ୟୁପିଏସସିରେ ଡକ୍ଟର ଆପାଲାଙ୍କ ରେକର୍ଡ : ଇଣ୍ଟରଭ୍ୟୁ ରାଉଣ୍ଡରେ ଆଗରୁ କେହି ରଖିନଥିଲେ ୨୧୫ ମାର୍କ, ଗାଜିଆବାଦର ଝିଅ ରେକର୍ଡ ସହ ସାରା ଦେଶରେ ନବମ

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ, ୩୦।୦୯ :  ଉତ୍ତର ପ୍ରଦେଶ ଗାଜିଆବାଦର ଡାକ୍ତରାଣୀ ଆପାଲା ମିଶ୍ର ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ନବମ ରାଙ୍କ୍ ହାସଲ କରିଛନ୍ତି । ଦୃଢ ଆତ୍ମବିଶ୍ୱାସ ଥିଲେ କିପରି ସଫଳତା ହାସଲ କରିହୁଏ ତାହା ଆପାଲା ପ୍ରମାଣ କରି ଦେଖାଇଛନ୍ତି । ଏହାସହ ସେ ଏକ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି. ।

ମଙ୍ଗଳବାର ୟୁପିଏସସି ପରୀକ୍ଷାର ମାର୍କ ପ୍ରକାଶ ପାଇଛି । ତେବେ ଆପାଲା  ସାକ୍ଷାତକାର ରାଉଣ୍ଡରେ ସର୍ବାଧିକ ମାର୍କ ରଖିଥିବା ଜଣାପଡିଛି । ପୂର୍ବରୁ ସାକ୍ଷାତାକାରରେ ସର୍ବାଧିକ ମାର୍କ ଥିଲା ୨୧୨ । ଯାହା ଏବେ ଭାଙ୍ଗିଛି । ଆପଲା ଏହି ରେକର୍ଡ ଭାଙ୍ଗିବା ସହ ୨୧୫ ମାର୍କ ସ୍କୋର କରିଛନ୍ତି । ଏହାସହ ନୂଆ ମାଇଲ ଖୁଣ୍ଟ ହାସଲ କରିଛନ୍ତି ।

ଆପାଲା କହିଛନ୍ତି ଯେ, ସାକ୍ଷାତକାର ପ୍ରାୟ ୪୦ ମିନିଟ ଥିଲା । ସେ ପ୍ରାୟ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ । ପ୍ରଥମେ ସେ ଅଳ୍ପ ନର୍ଭସ ବା ବ୍ୟସ୍ତ ଥିଲେ । କିନ୍ତୁ ଯେହେତୁ ତାଙ୍କର ଦୃଢ ଆତ୍ମବିଶ୍ୱାସ ଥିଲା, ସେ ସାକ୍ଷାତକାରର ସାମ୍ନା କରିଥିଲେ । ସେ ଆହୁରି କହିଛନ୍ତି ଯେ, ସାକ୍ଷାତକାର ପ୍ରକ୍ରିୟା ସବୁଠୁ ଜରୁରୀ । ଏଥିରେ ଆଶାୟୀଙ୍କ ବ୍ୟକ୍ତିତ୍ୱ ପରୀକ୍ଷା କରାଯାଏ ।

ସେ ଆହୁରି କହିଛନ୍ତି ଯେ. ତାଙ୍କ ପିତା ସେନାବାହିନୀରେ କାର୍ଯ୍ୟ କରୁଥିଲେ । ୟୁପିଏସସି ପରୀକ୍ଷାରେ କିପରି ସଫଳତା ଲାଭ କରିହେବ ସେନେଇ ସେ ଟିପ୍ସ ଦେଇଛନ୍ତି । ସେ କହିଛନ୍ତି ଯେ, ଅଭ୍ୟାସ ଉପରେ ସମସ୍ତେ ଗୁରୁତ୍ୱ ଦିଅନ୍ତୁ । ନିଜ ଉପରେ ବିଶ୍ୱାସ ରଖିବା ବହୁତ ଜରୁରୀ ଅଟେ । ପରୀକ୍ଷା ଦେବା ସମୟରେ ସେ ନିଜ ମାଆଙ୍କଠୁ ଅନେକ ପରାମର୍ଶ ନେଉଥିଲେ । ତାଙ୍କ ମାଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି । ପରୀକ୍ଷା ପୂର୍ବରୁ ଦୈନିକ ସେ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ । ଏହାସହ ୩୦ରୁ ୪୦ ମିନିଟ ଟେବୁଲ ଟେନିସ ଖେଳୁଥିଲେ । ତେବେ ସେ ଦ୍ୱିତୀୟ ଥର ବିଫଳ ହେବା ପରେ ତୃତୀୟ ପ୍ରୟାସରେ ୟୁପିଏସସିରେ କୃତକାର୍ଯ୍ୟ ହୋଇଥିବାରୁ ଖୁସି ଲାଗୁଥିବା କହିଛନ୍ତି ।  

ସୂଚନାଯୋଗ୍ୟ, ଆପାଲାଙ୍କ ପିତା ଅମିତାଭ ମିଶ୍ର ଭାରତୀୟ ସେନା ବାହିନୀରେ କାର୍ଯ୍ୟ କରନ୍ତି । ତାଙ୍କ ଭାଇ ଅରିକ ଜଣେ ମେଜର ।  ସେହିପରି ତାଙ୍କ ମାଆ ଆଲପାନା ମିଶ୍ର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଭାବେ କାର୍ଯ୍ୟରତ୍ତ । ଆପାଲା ଡେରାଡୁନରେ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଦିଲ୍ଲୀରେ ଏକାଦଶ ଓ ଦ୍ୱାଦଶ ପଢିଥିଲେ । ଏହାପରେ ସେ ବିଡିଏସ ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏହାସହ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.