କରୋନା ଚିକିତ୍ସାରେ ପ୍ରଭାବି ହେଉଛି ଆଣ୍ଟିଫାଇବ୍ରେଟିକ ଔଷଧ: ସେନା

Published By : Prameya-News7 Bureau | August 23, 2020 IST

ମୁମ୍ବାଇ : କୋଭିଡ-୧୯ ମହାମାରୀରେ ସବୁଠାରୁ ବଡ ସମସ୍ୟା ହେଉଛି ନୈଦାନିକ ଚିକିତ୍ସା। ତେବେ ସେନା ଡାକ୍ତରମାନେ ଉପାୟ ଖୋଜି କାଢିଥିବାର ଦାବି କରିଛନ୍ତି। ପୁଣେସ୍ଥିତ ଆର୍ମି ଇନଷ୍ଟିଚ୍ୟୁଟ୍ ଅଫ କାର୍ଡିୟୋ ଥୋରାସିସ୍ ସାଇନ୍ସେସ୍‌ (ଏଆଇସିଟିଏସ୍) କୋଭିଡ ଯୋଗୁ ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା ୪ଜଣ ସଂକ୍ରମିତଙ୍କ ଉପରେ ଔଷଧର ପରୀକ୍ଷା ମୂଳକ ଉପଚାର କରି ସଫଳ ହୋଇଛନ୍ତି। ଏଥିରେ ସମସ୍ତ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିଶ୍ଚାର୍ଜ ହୋଇଛନ୍ତି।

ଏଆଇସିଟିଏସ୍‌ର ଡାକ୍ତରମାନେ ସଂକ୍ରମିତଙ୍କ ଉପରେ ଆଣ୍ଟି ଫାଇବ୍ରେଟିକ ଔଷଧ ଉପଯୋଗ କରି ସେମାନଙ୍କୁ ସୁସ୍ଥ କରିପାରିଛନ୍ତି। ଫୁସଫୁସ୍‌ରେ ଫାଇବ୍ରେସିସ୍ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ହେଉଥିବା ସମସ୍ୟାର ଚିକିତ୍ସାରେ ସେମାନେ ଏହି ଔଷଧ ବ୍ୟବହାର କରିଥିବା ଦାବି କରିଛନ୍ତି। ଏଆଇସିଟିଏସ୍‌ର ଗବେଷକମାନେ ଚିକିତ୍ସାର ଏହି ପଦ୍ଧତୀ ରୋଗୀଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଉଥିବା ବେଳେ ଏହାକୁ ସେମାନେ ସହ୍ୟ କରିପାରୁଥିବା କହିଛନ୍ତି।

କୋଭିଡ ଯୋଗୁ ସଂକ୍ରମିତଙ୍କ ଫୁସଫୁସ୍‌ର ଟିସୁରେ ଅଧିକ ତନ୍ତୁ ସୃଷ୍ଟି ହେଉଛି। ଫଳରେ ଆକ୍ରାନ୍ତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଅଥବା କେତେକ କ୍ଷେତ୍ରରେ ନିଶ୍ୱାସ ପ୍ରଶ୍ୱାସ ନେଇ ନ ପାରିବା ଯୋଗୁ ପ୍ରାଣ ହରାଉଛନ୍ତି। ଏଣୁ କରୋନା ରୋଗୀଙ୍କ ଉପବର୍ଗ ଚିକିତ୍ସାରେ ‘ଲଙ୍ଗ ଫାଇବ୍ରୋରିସ୍’ ନୂଆ ଉପାୟ ବୋଲି ଗବେଷକମାନେ କହିଛନ୍ତି।

ତେବେ ରୋଗୀଙ୍କ ଠାରେ ଚିକିତ୍ସାର ଏହି ନୂଆ ପ୍ରୟୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଓ ଏ ନେଇ ଏବେବି ଆହୁରି ଗବେଷଣା ହେଉଥିବା କୁହାଯାଇଛି। ତେବେ ସେନା ସୂଚନା ଅନୁସାରେ ଏପରି ୪ ଜଣ ରୋଗୀଙ୍କ ଚିକିତ୍ସାରେ ଏହି ଔଷଧ ଉପଯୋଗ କରି ସଫଳତା ମିଳିଛି ଯେଉଁମାନେ କୋଭିଡ ଯୋଗୁ ଗୁରୁତର ଲଙ୍ଗ ଫାଇବ୍ରୋସିସ୍‌ରେ ଆକ୍ରାନ୍ତ ହୋଇଥିଲେ। ସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରୁ ମୁକ୍ତ କରିଦିଆଯାଇଛି।

ଏନେଇ ଏଆଇସିଟିଏସ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ କୋଭିଡ ଆକ୍ରାନ୍ତ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୁରୁତର ନିମୋନିଆର ଶିକାର ହୋଇଥିବା ବେଳେ ସେମାନଙ୍କୁ ଲଙ୍ଗ ଫାଇବ୍ରୋସିସ୍‌ ହୋଇଯାଇଛି। ଏହାର ଅର୍ଥ ହେଉଛି କୋଭିଡ ଭୂତାଣୁ ସେମାନଙ୍କ ଫୁସଫୁସ୍‌କୁ ଗୁରୁତର ପ୍ରଭାବିତ କରିଛି। ଏଣୁ ଏମାନଙ୍କର ଫୁସଫୁସ୍‌ର ଅକ୍ସିଜେନ ଧାରଣ କ୍ଷମତା ହ୍ରାସ ହୋଇଛି।ଏପରି ସ୍ଥଳେ ରୋଗୀ ସୁସ୍ଥ ହେଲେ ମଧ୍ୟ ଥକ୍କା ଅନୁଭବ କରିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି। ଏଣୁ ଏମାନେ କୋଭିଡ ମୁକ୍ତ ହୋଇଥିଲେ ବି ବାକି ଜୀବନ ସେମାନଙ୍କୁ  ଅକ୍ସିଜେନ ଭରସାରେ କଟାଇବାକୁ ପଡିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.