ଅନୁଷ୍କାଙ୍କ କମ୍ବ୍ୟାକ୍, ମହିଳା କ୍ରିକେଟରଙ୍କ ବାୟୋପିକ୍ରେ ଅଭିନୟ କରିବେ ଏହି ଅଭିନେତ୍ରୀ…
13/01/2020 at 10:13 AM

ମୁମ୍ବାଇ୧୩|୧: ବିବାହ ପରଠୁ ପରଦାରୁ ଏକ ପ୍ରକାର ଦୂରାଇ ଥିଲେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଫିଲ୍ମ ଜିରୋରେ ଅନୁଷ୍କାଙ୍କୁ ଶେଷ ଥର ପାଇଁ ଦେଖାଯାଇଥିଲା। ଏବେ ଅନେକ ଦିନର ବ୍ୟବଧାନ ପରେ ସ୍କ୍ରିନ୍କୁ ପୁଣି କମ୍ବ୍ୟାକ୍ କରିବେ ଅଭିନେତ୍ରୀ। ଏବେ ବଲିଉଡ୍ରେ ବାୟୋପିକ୍ ଟ୍ରେଣ୍ଡ ଚାଲିଛି କହିଲେ କିଛି ଭୁଲ ହେବ ନାହିଁ। ଭାଗ ମୀଲଖା ଭାଗ, ମେରୀ କମ, ମହେନ୍ଦ୍ର ସିଂ ଧୋନି ଭଳି ଏବେ ଜଣେ ମହିଳା କ୍ରିକେଟରଙ୍କ ବାୟୋପିକ ନିର୍ମାଣ ହେବ।

ମହିଳା କ୍ରିକେଟ ଟିମ୍ର ପୂର୍ବତନ କ୍ୟାପଟେନ ଝୁଲଣ ଗୋସ୍ୱାମୀଙ୍କ ଜୀବନ ଉପରେ ଏକ ଫିଲ୍ମ ତିଆରି ହେବାକୁ ଯାଉଛି। ସେହି ସମୟରେ ଭାରତୀୟ ମହିଳା କ୍ରିକେଟ ଟିମ୍ର ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଥିଲେ ଝୁଲଣ । ୨୦୧୭ ମସିହାରେ ଝୁଲଣଙ୍କୁ ଆଇଆଇସିସି ତରଫରୁ ‘ୱିମେନ୍ସ ପ୍ଲେୟାର ଅଫ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୧୮ ମସିହାରେ ଝୁଲଣ ଗୋସ୍ୱାମୀ କ୍ରିକେଟରୁ ଅବସର ନେଇଥିଲେ ।

ଫିଲ୍ମରେ ଅନୁଷ୍କା ମହିଳା କ୍ରିକେଟର ଝୁଲଣଙ୍କ ଭୂମିକାରେ ନଜର ଆସିବେ। ରିପୋର୍ଟ ଅନୁସାରେ ଏହି ଫିଲ୍ମର ନାଁ ‘ଚକଦେ ଏକ୍ସପ୍ରେସ’ ରଖାଯିବ । ଫିଲ୍ମର ପ୍ରଥମ ଭାଗର ସୁଟିଂ ପାଇଁ ଅନୁଷ୍କା କୋଲକାତା ସ୍ଥିତ ଇଡେନ ଗାର୍ଡେନକୁ ଯାଇଛନ୍ତି । ଇଡେନ ଗାର୍ଡେନର ଡ୍ରେସିଂ ରୁମ ଓ ପଡିଆରେ ଫିଲ୍ମର ପ୍ରଥମ ଭାଗର ସୁଟିଂ ଆରମ୍ଭ ହେବ । ସୂଚନାଯୋଗ୍ୟ ଯେ, ସୁଟିଂ ସମୟରେ ଝୁଲଣ ମଧ୍ୟ ସେଠାରେ ଉପସ୍ଥିତ ରହିବେ ।