‘ଦୋଷୀଙ୍କୁ ଚାରି ଥର ହତ୍ୟା କରି ସାରିଲଣି, ଆଉ କେତେ ଥର ଫାଶୀ ଦେବେ, ସେମାନେ ଆତଙ୍କବାଦୀ ନୁହନ୍ତି’: ଦୋଷୀଙ୍କ ଓକିଲ ଏପି ସିଂହ
5/03/2020 at 4:02 PM

ନୂଆଦିଲ୍ଲୀ ୦୫।୦୩- ନିର୍ଭୟା ମାମଲାରେ ପଟିଆଲା ହାଉସ୍ କୋର୍ଟ ଚତୁର୍ଥ ଥର ମୃତ୍ୟୁ ପରଓ୍ଵାନା ଜାରି କରିଛନ୍ତି। କୋର୍ଟ ଚାରି ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ ମିନିଟରେ ଫାଶୀ ଦେବାକୁ ଆଦେଶ ଦେଇଛନ୍ତି। କୁହାଯାଉଛି ଯେ, ଏବେ ଏହା ଶେଷ ତାରିଖ, ମାତ୍ର ଦୋଷୀଙ୍କ ଓକିଲ ଏପି ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ତାଙ୍କ ପାଖରେ ଏବେ ମଧ୍ୟ ଆଇନଗତ ବିକଳ୍ପ ବାକି ରହିଛି। ଅନେକ ଥର ଫାଶୀକୁ ଘୁଞ୍ଚାଇ ସାରିଥିବା ଓକିଲ ଏପି ସିଂହ କହିଛନ୍ତି ଯେ, ଦୋଷୀଙ୍କୁ ବାରମ୍ବାର ଫାଶୀ ସଜା ଶୁଣାଯାଉଛି, ଯାହା ନ୍ୟାୟିକ ହତ୍ୟା ଅଟେ। ତାଙ୍କର ମହକିଲଙ୍କୁ ଚାରି ଥର ହତ୍ୟା କରାଗଲାଣି, ଆଉ କେତେ ଥର ହତ୍ୟା କରିବେ। ସେମାନେ ଆତଙ୍କବାଦୀ ନୁହନ୍ତି।
ଡେଥ୍ ଓ୍ଵାରେଣ୍ଟ ଜାରି ହେବା ପରେ କୋର୍ଟ ବାହାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଏପି ସିଂହ ନିଜର ଧୈର୍ଯ୍ୟ ହରାଇ ବସିଥିଲେ। ସେ କହିଛନ୍ତି ଯେ, ଆଜି ଚତୁର୍ଥ ଥର ମୃତ୍ୟୁ ପରଓ୍ଵାନା ଜାରି ହୋଇଛି। ଆପଣ ପୂର୍ବରୁ ତିନି ଥର ଦୋଷୀଙ୍କୁ ଫାଶୀ ଦେଇ ସାରିଲେଣି ଏବଂ ଏବେ ଆଉ କେତେ ଥର ଫାଶୀ ଦେବେ ? ଗଣମାଧ୍ୟମ ଚାପରେ ସମ୍ବିଧାନ ଅଢୁଆଳରେ ରହି ଆଉ କେତେ ଥର ଫାଶୀ ଦେବେ ? ନିର୍ଭୟା ଦୋଷୀ ଆତଙ୍କବାଦୀ ନୁହନ୍ତି, ସେମାନେ ପଢାଲେଖା ପିଲା ଅଟନ୍ତି। ସେମାନେ ଜେଲରେ ସୁଧୁରଛନ୍ତି ଏବଂ ନିଜକୁ ପରିବର୍ତ୍ତନ କରାଉଛନ୍ତି। ଆପଣଙ୍କ ଚିତ୍କାର ଦର୍ଶାଉଛି ଯେ, କୋର୍ଟ ଉପରେ କେତେ ଚାପ ରହିଛି।
ଏବେ ମଧ୍ୟ ବିକଳ୍ପ ବାକି ରହିଛି
ଏପି ସିଂହ କହିଛନ୍ତି ଯେ, ଅକ୍ଷୟର ଆଇନଗତ ବିକଳ୍ପ ଏବେ ମଧ୍ୟ ବାକି ରହିଛି। ଅକ୍ଷୟର ମର୍ସି ପିଟିସନ ଜେଲ୍ ପ୍ରଶାସନ ଗ୍ରହଣ କରିଛି। ଆଜି ହିଁ ସୁପ୍ରିମକୋର୍ଟରେ ଆଉ ଏକ ଶୁଣାଣି ହେବା ବାକି ରହିଛି। କେନ୍ଦ୍ର ସରକାର ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ ଆବେଦନ କରିଥିଲେ।
ଏପି ସିଂହ କହିଛନ୍ତି, ମର୍ସି ପିଟିସନର ଧାରା ୭୨ର ଅଧିକାରକୁ ସମାପ୍ତ କରାଯାଉଛି। କେତେ ଥର ଆଉ ସେମାନଙ୍କୁ ହତ୍ୟା କରିବେ। ଆପଣ ସେମାନଙ୍କର ନ୍ୟାୟିକ ହତ୍ୟା କରୁଛନ୍ତି। ସିଆରପିସି କହୁଛି ଯେ, ଆପଣ ଥରୁଟେରୁ ଅଧିକ ଫାଶୀ ଦେଇ ପାରିବେ ନାହିଁ। ଏମିତି ନ୍ୟାୟିକ ହତ୍ୟା କରନ୍ତୁ ନାହିଁ। ନିର୍ଭୟା ପରିବାର ପକ୍ଷରୁ ଆଉ କେତେ ଦଣ୍ଡ ଦେବାକୁ ଚାହୁଁଛନ୍ତି ?
ଏପି ସିଂହ କୋର୍ଟ ଉପରେ ମଧ୍ୟ ଗମ୍ଭୀର ଆରୋପ ଲଗାଇଛନ୍ତି। ସେ କହିଛନ୍ତି କୋର୍ଟ ପକ୍ଷରୁ ମୋତେ କୁହାଯାଉଛି ଯେ, ଆପଣ ନିଆଁ ସହିତ ଖେଳୁଛନ୍ତି। ଆପଣଙ୍କ ପାଇଁ ପରିଣାମ କିଛି ଠିକ୍ ହେବ ନାହିଁ। ଏହାର ଅର୍ଥ ମୋତେ ଭୟଭୀତ କରାଯାଉଛି। ମୋତେ ଧମକ ଦିଆଯାଉଛି। ମୋର ଶୋଷଣ କରାଯାଉଛି। ଏହାର ଅର୍ଥ ଆଇନଗତ ବିକଳ୍ପର ବ୍ୟବହାର କରିବା ଭୁଲ।