Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅପରାଧୀଙ୍କ କବ୍‌ଜାରେ ଟ୍ୱିନ୍‌ସିଟି, ୭ ବର୍ଷରେ ଗଡ଼ିଲାଣି ୪୫୦ମୁଣ୍ଡ

25/08/2020 at 12:43 PM

ଭୁବନେଶ୍ୱର ୨୫।୦୮: ଅପରାଧୀଙ୍କ କବ୍‌ଜାରେ କମିଶନରେଟ୍‌ ପୁଲିସ୍‌ ଅଞ୍ଚଳ। ଟ୍ୱିନ୍‌ସିଟିରେ ଅସୁରକ୍ଷିତ ହୋଇପଡିଛି ଧନଜୀବନ। ବଢ଼ିଚାଲିଛି ଲୁଟ୍‌ ଆଉ ହତ୍ୟା। ଦୁଷ୍କର୍ମ, ସିନ୍ଧି ଚୋରି, ଡକାୟତି ମାମଲା ବି କମ୍‌ ନୁହେଁ। କମିଶନରେଟ୍‌ ପୁଲିସ୍‌ର ୭ ବର୍ଷର ରିପୋର୍ଟ କହୁଛି କଟକ ଓ ଭୁବନେଶ୍ୱରରେ ଏହି ସମୟ ଭିତରେ ୪୫୦ଟି ହତ୍ୟାକାଣ୍ଡ ଘଟିଛି।

ସେଥିରୁ ୬୫ ପ୍ରତିଶତ ମାମଲାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ଓ ପ୍ରମାଣ ଯୋଗାଡ଼ କରିବାରେ ଫେଲ୍‌ ମାରିଛି। ଫଳରେ ଅପରାଧୀମାନେ ଆଇନ କବଜାରୁ ନିର୍ଦ୍ଦୋଷରେ ଖସି ଯାଉଛନ୍ତି । ଏହି ୪୫୦ଟି ହତ୍ୟାକାଣ୍ଡ ମଧ୍ୟରେ ଭାଇଗିରି ଓ ପତିଆରା ଦେଖାଇବା ପାଇଁ ଯାଇଛି ୮୦ଟି ମୁଣ୍ଡ । ନିଶା ବେପାରରେ ୨୦ ଓ ପ୍ରତିଶୋଧପାଇଁ ୬୬ଟି ଜୀବନ ଯାଇଛି। ବାକି ହତ୍ୟାକାଣ୍ଡ ପାରିବାରିକ କଳହ ଓ ଜମିବାଡ଼ିକୁ କେନ୍ଦ୍ର କରି ଘଟିଛି। ହତ୍ୟାକାଣ୍ଡ ଘଟିଲା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରୁଛି। ହେଲେ କୋର୍ଟରେ ତାରିଖ ପଡ଼ିବା ବେଳକୁ କେହି ସାକ୍ଷୀ ଆସୁନାହାନ୍ତି। କିଛି ସାକ୍ଷୀ ଅପରାଧୀଙ୍କ ଭୟରେ କୋର୍ଟକୁ ଯିବାକୁ ମନା କରନ୍ତିି । ଫଳରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇ ଯାଉଛନ୍ତି । ତା’ଛଡା ଅନେକ ହତ୍ୟାକାଣ୍ଡରେ ପୁଲିସ୍‌ ଠିକ୍‌ ସମୟରେ ଚାର୍ଜସିଟ୍‌ ଦେଇ ପାରିନି।

