କାଳିଆ ଯୋଜନାର ଫର୍ମ ସଂଗ୍ରହ ଓ ଆବେଦନ ତାରିଖ ଜାନୁଆରୀ ୧୫ଯାଏଁ ବଢାଇଲେ ମୁଖ୍ୟମନ୍ତ୍ରୀ
9/01/2019 at 6:35 PM

ଭୁବନେଶ୍ବରୀ ୯|୧: କାଳିଆ ଯୋଜନା ପାଇଁ ଫର୍ମ ମିଳିବା ଏବଂ ଆବେଦନ କରିବାର ତାରିଖକୁ ବଢାଇଛନ୍ତି ରାଜ୍ୟ ସରକାର । ଫର୍ମ ମିଳିବା ତାରିଖ ଜାନୁଆରୀ ୧୦ତାରିଖ ପର୍ଯ୍ୟନ୍ତ ବୋଲି ନିର୍ଦ୍ଧାରଣ ହୋଇଥିଲା । ତେବେ ଏହି ଯୋଜନାର ଅଗ୍ରଗତି ସଂପର୍କରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ଫର୍ମ ସଂଗ୍ରହ କରିବାର ତାରିଖ ୧୫ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ସେହିଭଳି ଦ୍ବିତୀୟ ପର୍ଯ୍ୟାୟ ଫର୍ମ ଜାନୁଆରୀ ୨୫ତାରିଖରୁ ମିଳିବ ବୋଲି ପୂର୍ବରୁ ଘୋଷଣା ହୋଇଛି । କିନ୍ତୁ ଆବଶ୍ୟକ ହେଲେ ପୁଣି ୩ୟ ପର୍ଯ୍ୟାୟ ଆବେଦନ ପାଇଁ ସମୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ କାଳିଆ ଯୋଜନାରେ ଆବେଦନ ପାଇଁ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରୁ ଆଘଟଣ ଖବର ହସ୍ତଗତ ହେବାରେ ଲାଗିଛି । ଫର୍ମ ସଂଗ୍ରହଠୁ ଆରମ୍ଭ କରି ଆବେଦନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପ୍ରବଳ ଭିଡ ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି ଯେ, ଯୋଜନାରେ ସମସ୍ତ ଚାଷୀଙ୍କୁ ନିଶ୍ଚିତ ଅନ୍ତର୍ଭୁକ୍ତ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଚାଷୀଙ୍କ ମହଲରେ ଆନନ୍ଦ ଦେଖିବାକୁ ମିଳିଛି ।