କଟକ, ୦୬|୦୯: ବର୍ଷାଙ୍କ ମାମଲା ପରେ ଆସିଲା ଅଦାଲତରେ ଅନୁଭବଙ୍କ ପିଟିସନ ଦାୟର ସମ୍ପର୍କିତ ଖବର । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ନେଇ କଟକ ଏସଡିଜେଏମରେ ମାମଲା ଦାୟର କରିଛନ୍ତି । ତେବେ ଏହାର ଢେର୍ ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇ ସାରିଥିବା ଜଣାପଡିଛି । ଗତ ଜୁଲାଇ ମାସରେ କୋର୍ଟରେ ମାମଲା ଦାୟର କରି ଅଭିନେତାରୁ ରାଜନେତା ଅନୁଭବ ମହାନ୍ତି ପତ୍ନୀ ବର୍ଷାଙ୍କଠାରୁ ଅଲଗା ହେବାକୁ ଚାହୁଁଥିବା ଦର୍ଶାଇଛନ୍ତି । ସେ ବିବାହ କରି ମଧ୍ୟ ସାଧାରଣ ବୈବାହିକ ଜୀବନରୁ ବଞ୍ଚିତ ହେଉଥିବା ଦର୍ଶାଇ ସେଥିଲାଗି ପତ୍ନୀଙ୍କୁ ଆକ୍ଷେପ କରି ଛାଡପତ୍ର ଚାହୁଁଥିବା ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ପିଟିସନରୁ ଜଣାପଡିଛି ।
ସୂଚନା ମୁତାବକ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିବା ସହ ଭରଣ ପୋଷଣ ଦାବି କରିଥିଲେ । କିନ୍ତୁ ଏହି ମୋକଦ୍ଦମା ଦାୟର ହେବା ପୂର୍ବରୁ ଅନୁଭବ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ତ ହୋଇଥିଲେ ।
ଅନୁଭବ ଅଭିଯୋଗ କରିଥିଲେ ଯେ, ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାହ ପରେ ସୁସ୍ଥ ବୈବାହିକ ସମ୍ପର୍କ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଏପରିକି ତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି । ବର୍ଷା ଶାଶୂ-ଶ୍ୱଶୁରଙ୍କ ସହ ରହିବାକୁ ପସନ୍ଦ କରୁନଥିଲେ । ଅଧିକାଂଶ ସମୟ ନିଜ ବାପଘରେ ରହୁଥିଲେ । ଏପରିକି ବର୍ଷା ଅନେକ ଥର ତାଙ୍କୁ ପରିବାର ସାମ୍ନାରେ ନିନ୍ଦିତ କରିଛନ୍ତି ।
ବର୍ଷା ଗତ ଅଗଷ୍ଟ ୭ ତାରିଖରେ ଅନୁଭବଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଘରୋଇ ହିଂସାକୁ ନେଇ ସେକ୍ସନ ୧୨ରେ କେସ୍ ଫାଇଲ କରିଥିଲେ । ଯାହାର ଶୁଣାଣି ସେପ୍ଟେମ୍ବର ୭କୁ ଧାର୍ଯ୍ୟ କରିଚନ୍ତି କୋର୍ଟ । ତେବେ ବର୍ଷାଙ୍କ ଅଭିଯୋଗର ପ୍ରତିକ୍ରିୟା