂଆ ସେନା ଅଧ୍ୟକ୍ଷ ଚୟନ କରିବେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେବଳ ଏହି କମିଟିରେ ସାମିଲ ରହିବେ। ସେନା ଅଧ୍ୟକ୍ଷ ଅବସର ନେବାର ଏକ ମାସ କିମ୍ବା ୪୫ ଦିନ ପୂର୍ବରୁ ନୂଆ ସେନା ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ହୋଇଥାଏ। କିନ୍ତୁ ଏବେ ଚୟନ ପ୍ରକ୍ରିୟରେ ପରିବର୍ତ୍ତନ ହୋଇଛି।