ଆତ୍ମହତ୍ୟା ପାଇଁ ଅନ୍ୱୟ ନାଇକଙ୍କୁ ଉସୁକାଇ ନଥିଲେ ଅର୍ଣ୍ଣବ: କ୍ଲୋଜର ରିପୋର୍ଟରେ ହୋଇଥିଲା ଖୁଲାସା

Published By : Prameya-News7 Bureau | November 09, 2020 IST

ମୁମ୍ବାଇ ୦୯/୧୧ : ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଦୁଇ ବର୍ଷ ପୂର୍ବରୁ ଅନ୍ୱୟ ନାଇକ ଓ ତାଙ୍କ ମା'ଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ଗିରଫ କରାଯାଇଛି। ଏହି ମାମଲାରେ ନିକଟରେ ଏକ କ୍ଲୋଜର ରିପୋର୍ଟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।

ଏକ ଗଣମାଧ୍ୟମ ସୂତ୍ର ଅନୁଯାୟୀ, ୨୦୧୯ ମସିହାରେ ସୁରେଶ ବରଡେ ଯେଉଁ କ୍ଲୋଜର ରିପୋର୍ଟ ପେଶ କରିଥିଲେ ସେହି ରିପୋର୍ଟ ଅନୁସାରେ ଏହି ମାମଲାରେ ଅନ୍ୱୟ ନାଇକଙ୍କୁ କୌଣସି ପ୍ରକାରେ ଆତ୍ମହତ୍ୟା ପାଇଁ ଉସୁକା ଯାଇନଥିଲା। ଏହାର କୌଣସି ପ୍ରମାଣ ମଧ୍ୟ ମିଳିନଥିଲା। ରିପୋର୍ଟରେ କୁହାଯାଇଛି ଯେ ପ୍ରଥମେ ଅନ୍ୱୟ ନାଇକ ନିଜ ମା'ଙ୍କ ତଣ୍ଟି ଚିପି ଥିଲେ ଓ ପରେ ନିଜେ ଆତ୍ମହତ୍ୟା କରିଥିଲେ। ୬-୭ ବର୍ଷ ଧରି ଆର୍ଥିକ ସଙ୍କଟ ଦେଇ ଗତି କରିଥିବାରୁ ସେ ଆତ୍ମହତ୍ୟା କରିଥିଲେ।

ଅନ୍ୱୟ ନାଇକ ନିଜ ସୁଇସାଇଡ ନୋଟରେ ଲେଖିଥିଲେ ଯେ ଅର୍ଣ୍ଣବ ଗୋସ୍ୱାମୀ ଓ ଫିରୋଜ ଶେଖ ଏବଂ ସ୍ମାର୍ଟୱାର୍କର ନୀତେଶ ସାରଦାଙ୍କ ଉପରେ ତାଙ୍କର ୫.୪ କୋଟି ଟଙ୍କା ବାକି ଥିଲା। ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଛନ୍ତି। ସୁଇସାଇଡ ନୋଟ ଆଧାରରେ ଆଲିବାଗ ପୋଲିସ ତିନି ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ କ୍ଲୋଜର ରିପୋର୍ଟ ଆଧାରରେ ପୋଲିସ ମାଜିଷ୍ଟ୍ରେଟ କୋର୍ଟରେ ୨୫ ପୃଷ୍ଠା ବିଶିଷ୍ଟ ଯାଞ୍ଚ ରିପୋର୍ଟ ହସ୍ତାନ୍ତର କରିଥିଲା।

କ୍ଲୋଜର ରିପୋର୍ଟରେ କୁହାଯାଇଥିଲା ଯେ, ଯାଞ୍ଚ ବେଳେ ଯେତେବେଳେ ସମନ ଜାରି ହୋଇଥିଲା ସେତେବେଳେ ଅର୍ଣ୍ଣବ ଗୋସ୍ୱାମୀ, ଫିରୋଜ ଶେଖ ଓ ନୀତେଶ ସାରଦା ପୋଲିସ ଥାନା ଯାଇ ବୟାନ ରେକର୍ଡ କରାଇଥିଲେ। ଅର୍ଣ୍ଣବ ଗୋସ୍ୱାମୀ ମୁମ୍ବାଇରେ ନିଜର ବୟାନ ରେକର୍ଡ କରାଇଥିଲେ। କିନ୍ତୁ ଶେଖ ଓ ସାରଦା ଆଲିବାଗ ଥାନାରେ ପେଶ ହୋଇଥିଲେ। ଅର୍ଣ୍ଣବ ନିଜ ବୟାନରେ କହିଥିଲେ ଯେ କାର୍ଯ୍ୟାଳୟ ପରିସର କାମ ପୁରା ହୋଇନଥିଲା। ନ୍ୟୁଜ ରୁମରେ ମଧ୍ୟ ପାଣି ଲିକ ହେଉଥିଲା।

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ରବିବାର ଦିନ ଆଲିବାଗ ପୃଥକ ବାସ କେନ୍ଦ୍ରରୁ ମହାରାଷ୍ଟ୍ର ରାୟଗଡ ଜିଲ୍ଲା ତଲୋଜା ଜେଲକୁ ସ୍ଥାନାନ୍ତର କରାଯାଇଛି। ଈଂଟରିୟର ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ମାମଲାରେ ଗିରଫ କରାଯାଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆଲିବାଗ ଜେଲ କୋଭିଡ କେନ୍ଦ୍ରରେ ନ୍ୟାୟିକ ହାଜତରେ ଥିବାବେଳେ ଅର୍ଣ୍ଣବ ଫୋନ ବ୍ୟବହାର କରିଥିବା ନଜର ଆସିଥିଲେ। ଏହାପରେ ତାଙ୍କୁ ତଲୋଜାକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.