ଏଣିକି ମାତ୍‌ ଖାଇବ ଶତ୍ରୁ ପକ୍ଷର ଡ୍ରୋନ୍‌, ଜାମ୍ମୁ ଏୟାରବେସ୍‌ରେ ଲାଗିଲା ଆଣ୍ଟି-ଡ୍ରୋନ୍‌ ସିଷ୍ଟମ ଏବଂ ଜାମର

Published By : Prameya-News7 Bureau | June 30, 2021 IST

ଶ୍ରନଗର ୩୦/୬: ଜାମ୍ମୁ ଏୟାରପୋର୍ଟରେ ଡ୍ରୋନ୍‌ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହା ବ୍ୟତୀତ ଏମିତି କୌଣସି ଡ୍ରୋନ୍‌ ଆକ୍ରମଣରୁ ରକ୍ଷା ପାଇବାକୁ ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଏବଂ ଜାମର ଆଦି ଲଗାଇଦିଆଯାଇଛି । ଭାରତୀୟ ବାୟୁସେନାର ଟେକ୍ନିକାଲ୍‌ ଏରିଆରେ ରବିବାର ଡ୍ରୋନ୍‌ ମାଧ୍ୟମରେ ବିସ୍ଫୋଟକ ପଡ଼ିବା ପରେ ଏମିତି ନିଷ୍ପତ୍ତି ନିଆଯାଇଛି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ, ଏନଏସଜି ପକ୍ଷରୁ ଆଣ୍ଟି ଡ୍ରୋନ୍‌ ସିଷ୍ଟମ୍‌ ଖଞ୍ଜାଯାଇଛି। ଏହା ସହିତ ଆଣ୍ଟି ଡ୍ରୋନ୍‌ ଗନ୍‌ ମୁତୟନ ହୋଇଛି। ଏହା ସାହାଯ୍ୟ କୌଣସି ସନ୍ଦିଗ୍ଧ ଡ୍ରୋନ୍‌କୁ ମାରି ତଳେ ପକାଇହେବ।

ଡ୍ରୋନ୍‌ ଦ୍ବାରା ହେବାକୁ ଥିବା କୌଣସି ବିପଦରୁ ରକ୍ଷା କରିବାରେ ଏହି ସିଷ୍ଟମ ସକ୍ଷମ। ଏଥିପାଇଁ ରେଡିଓ ଫ୍ରିକ୍ବେନ୍ସି ଡିଟେକ୍ଟର ଏବଂ ସଫ୍ଟ ଜାମର ମଧ୍ୟ ଲଗାଯାଇଛି। ୨୭ ଜୁନ୍‌ରେ ଡ୍ରୋନ୍‌ ଆକ୍ରମଣ ଘଟଣା ପରେ ରାଜ୍ୟରେ ସୁରକ୍ଷାବଳ ଆଲର୍ଟ ହୋଇଛନ୍ତି। ଜାମ୍ମୁ ଏୟାରବେସ୍‌ରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ଆଟାକ୍‌ ହୋଇଛି। ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ଏପରି ଆକ୍ରମଣକୁ ନେଇ ସୁରକ୍ଷାବଳର ଚିନ୍ତା ବଢ଼ିଯାଇଛି । ଜାମ୍ମୁ ଏୟାରବେସ୍‌ ଆକ୍ରମଣ ପରେ ମଧ୍ୟ ଲଗାତାର ଦୁଇ ଦିନ ଅନ୍ୟ ଅଞ୍ଚଳରେ ଡ୍ରୋନ ଦେଖିବାକୁ ମିଳିଛି।

ଜାମ୍ମୁରେ ତବା ରତ୍ନୁଚକ-କାଳୁଚକ ମିଲିଟାରି ଷ୍ଟେସନ୍‌ରେ ଡ୍ରୋନ୍‌ ଦେଖିବାକୁ ମିଳିଥିଲା। ସୈନିକଙ୍କ ଗୁଳିମାଡ୍‌ ପରେ ଡ୍ରୋନ୍‌ଟି ଫେରିଯାଇଥିଲା। ତେବେ ଜାମ୍ମୁରେ ହୋଇଥିବା ଆକ୍ରମଣର ଯାଞ୍ଚ ଏନଆଇଏ କରୁଛି। ଏଥିରେ ଚୀନ ଡ୍ରୋନ୍‌ ବ୍ୟବହାର କରାଯାଇଥିବା ନେଇ ସୂଚନା ମିଳୁଛି। ସେପଟେ ଜାମ୍ମୁରେ ଆକ୍ରମଣ ହେବା ପରେ ରାଜୌରୀ ଜିଲ୍ଲା ପ୍ରଶାସନ ଡ୍ରୋନ୍‌ ଗଚ୍ଛିତ ରଖିବା, ବିକ୍ରି ଏବଂ ପରିବହନ ଉପରେ କଟକଣା ଲଗାଇଦେଇଛି । ଯେଉଁ ଲୋକ ପାଖରେ ଡ୍ରୋନ୍‌ କିମ୍ବା ସେମିତି କିଛି ମେସିନ ଥିବ ସେମାନେ ସ୍ଥାନୀୟ ଥାନାରେ ଜିମା ଦେବେ ବୋଲି ଜିଲ୍ଲାପାଳ ରାଜେଶ କୁମାର ଶବନ ନିର୍ଦେଶ ଦେଇଥିବା ଜଣପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.