ଚୀନକୁ ବଡ ଝଟକା, ଭାରତରେ iPhone 11ର ଉତ୍ପାଦନ ଆରମ୍ଭ
24/07/2020 at 7:56 PM

ନୂଆଦିଲ୍ଲୀ ୨୪।୦୭: ଚୀନକୁ ଲାଗିଛି ବଡ ଝଟକା। ଆପଲ୍ ଚେନ୍ନାଇ ନିକଟରେ ସ୍ଥିତ ଫକ୍ସକନ ପ୍ଲାଣ୍ଟରେ ନିଜର ଫ୍ଲାଗସିପ୍ ଫୋନ୍ ଆଇଫୋନ ୧୧ ତିଆରି କରିବା ଆରମ୍ଭ କରି ଦେଇଛି। ଆପଲ ପ୍ରଥମ ଥର ଭାରତରେ ଟପ୍ ଅଫ ଦ ଲାଇନ୍ ମୋଡେଲ୍ ପ୍ରସ୍ତୁତ କରିଛି। କେନ୍ଦ୍ର ସରକାରଙ୍କ ମେକ୍ ଇନ ଇଣ୍ଡିଆ ଅଭିଯାନରେ ଏହା ବଡ ସଫଳତା। ପର୍ଯ୍ୟାୟକ୍ରମେ ଫୋନର ଉତ୍ପାଦନ ବୃଦ୍ଧି କରାଯିବ। ଏହା ବ୍ୟତୀତ ଚୀନ୍ ଉପରେ ନିଜର ନିର୍ଭରତା ବଢାଇବା ପାଇଁ ଆପଲ ଭାରତରେ ନିର୍ମିତ iPhone 11ର ରପ୍ତାନୀ ଉପରେ ବିଚାର କରୁଛି। ଇଣ୍ଡଷ୍ଟ୍ରୀର ଦୁଇ ଜଣ ବରିଷ୍ଠ ପରିଚାଳକ ଏହା କହିଛନ୍ତି।
ଭାରତରେ ହ୍ରାସ ହୋଇପାରେ ଆଇଫୋନ୍ର ଦାମ୍
ଆପଲ୍ ବର୍ତ୍ତମାନ ଦରରେ କୌଣସି ହ୍ରାସ କରି ନାହିଁ। କାରଣ କମ୍ପାନୀ ଚୀନରେ ନିର୍ମିତ ଆଇଫୋନ୍ ୧୧ ଫୋନ୍କୁ ବର୍ତ୍ତମାନ ଭାରତରେ ବିକ୍ରି କରୁଛି। ମାତ୍ର ଇଣ୍ଡଷ୍ଟ୍ରୀର ପରିଚାଳକଙ୍କ କହିବାନୁଯାୟୀ ଭାରତରେ ଏହାର ଉତ୍ପାଦନ ବଢିଲେ ଦେଶରେ ମୋବାଇଲ୍ର ଦାମ କମିଯିବ। ଆପଲ୍ ବେଙ୍ଗାଲୁରୁ ନିକଟସ୍ଥ ଓ୍ଵିଷ୍ଟ୍ରନ ପ୍ଲାଣ୍ଟରେ ନୂତନ iPhone S ନିର୍ମାଣ କରିବା ଉପରେ ବିଚାର କରୁଛି।
ଇକୋନୋମିକ୍ସ ଟାଇମ୍ସ ଅନୁଯାୟୀ ଆପଲ ଭାରତରେ ନିଜର ପ୍ରଥମ ମାନୁଫାକଚରିଂ ବଢାଇବାକୁ ଚାହୁଁଛି। ଆପଲ୍ ଅନ୍ୟ ଏକ କଣ୍ଟ୍ରାକ୍ଟ ମେନୁଫକଚର୍ସ ପେଗାଟ୍ରନ ନିକଟରେ ଭାରତରେ ଏକ ସବ୍ସିଡିଆରି ରେଜିଷ୍ଟର୍ଡ କରିଛି। ଆପଲ୍ ଗତ ବର୍ଷ ସେପ୍ଟେମ୍ବରରେ ଯେଉଁ ତିନୋଟି ମୋଡେଲ୍ ବଜାରକୁ ଛାଡିଥିଲା, ସେଥିରୁ ଭାରତରେ ଆଇଫୋନ ୧୧ର ବିକ୍ରି ସବୁଠୁ ଅଧିକ ଥିଲା। ଆପଲ୍ ଭାରତରେ ନିଜର ଆଉ ଦୁଇଟି ହ୍ୟାଣ୍ଡସାଟ୍ ମୋଡେଲ୍ ତିଆରି କରୁଛି। iPhone XRକୁ ଫକ୍ସକନ ପ୍ଲାଣ୍ଟରେ ଏବଂ ଆଇଫୋନ୍ ୭କୁ ଓ୍ଵିଷ୍ଟ୍ରନ ଫ୍ୟାକ୍ଟ୍ରିରେ ତିଆରି କରାଯାଏ।