ସୁନ୍ଦରୀ କଲାଣି ହଟହଟା, ବାବୁମାନେ କିନ୍ତୁ ବେଫିକର: କହୁଛନ୍ତି ସାବଧାନ ରୁହ

Published By : Prameya-News7 Bureau | September 17, 2018 IST

ଅନୁଗୁଳ୧୭|୯: ମଣିଷ ମାରି ଏବଂ ଗୋରୁଗାଈଙ୍କୁ ଆକ୍ରମଣ କରି ବାଘୁଣୀ ସୁନ୍ଦରୀ, ସାତକୋଶିଆ ଅଭୟାରଣ୍ୟବାସୀଙ୍କୁ ଭୟଭୀତ କରି ରଖିଥିବା ବେଳେ ବନ ବିଭାଗ କିନ୍ତୁ ବେଫିକର୍ । ଲୋକେ କହୁଛନ୍ତି ବିଲରେ କାମ କରୁଥିବା ବେଳେ ବାଘୁଣୀକୁ ଦେଖିଛନ୍ତି, ବନ ଅଧିକାରୀ କିନ୍ତୁ କହୁଛନ୍ତି ଘଞ୍ଚ ଜଙ୍ଗଲ ଭିତରେ ବାଘୁଣୀ । ଯାହାକୁ ନେଇ ସସପେନ୍ସ ଲାଗି ରହିଛି । ସେପଟେ ହାତୀବାରି ଗାଁର ମୃତ ମହିଳା କୈଳାସୀ ସଏଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ବନ୍ୟଜନ୍ତୁ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଲେଖାଥିଲେ ମଧ୍ୟ ସେ ବନ୍ୟଜନ୍ତୁ ସୁନ୍ଦରୀ ବାଘୁଣୀ କି ଆଉ କିଏ, ତାହା ସ୍ପଷ୍ଟ କରାଯାଇନି । ଲୋକେ କହୁଛନ୍ତି ବାଘକୁ ଦେଖିଛନ୍ତି । ଆଖପାଖରେ ବୁଲୁଛି । ହେଲେ ଅତିରିକ୍ତ ପିସିସିଏଫ୍ କହୁଛନ୍ତି ବାଘୁଣୀ ସୁନ୍ଦରୀ କାଳେ ଘଞ୍ଚ ଜଙ୍ଗଲ ଭିତରେ । ଜନବସତି ଠାରୁ ୫ କିଲୋମିଟର ଦୂରରେ । … ଏଠି କିଏ କହୁଛି ସତ ? ବାଘକୁ ନଦେଖି ଲୋକେ କଣ ମିଛ କହୁଛନ୍ତି ? ଅତିରିକ୍ତ ପିସିସିଏଫ୍ କେମିତି କହୁଛନ୍ତି ବାଘ ଘଞ୍ଚ ଜଙ୍ଗଲ ଭିତରେ ଅଛି ? ବାଘୁଣୀ ସୁନ୍ଦରୀକୁ ନେଇ ସାତକୋଶିଆ ଅଭୟାରଣ୍ୟ ବାସିନ୍ଦା ଭୟରେ ଥରୁ ଥିବା ବେଳେ ବନବିଭାଗ କିନ୍ତୁ ପୂରା ବେଫିକର୍ ଭଳି ଲାଗୁଛି । ବାଘୁଣୀ ଜଣଙ୍କୁ ମାରି ସାରିଲାଣି । ପୁଣି ଗୋରୁଗାଈଙ୍କୁ ଆକ୍ରମଣ କରୁଛି । ତଥାପି ବନ ବିଭାଗ ମାନିବାକୁ ନାରାଜ । ସ୍ଥାନୀୟ ବନ କର୍ମଚାରୀଙ୍କୁ ଧରି ବାହାରୁ ବାଘୁଣୀର ଗତିବିଧି ଏବଂ ଆଚରଣ ଅନୁଧ୍ୟାନ କରୁଛନ୍ତି ବାହାରୁ ଆସିଥିବା ଆସିଥିବା ଏକ୍ସପର୍ଟ ଟିମ୍ । ସେପଟେ ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ହାତୀବାରି ଗାଁର କୈଳାସୀ ସଏଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ବନ୍ୟଜନ୍ତୁ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ବାଘ ମାରିଛି କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ । ଏଭଳି ସ୍ଥିତିରେ ସରକାର ଓ ପ୍ରଶାସନ ଉପରୁ ସ୍ଥାନୀୟ ଲୋକଙ୍କ ଭରସା ତୁଟିଗଲାଣି । ଘରେ ତାଟି କବାଟ ପକାଇ ସେମାନେ ଭୟରେ ଦିନ କାଟୁଛନ୍ତି । ବିଲବାଡ଼ି କାମ କରିପାରିବେ କି ନାହିଁ, ସେନେଇ ଦ୍ବନ୍ଦ୍ବରେ । ବନ ବିଭାଗର ବଡ଼ ବାବୁମାନେ କହୁଛନ୍ତି, ବାଘୁଣୀ ମଣିଶ ଖିଆ କି ନୁହେଁ ତାହା ଏଯାଏଁ ଜଣାପଡ଼ିନି । ପୁଣି ଜନବସତି ଆଖପାଖରେ ବୁଲୁଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରୁନାହାନ୍ତି । କିନ୍ତୁ ଅଭୟାରଣ୍ୟ ଭିତରେ ରହୁଥିବା ଲୋକମାନେ ସତର୍କତାରେ ଚଳପ୍ରଚଳ କରିବାକୁ ନିଜେ ବନ ବିଭାଗ ପରାମର୍ଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.