କଟକରେ ଚିନ୍ତା ବଢାଇଲାଣି କରୋନା, ମଙ୍ଗଳବାରଠୁ ହେବ ଆଣ୍ଟିଜେନ୍‌ ଟେଷ୍ଟ

Published By : Prameya-News7 Bureau | July 06, 2020 IST

କଟକ ୦୬।୦୭: ଆସନ୍ତାକାଲିଠୁ କଟକରେ ହେବ ଆଣ୍ଟିଜେନ ଟେଷ୍ଟ । କଟକ ସହରରେ ଥିବା ପ୍ରମୁଖ ହସ୍ପିଟାଲରେ ସଂକ୍ରମଣ ରୋକିବା ପାଇଁ ତଥା କରୋନା ମୁକାବିଲା ଲାଗି ଏସସିବି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ ପିଟାଲ, ଶିଶୁଭବନ ଓ ସିଟି ହସ୍ପିଟାଲରେ ଏହି ପରୀକ୍ଷା ହେବ । ଆଣ୍ଟିଜେନ୍ ଟେଷ୍ଟ ମାଧ୍ୟମରେ ଲୋକଙ୍କ ଠାରେ କୋଭିଡ ଷ୍ଟାଟସ ୨ରୁ ୩ ଘଣ୍ଟା ମଧ୍ୟରେ ଜାଣି ହେବ । ଏଥି ସହିତ ମେଡିକାଲକୁ ଆସୁଥିବା ଲୋକଙ୍କର କୋଭିଡ ସ୍ଥିତି ଜଣାପଡ଼ିବ ।  ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

କଟକ ସହରର ୪ ହସ୍ପିଟାଲ୍ ରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏସବୁ ହସ୍ପିଟାଲ୍ ର ସବୁ ରୋଗୀଙ୍କ କୋଭିଡ୍ ଟେଷ୍ଟ ପରେ ନୂଆ ରୋଗୀ ଆଡ୍‌ମିଶନ୍ କରାଯିବ ବୋଲି ସୂଚନା ଦିଆଯାଇଛି । କଟକ ସଟ୍ ଡାଉନ୍ ବେଳେ ଜରୁରୀ ନ ଥିଲେ ହସ୍ପିଟାଲ୍ ଓପିଡି ନ ଆସିବାକୁ ପରାମର୍ଶ ଦିଆଯାଇଛି । ତେବେ କଟକରେ ଥିବା ସମସ୍ତ ସରକାରୀ ମେଡିକାଲ ବିଶେଷ ଭାବେ ଏସ ସି ବି ମେଡିକାଲରେ ଅସ୍ତ୍ରୋପଚାର ବନ୍ଦ ହେବନାହିଁ । କିନ୍ତୁ ତା ପୂର୍ବରୁ ସମସ୍ତ ରୋଗୀଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.