Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

କୋଭିଡ୍ ଗାଇଡଲାଇନ୍ସ ଉଲଙ୍ଘନ ରାଜନୀତି ସରଗରମ : ଭୁବନେଶ୍ୱର ସାଂସଦଙ୍କ ପାଲଟା ଜବାବ ପରେ ତୁ ତୁ ମେଁ ମେଁ…

10/10/2020 at 9:09 PM

ଭୁବନେଶ୍ୱର,୧୦|୧୦:  ଖୁଲମ୍‌ ଖୁଲ୍ଲା କୋଭିଡ୍‌ ନିୟମ ଭାଙ୍ଗୁଛନ୍ତି ନେତା । ହଲାପଟା ପରେ ପରସ୍ପରକୁ ଅଙ୍ଗୁଳି ନିର୍ଦେଶ କରିବାକୁ ପଛାଉନାହାନ୍ତି । ଏମିତିରେ ପୁରୀଠୁ ରାଜଧାନୀ ଯାଏଁ ଜୋର୍‌ ଧରିଛି ରାଜନୀତି । ଜନ୍ମଦିନରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍‌ ନିୟମ ଉଲଂଘନ କରିବା ଅଭିଯୋଗରେ ସାଂସଦଙ୍କ ଅଫିସ ସିଲ୍‌ କରିଛି ବିଏମସି । ଯାହାକୁ ନେଇ ଗର୍ଜିଛନ୍ତି ଅପରାଜିତା । ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇ ଶାସକ ଦଳକୁ ଟାର୍ଗେଟ୍‌ କରିଛନ୍ତି । ଯାହାର ଜବାବ୍‌ ରଖିଛି ବିଜେଡି । ସେପଟେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ମିଟିଂରେ କୋଭିଡ୍‌ ନିୟମ ଉଲଂଘନ ଦୃଶ୍ୟ ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦଳୀୟ ନେତା ।

କୋଭିଡ ନିୟମ ଉଲ୍ଲଘଂନ ନେଇ ବିଜେଡି-ବିଜେପି ମୁହାଁ ମୁହିଁ । ଗୋଟିଏ ପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ସିଲ୍‌ ହୋଇଥିବା ବେଳେ, ବିଜେଡ଼ି ଅଫିସ କେବେ ସିଲ୍ ହେବ ବୋଲି ରାସ୍ତା ଉପରେ ପ୍ରେସମିଟ୍‌ କରି ପ୍ରଶ୍ନ କରିଛନ୍ତି ଅପରାଜିତା । କୋଭିଡ଼ ନିୟମ ଉଲଘଂନ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟନୁଷ୍ଠାନ ପାତରଅନ୍ତର ନକରିବାକୁ ସେ ଦାବି କରିଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳିବା ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ଼ ନିୟମ ଉଲଘଂନ କରିଥିବା ଚିତ୍ର ସାମ୍ନାକୁ ଆସିବା ପରେ ସାଂସଦଙ୍କ ଭୁବନେଶ୍ବର ପଳାସପଲ୍ଲୀରେ ଥିବା ଅଫିସକୁ ସିଲ୍ କରିଛି ବିଏମସି। ଏହାର ପ୍ରତିବାଦ ସ୍ବରୁପ ପ୍ରେସମିଟ୍‌ରେ ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇ ଶାସକ ଦଳକୁ ଟାର୍ଗେଟ୍‌ କରିଛନ୍ତି ଅପରାଜିତା ।  କହିଛନ୍ତି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ଯାତ୍ରା ବେଳେ ବିଜେଡି କାର୍ଯ୍ୟାଳୟରେ ଶହ ଶହ ଲୋକ କୋଭିଡ୍‌ ନିୟମ ଉଲଂଘନ କରିଥିଲେ । ତେଣୁ ବିଜେଡି ପାର୍ଟି ଅଫିସ କେବେ ସିଲ୍‌ ହେବ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ସେହିଭଳି ପୁରୀ ସ୍ବର୍ଗଦ୍ବାରରେ ମହାରଥୀଙ୍କ ଅନ୍ତେଷ୍ଟିକ୍ରିୟା ବେଳେ ଶାସକ ଦଳର ମନ୍ତ୍ରୀ, ବିଧାୟକ କୋଭିଡ୍‌ ନିୟମ ଉଲଂଘନ କରିଥିବା ଅଭିଯୋଗ କରିଛନ୍ତି । ସମସ୍ତଙ୍କ ପାଇଁ ଆଇନ୍‌ ସମାନ ହେବା ଦରକାର ବୋଲି କହିଛନ୍ତି ଅପରାଜିତା । ଯାହାର ଜବାବ୍‌ରେ ବିଜେଡି କହିଛି ବିଏମସି ସାଂସଦଙ୍କ ଅଫିସ ସିଲ୍‌ କରିଛି ଏଥିରେ ବିଜେଡିର କିଛି କହିବାର ନାହିଁ  ।

ଭୁବନେଶ୍ବର ସାଂସଦ କୋଭିଡ୍‌ ନିୟମ ଉଲଂଘନ କରିଥିବା ନେଇ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଫେରାଦ୍‌ ହୋଇଥିଲେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର । ଆଜି ଅପରାଜିତାଙ୍କ ନାଁରେ ଭୁବନେଶ୍ବର ଡିସିପି ଅଫିସରେ ଅଭିଯୋଗ କରିଛନ୍ତି ଅନେକ କୋଭିଡ଼ ଯୋଦ୍ଧା। ସାଂସଦଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।  ସେପଟେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କୋଭିଡ଼ ଆକ୍ରାନ୍ତ ହୋଇ ମଧ୍ୟ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇଥିବାରୁ ତାଙ୍କ ନାଁରେ ଅଭିଯୋଗ ପରେ ଗତକାଲି ଏପିଡେମିକ୍‌ ଆକ୍ଟରେ ମାମଲା ରୁଜୁ କରିଥିଲା ପୋଲିସ । ଆଉ ଆଜି ସାମ୍ନାକୁ ଆସି ନିଜ ଭୁଲ୍‌ ପାଇଁ କ୍ଷମା ପ୍ରାର୍ଥନା ସହ ଆଇନ୍‌ ଅନୁସାରେ ଦଣ୍ଡ ବିଧାନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ବିଧାୟକ ।

ଏହାରି ଭିତରେ କଂଗ୍ରେସ ଅଫିସରେ ମଧ୍ୟ ଦଳ ପ୍ରଭାରୀ ଚେଲ୍ଲାକୁମାରଙ୍କ ମିଟିଂରେ କୋଭିଡ୍‌ ନିୟମ ଉଲଂଘନର ଚିତ୍ର ସାମ୍ନାକୁ ଆସିଛି ।ଏନେଇ ପ୍ରଶ୍ନ ଉଠିବା ପରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ଦଳୀୟ ନେତା । ତେବେ ନେତାଙ୍କ ଆଚରଣକୁ ଲୋକମାନେ ଅନୁକରଣ କରନ୍ତି ,ତେଣୁ କେହି ଆଇନର ଉର୍ଦ୍ଧ୍ବରେ ନୁହନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ୍ ହରିଚନ୍ଦନ । ସେହିଭଳି କୋଭିଡ଼ ନିୟମ ଉଲଘଂନ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ନାଁରେ ଭୁବନେଶ୍ବର ଖାରବେଳନଗର ଥାନାରେ ଏତଲା ଦେଇଛି ପୁରୀର ଜଗନ୍ନାଥ ସେନା ।

   Related Posts