ବିଜେଡିକୁ ଆଣ୍ଟି ଇନକମ୍ବେନ୍ସି ଡର : ପ୍ରତିକାର ପାଇଁ କଟିବ ୪୦ ବିଧାୟକଙ୍କ ଟିକଟ !
13/12/2018 at 1:44 PM

ଭୁବନେଶ୍ବର ୧୩|୧୨: କଣ ହେବ ୨୦୧୯ରେ ରାଜ୍ୟ ରାଜନୀତିର ଦୃଶ୍ୟପଟ । ନବୀନ ୫ମ ଥର କ୍ଷମତାକୁ ଫେରିବେ ନା ବିରୋଧି ବାଟ ଓଗାଳି ଦେବେ । ହିନ୍ଦି ହାର୍ଟଲ୍ୟାଣ୍ଡରେ ବିଜେପି ସରକାରୀ ବିରୋଧି ହାଓ୍ବାକୁ ଅଟକାଇବାରେ ବିଫଳ ହେବାପରେ ଏଠି ବିଜେଡି କଣ କରିବ ତାକୁ ନେଇ ଚର୍ଚ୍ଚା ଚାଲିଛି । ନବୀନ ରାଜ୍ୟ ରାଜନୀତିର ସବୁଠୁ ବଡ ନେତା ହୋଇଥିଲେ ବି ଦଳୀୟ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ ଥିବା ଜନମତ ସାଙ୍ଗକୁ କୃଷକଙ୍କ ସମସ୍ୟା ବିଜେଡି ରାସ୍ତାରେ କଣ୍ଟା ହେବକି ନାହିଁ ତାକୁ ନେଇ ଆରମ୍ଭ ହୋଇଛି ବିତର୍କ । କାରଣ କୃଷକ ମାନେ ହିଁ ବିଜେପି ହାତରୁ କ୍ଷମତା ଛଡାଇ ନେଲେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ । ଓଡିଶାରେ ସମାନ ସମସ୍ୟା ଥିବାରୁ ବିଜେଡି ସ୍ଥିତି କଣ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ସରକାର ବିରୋଧୀ ହାଓ୍ବା ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଜେପି ହାତରୁ କ୍ଷମତା ଛଡାଇ ନେଲା । ଏହି ଦୁଇ ରାଜ୍ୟର ପପୁଲାର ମୁଖ୍ୟମନ୍ତ୍ରୀ ୪ର୍ଥ ଥର ପାଇଁ କ୍ଷମତାସୀନ ହେବାକୁ ଆଶା କରି ଧୂଳି ଚାଟିଲେ । ସରକାର ବିରୋଧରେ ସୃଷ୍ଟି ହୋଇଥିବା ଜନମତ ଆଗରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଓ ରମଣ ସିଂଙ୍କ ସ୍ବଚ୍ଛ ଚେହେରା ମଳିନ ପଡିଗଲା । ହେଲେ ଓଡିଶାରେ ୨୦୧୯ରେ ରାଜନୈତିକ ଦୃଶ୍ୟପଟ ବଦଳିବ କି ନାହିଁ ତାକୁନେଇ ଏବେଠୁ ବିତର୍କ ଆରମ୍ଭ ହେଲାଣି । କାରଣ ବିଜେଡି ଏଠି ୫ମ ଥର ପାଇଁ କ୍ଷମତାକୁ ଆସିବ ବୋଲି ଓଭର କନଫିଡେଣ୍ଟ ଅଛି । ନବୀନ ବି ରାଜ୍ୟର ମୋଷ୍ଟ ପପୁଲାର ଲିଡର ଭାବେ ସବୁଠୁ ଆଗରେ ଅଛନ୍ତି । କିନ୍ତୁ ଚାଷୀ ଓ ଗରିବ ଲୋକଙ୍କ ମତ ସେଠି ସରକାରୀ ଦଳ ବିରୋଧରେ ଯାଇଥିବାବେଳେ ଓଡିଶାରେ ତାହା ପ୍ରତିଫଳିତ ହେବ କି ନାହିଁ ତାକୁନେଇ ବୟାନବାଜି ଆରମ୍ଭ ହୋଇଛି । କାରଣ ଚାଷୀ ଆତ୍ମହତ୍ୟାଠାରୁ ଆରମ୍ଭକରି ଧାନର ଅଭାବି ବିକ୍ରି ଯାଏଁ ବହୁ ସମସ୍ୟା ଓଡିଶାରେ ବି ଅଛି । ସେଥିପାଇଁ ବିରୋଧିଙ୍କ ବିଶ୍ବାସ ଏଥର ବିଜେଡି ହାତରୁ କ୍ଷମତା ଯିବ ।

ଓଡିଶାର ରାଜନୈତିକ ଚିତ୍ର ମଧ୍ୟପ୍ରଦେଶ ସହ ଏକପ୍ରକାର ସମାନ ବୋଲି ଜଣା ପଡୁଛି । ସେଠି ଯେଭଳି ଶିବରାଜ ସିଂ ଚୌହ୍ବାନଙ୍କ ବିରୋଧରେ ନୁହଁ ବରଂ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ ଲୋକଙ୍କ ମନରେ ଆକ୍ରୋଶ ଥିଲା ଓଡିଶାରେ ବି ବିଜେଡି ସମାନ ଆହ୍ବାନ ସାମ୍ନା କରୁଛି । ମଧ୍ୟପ୍ରଦେଶରେ ୫୩ ଜଣ ବିଧାୟକ ଓ ମନ୍ତ୍ରୀଙ୍କ ଟିକେଟ କାଟି ବି ଲୋକଙ୍କ ଅସନ୍ତୋଷକୁ ରୋକିବାରେ ସଫଳ ହୋଇପାରିଲେନି ଶିବରାଜ ସିଂ ଚୌହ୍ବାନ । ଏଠି ବି ଅନେକ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ ଥିବା ଆକ୍ରୋଶରୁ ବର୍ତ୍ତିବାକୁ ବିଜେଡି ୩୦ ରୁ ୪୦ ଜଣଙ୍କ ଟିକେଟ କାଟି ପାରେ ବୋଲି ଚର୍ଚ୍ଚା ଚାଲିଛି । ଏଭଳି କରି ସରକାର ବିରୋଧି ମତକୁ ବିଜେଡି ରୋକି ପାରିବ କି ନାହିଁ ତାକୁ ନେଇ ବି ଦ୍ବନ୍ଦ୍ବରେ ପଡିଛି ଦଳ । ଦଳର ନେତା କିନ୍ତୁ ନବୀନଙ୍କ ଉପରେ ପୁରା ଭରସା କରିଛନ୍ତି ନିର୍ବାଚନ ବୈତରଣୀ ପାର କରିବାକୁ । କୃଷକମାନଙ୍କ ପାଇଁ କିଛି ପ୍ୟାକେଜ୍ ଘୋଷଣା କରି ତଳସ୍ତରରେ ଥିବା ଅସନ୍ତୋଷ ଚପାଇବା ଯୋଜନାରେ ଅଛି ବିଜେଡି । ବିଜୟ ମହାପାତ୍ରଙ୍କ ଭଳି ନେତାଙ୍କ ମତ, ଆଗକୁ ଓଡିଶା ରାଜନୀତିରେ ବଡ ପରିବର୍ତ୍ତନ ହେବ ।
ସବୁ ନିର୍ବାଚନ ଗଣିତକୁ ଓଲଟ ପାଲଟ କରି ଲଗାତର ୪ ପାଳି ଜିତି ନିର୍ବାଚନ ରାଜନୀତିରେ ବାଦଶାହା ବନି ଯାଇଛନ୍ତି ନବୀନ । କିନ୍ତୁ ୨୦୧୯ ଚିତ୍ର ଭିନ୍ନ ରହିବ ନା ସବୁ ବର୍ଗଙ୍କ ପାଇଁ ପ୍ୟାକେଜ୍ ଦେଇ ନବୀନ ୫ମ ଥର ବିଜୟ ମୁକୁଟ ପିନ୍ଧିବେ ତାକୁ ଦେଖିବାକୁ ପଡିବ ।