ଶିଖଦଙ୍ଗା ଦୋଷୀ ପୂର୍ବତନ ବିଧାୟକଙ୍କ କରୋନାରେ ମୃତ୍ୟୁ, ଜୁଲାଇ ୧ରେ ଜାମିନ୍ ନିବେଦନ ଖାରଜ କରିଥିଲେ କୋର୍ଟ

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ ୫।୭:  ଦିଲ୍ଲୀ ଶିଖ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇ ସଜା ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ସିଂହ ଯାଦବଙ୍କର କରୋନାରେ ମୃତ୍ୟୁ ହୋଇଛି। ଯାଦବ ଦିଲ୍ଲୀ ମଣ୍ଡୋଲୀ ଜେଲରେ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। ଗତ ଜୁଲାଇ ୧ ତାରିଖ ଦିନ ସେ ସୁପ୍ରିମକୋର୍ଟଙ୍କୁ ଜାମିନ୍ ନିବେଦନ କରିଥିବା ବେଳେ ତାହା ଖାରଜ ହୋଇଯାଇଥିଲା।

ଦଙ୍ଗା ମାମଲାରେ ପୂର୍ବତନ ବିଧାୟକଙ୍କୁ କୋର୍ଟ ୧୦ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି। ସେ ଜେଲରେ  ସଜା କାଟୁଥିବା ବେଳେ କୋଭିଡ-୧୯ ସଂକ୍ରମିତ ହେବାରୁ ସୁପ୍ରିମକୋର୍ଟଙ୍କୁ ଜାମିନ୍ ଲାଗି ନିବେଦନ କରିଥିଲେ। ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କ ଇଜଲାସ୍‌ରେ ତାଙ୍କ ଜାମିନ ଶୁଣାଣି ହୋଇଥିଲା। ଦେଶରେ କୋଭିଡ-୧୯ ଚିକିତ୍ସାର ଯାହା ନିୟମ ରହିଛି ସେହି ଅନୁସାରେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିବା କୋର୍ଟ କହିଥିଲେ।

ଏହା ଛଡା ବନ୍ଦୀଙ୍କର କୌଣସି ଅଭିଯୋଗ ନଥିବା ବେଳେ ଚିକିତ୍ସା ଅଭିଯୋଗକୁ ଜାମିନର ଆଧାର ବୁଝା ଯାଇ ପାରିବନି ବୋଲି କୋର୍ଟ ସ୍ପଷ୍ଟ କରିଦେଇଥିଲେ। ଆବେଦନକାରୀଙ୍କ ଚିକିତ୍ସା ନିମନ୍ତେ ସବୁ ପ୍ରକାର ଉଦ୍ୟମ ଜାରି ରହିଛି। ଏହା ଛଡା ତାଙ୍କ ଚିକିତ୍ସା ନେଇ ପରିବାରର ମଧ୍ୟ କୌଣସି ଅଭିଯୋଗ ନାହିଁ କି ପରିବାର ଲୋକେ କୌଣସି ସ୍ଥାନକୁ ନେଇ ତାଙ୍କର ଚିକିତ୍ସା କରିପାରିବେନି। ଏଣୁ ଜାମିନର କୌଣସି ଆବଶ୍ୟକତା ନଥିବାର କୋର୍ଟ ସଫାସଫା କହିଦେଇଥିଲେ।

ସୂଚନା ଯୋଗ୍ୟଯେ ୧୯୮୪ ଦିଲ୍ଲୀ ଶିଖ ଦଙ୍ଗା ମାମଲାରେ ମଣ୍ଡୋଲୀ ଜେଲରେ ସଜା କାଟୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବ ପେଟରେ ଯନ୍ତ୍ରଣା ଅଭିଯୋଗ କରିଥିଲେ। ସେହି ଅନୁସାରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର କରୋନା ପରୀକ୍ଷଣ କରାଯିବା ବେଳେ ସେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ। ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଲୋକନାୟକ ହସ୍ପିଟାଲ ରେଫର କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.