୨୦୧୩ରେ ଟୁଇନ୍‌ ସିଟିରେ ୯୧ ଟି ହତ୍ୟାକାଣ୍ଡ ଘଟିଥିଲା । ଭୁବନେଶ୍ୱର ୟୁପିଡିରେ ୪୮ ଟି ଓ କଟକ ୟୁପିଡିରେ ୩୩ ଟି ହତ୍ୟାକାଣ୍ଡ ହୋଇଥିଲା। ୨୦୧୪ରେ ଭୁବନେଶ୍ୱରରେ ୪୨ ଟି କଟକରେ ୩୪ ହତ୍ୟାକାଣ୍ଡ । ୨୦୧୫ ମସିହାରେ ଟୁଇନ୍‌ ସିଟିରେ ୬୩ଟି ହତ୍ୟା ହୋଇଥିଲା। ଏଥିମଧ୍ୟରୁ ୪୩ ଟି ଭୁବନେଶ୍ୱରରେ ହୋଇଥିବା ବେଳେ କଟକରେ ମାତ୍ର ୨୦ ଟି ଘଟଣା ଘଟିଥିଲା। ୨୦୧୬ରେ ଭୁବନେଶ୍ୱରରେ ୪୪ ଓ କଟକରେ ୨୯ । ୨୦୧୭ରେ ଭୁବନେଶ୍ୱରରେ ୨୪ କଟକରେ ୧୯ଟି ହତ୍ୟାକାଣ୍ଡ ଘଟିଥିଲା। ୨୦୧୮ରେ ଭୁବନେଶ୍ୱରରେ ୩୮ ଟି କଟକରେ ୨୩ ହତ୍ୟାକାଣ୍ଡ ଘଟିଥିଲା। ୨୦୧୯ରେ ଟୁଇନ୍‌ ସିଟିରେ ୫୩ ଟି ହତ୍ୟାକାଣ୍ଡ ଘଟିଥିଲା। ଭୁବନେଶ୍ୱରରେ ୪୨ ଓ କଟକରେ ୨୧ ଟି ହତ୍ୟାକାଣ୍ଡ ଘଟିଥିଲା। ଏବେ ବି ଅନେକ ହତ୍ୟା ମାମଲାରେ ପୁଲିସ୍‌କୁ ଚକମା ଦେଇ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ତ ଦୂର, ପୁଲିସ୍‌ ସେମାନଙ୍କ ବିଷୟରେ କିଛି ତଥ୍ୟ ପାଉନାହିଁ ।

ଏସ୍‌ସିଆରବିର ରିପୋର୍ଟ ମୁତାବକ, ୨୦୧୩-୨୦୧୯ରେ ରାଜ୍ୟରେ ୧୦ ହଜାର ୬୮୩ ଟି ହତ୍ୟାକାଣ୍ଡ ଘଟିଛି । ୨୦୧୫ରେ ସର୍ବାଧିକ ୧୫୪୮ ଟି ହତ୍ୟାକାଣ୍ଡ ଘଟିଥିଲା । ଏହି ସବୁ ହତ୍ୟାକାଣ୍ଡରୁ ମାତ୍ର ୧୧ ପ୍ରତିଶତ ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ହୋଇଛି । ଖାଲି ହତ୍ୟା ନୁହେଁ ୭ ବର୍ଷର ବଳାତ୍କାର ଘଟଣାରେ ପୁଲିସ୍‌ର ଅପାରଗତା ଜଳ ଜଳ ଦେଖାଯାଉଛି । ଏହି ୭ ବର୍ଷ ମଧ୍ୟରେ ରାଜ୍ୟରେ ୯ ହଜାର ୫୯୧ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲେ । ଏଥିରେ ଏପର୍ଯ୍ୟନ୍ତ ୧୦ ପ୍ରତିଶତରୁ କମ୍‌ ଅଭିଯୁକ୍ତଙ୍କୁ ଜେଲ୍‌ ଦେଣ୍ଡ ହୋଇଛି । ୨୦୧୭ରେ ସର୍ବାଧିକ ୨୪୦୭ ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ୨୦୧୯ରେ ରାଜ୍ୟରେ ବଳାତ୍କାର ଘଟଣା ସାମାନ୍ୟ ହ୍ରାସ ପାଇଛି ।

   Related Posts