ରଖିଥିଲେ ସାଂସଦ ଅନୁଭବ । ସେ କହିଥିଲେ ଯେ, ଏବେସୁଦ୍ଧା ତାଙ୍କ ପାଖରେ କୌଣସି ଲିଗାଲ ନୋଟିସ୍ ପହଁଚି ନାହିଁ । ଲିଗାଲ୍ ନୋଟିସ୍ ପାଇବା ପରେ ହିଁ ସେ ପ୍ରତିକ୍ରିୟା ଦେବେ ବୋଲି କହିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ଘଟଣା ନେଇ ସାରା ରାଜ୍ୟରେ ଚର୍ଚ୍ଚା ବେଳେ ପ୍ରେସ ବାର୍ତ୍ତାରେ ନିଜ ପକ୍ଷ ରଖିଛନ୍ତି କେନ୍ଦ୍ରାପଡାର ଲୋକସଭା ସଦସ୍ୟ ଅନୁଭବ ମହାନ୍ତି । ପତ୍ନୀ ବର୍ଷାଙ୍କ ସହ ତାଙ୍କ ମାମଲା ଏବଂ ବିବାହ ବିଚ୍ଛେଦ ପିଟିସନ ସମ୍ପର୍କରେ ସେ କହିଛନ୍ତି, ‘ବ୍ୟକ୍ତିଗତ ଘଟଣାକୁ ସାର୍ବଜନୀନ କରିବାକୁ ଚାହୁଁନଥିଲି କିନ୍ତୁ ଘଟଣାର ଗୁରୁତ୍ନ ଦୃଷ୍ଟିରୁ ପ୍ରେସ ବିବୃତ୍ତିରେ ମତ ରଖୁଛି । ବ୍ୟକ୍ତିଗତ ଘଟଣା ଯୋଗୁଁ ଗତ କିଛି ମାସ ଚୁପ୍ ରହିଥିଲି । ମୁଁ ବର୍ଷାଙ୍କୁ ଭଲ ପାଏ ଏବଂ ସମ୍ମାନ କରେ । ମୁଁ ତାଙ୍କୁ କ୍ଷତି ପହଁଚାଇବାକୁ ଚାହୁଁନଥିଲି । ବିବାଦକୁ ଦୂର କରିବାକୁ ବହୁ ଚେଷ୍ଟା କରିଥିଲି । ଜୁଲାଇ ମାସରେ ଛାଡପତ୍ର ପାଇଁ ଆବେଦନ କରିଥିଲି । ମାମଲା ବିଚାରାଧିନ ଥିବାରୁ ଅଧିକ କିଛି କହିବାକୁ ଚାହୁଁନି । ଭଗବାନ ଓ ବିଚାର ବ୍ୟବସ୍ଥା ଉପରେ ମୋର ଭରସା ରହିଛି ।‘
ସୂଚନାଯୋଗ୍ୟ ଯେ, ଉଭୟ ଅନୁଭବ ଓ ବର୍ଷା ଓଡିଆ ସିନେମା ଜଗତର ନାମକରା ଅଭିନେତା ଓ ଅଭିନେତ୍ରୀ । ଏପରିକି ସେମାନଙ୍କୁ ଓଲିଉଡର ସୁପରଷ୍ଟାର ମାନ୍ୟତା ମଧ୍ୟ ଦିଆଯାଏ । ସେମାନେ ୨୦୧୪, ଫେବ୍ରୁଆରୀ ୮ ତାରିକରେ ଓଲିଉଡର ଦୁଇ ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ସେତେବେଳେ ଅନୁଭବଙ୍କୁ ୩୨ ଓ ବର୍ଷାଙ୍କୁ ୩୦ ବର୍ଷ ହୋଇଥିଲା । ଉଭୟ କଟକର ବାସିନ୍ତା ଥିବାବେଳେ ୨୦୧୪ ଜୁନରେ ରାଜ୍ୟସଭାକୁ ନିର୍ବାଚିତ ତଥା ରାଜ୍ୟସଭାର ସର୍ବକନିଷ୍ଠ ସାଂସଦ ଅନୁଭବ ପରବର୍ତ୍ତୀ ସମୟରେ କେନ୍ଦ୍ରାପଡା ଲୋଲସଭାରୁ ନିର୍ବାଚିତ ହୋଇଥିଲେ । ଏବେ ସେମାନେ ପରସ୍ପର ବିରୋଧରେ ଅଦାଲତକୁ ଯିବା ଘଟଣା କେବଳ ସିନେ ଇଣ୍ଡଷ୍ଟ୍ରି କିମ୍ବା ରାଜନୈତିକ ମହଲ ନୁହେଁ ସାଧାରଣରେ ବି ଚର୍ଚ୍ଚାର ବିଷୟ ହୋଇଛି ।