ଏହି ସହଜ ଉପାୟରେ କରୋନା ଭୂତାଣରୁ ନିଜକୁ ରକ୍ଷା କରନ୍ତୁ, ଜାଣନ୍ତୁ କେମିତି ?
3/03/2020 at 8:11 PM

ନୂଆଦିଲ୍ଲୀ ୦୩।୦୩- କରୋନା ଭୂତାଣୁର ବିପଦ ଏବେ ଭାରତରେ ମଧ୍ୟ ପ୍ରବେଶ କରି ସାରିଛି। ମାତ୍ର ସୋମବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଦେଶବାସୀଙ୍କୁ ଭୟଭୀତ ନହେବାକୁ ଅପିଲ କରିଛନ୍ତି। ଏହା ସହିତ ସତର୍କ ରହିବାକୁ ଲୋକଙ୍କୁ ଅପିଲ କରିଛନ୍ତି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) ଭିଡିଓ ବୁଲେଟିନ୍ ଜାରି କରି କରୋନା ଭୂତାଣୁର ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଉପାୟ ବିଷୟରେ ଲୋକଙ୍କୁ ଅବଗତ କରାଉଛି। ଏଥିରେ ସବୁଠୁ ବଡ ମହତ୍ଵପୂର୍ଣ୍ଣ କଥା ଯଦି ଦୁଇ ଜଣ ଲୋକ ପରସ୍ପର ମଧ୍ୟରେ ତିନି ଫୁଟ ଦୂରତା ରଖନ୍ତି ତେବେ ସେମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ହେବାର ବିପଦ କମ୍ ରହିଛି।
ଭାରତରେ ଜନସଂଖ୍ୟା ହିସାବରେ ଯେଉଁଭଳି ଭିଡ ଦେଖିବାକୁ ମିଳେ ତାକୁ ଦୃଷ୍ଟିରେ ରଖିଲେ ଲୋକେ ପରସ୍ପର ମଧ୍ୟରେ ତିନି ଫୁଟ ଦୂରତା ବଜାୟ ରଖିବା କାଠିକାର ପାଠ। ତଥାପି ଚେଷ୍ଟା କରାଯାଉଛି ଯେ, ଅଧିକାଂଶ ସମୟ ଲୋକେ ଯେମିତି ପରସ୍ପରଠୁ ତିନି ଫୁଟ ଦୂରରେ ରହି ପାରିବେ।
ଏହି ପରି ସାବଧାନ ରହି ଆପଣ କରୋନାରୁ ବଞ୍ଚି ପାରିବେ

- ୧ – WHOର ବିଶେଷଜ୍ଞଙ୍କ ଅନୁଯାୟୀ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସମୟ ସମୟରେ ହାତକୁ ସାବୁନରେ କିମ୍ବା ଜେଲରେ ଧୋଇବା ଉଚିତ୍। କାର୍ଯ୍ୟାଳୟରେ ସେନେଟାଇଜର ମଧ୍ୟ ପ୍ରୟୋଗ କରନ୍ତୁ।
- ୨- ଟିସୁ ପେପର ବ୍ୟବହାର କରିବା ପରେ ଏହାକୁ ନିଜ ପାଖରେ ରଖିବାକୁ ଦିଅନ୍ତୁ ନାହିଁ। ଟିସୁକୁ ତତ୍କାଳ ଡଷ୍ଟବିନରେ ପକାଇ ଦିଅନ୍ତୁ।
- ୩- ବାହାରୁ ଘରକୁ ଫେରିଲେ ତୁରନ୍ତ ଗୋଧୋଇ ଦିଅନ୍ତୁ ଏବଂ ସଫା ପୋଷାକ ପିନ୍ଧନ୍ତୁ।
- ୪- ଅନ୍ୟ ବ୍ୟକ୍ତିଙ୍କ କାଶ ଛିଙ୍କରୁ ନିଜକୁ ରକ୍ଷା କରନ୍ତୁ।
- ୫- ନିଜେ ଛିଙ୍କିବା କିମ୍ବା କାଶ ସମୟରେ ନିଜ ମୁହଁକୁ ଢାକନ୍ତୁ।
- ୬- ଟିକେ ଦେହ ଖରାପ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ।
- ୭- କାଶ ଓ ଜ୍ଵର ହେଲେ କଦାପି ହେଳା ନକରି ତତ୍କାଳ ଡାକ୍ତରଙ୍କୁ ଭେଟନ୍ତୁ।
- ୮- କାଶ, ଥଣ୍ଡା ଓ ଜ୍ଵର ହେଉଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଜମାରୁ ଆସନ୍ତୁ ନାହିଁ।
- ୯- ସାର୍ବଜନୀନ ସ୍ଥାନରେ ଛେପ ପକାଇବା ଓ ମଳତ୍ୟାଗ କଦାପି କରନ୍ତୁ ନାହିଁ।
- ୧୦- ଅତି ଜରୁରୀ ନହେଲେ ଜନବହୁଳ ସ୍ଥାନକୁ ଯାଆନ୍ତୁ ନାହିଁ।
- ୧୧- ସମ୍ଭବତଃ ଜୀବ ଜନ୍ତୁଙ୍କଠୁ ଦୂରେଇ ରୁହନ୍ତୁ।
- ୧୨- ଦର ସିଝା ମାଂସ, ମାଛ ଜମାରୁ ଖାଆନ୍ତୁ ନାହିଁ।
- ୧୩- ମାଂସ, ମାଛ ବଜାରକୁ ଯିବା କଥା ଭାବନ୍ତୁ ନାହିଁ।
କରୋନା ଭୂତାଣୁରୁ ବଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଭିଡ ଅଞ୍ଚଳରେ ଲୋକଙ୍କ ସହିତ ମିଶନ୍ତୁ ନାହିଁ। ନିଜର ନାକ, ଆଖି, ମୁହଁରେ ହାତ ନଦେବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ।