ହଂକଂ କ୍ରିକେଟ ଦଳର ଅଧିନାୟକ ଅଂଶୁମାନଙ୍କ ମା ଓ ଜେଜେମା ଭୁବନେଶ୍ୱରରୁ ଆଜିର ମ୍ୟାଚ ପାଇଁ ଜଣାଇଲେ ଶୁଭେଚ୍ଛା

Published By : Prameya-News7 Bureau | September 18, 2018 IST

ଭୁବନେଶ୍ୱର ୧୮/୯ : ଆଜି ଏସିଆ କପରେ ହଂକଂକୁ ଭେଟିବ ଭାରତ | ହଂକଂ କ୍ରିକେଟ ଦଳର ଅଧିନାୟକ ଅଂଶୁମାନ ରଥଙ୍କ ମା ସୁଜାତା ରଥ ଏବେ ଭୁବନେଶ୍ୱରରେ ଅଛନ୍ତି | ପୁଅ ଭଲ ଖେଳୁ ବୋଲି ଶୁଭକାମନା ଜଣାଇଛନ୍ତି | ସେହିଭଳି ତାଙ୍କ ଜେଜେମା ସରଳା ରଥ ମଧ୍ୟ ନାତିକୁ ଆଶୀର୍ବାଦ କରିଛନ୍ତି | ତେବେ ତାଙ୍କ ନାତି ଅଂଶୁମାନ ଭାରତ ପାଇଁ ଖେଳିଥିଲେ ସେ ଅଧିକ ଖୁସି ହୋଇଥାନ୍ତେ ବୋଲି କହିଛନ୍ତି | ଅଂଶୁମାନଙ୍କ ପୈତୃକ ଘର ଭୁବନେଶ୍ୱର ସତ୍ୟ ନଗରରେ | ତାଙ୍କ ଜେଜେ ବିନାୟକ ରଥ ଜଣେ ସିଭିଲ ଇଂଜିନିୟର ଥିଲେ | ଅଂଶୁମାନଙ୍କ ବାପା ଭବାନୀ ରଥ ମଧ୍ୟ ଭଲ କ୍ରିକେଟ ଖେଳୁଥିଲେ | ୮୦ ଦଶକରେ ସେ ହଂକଂ ଯାଇ ସେଠି ସ୍ଥାୟୀ ଭାବେ ଯଦିଓ ରହିଯାଇଛନ୍ତି ତଥାପି ବରାବର ସେ ଭୁବନେଶ୍ୱର ଯିବା ଆସିବା କରନ୍ତି | ଅଂଶୁମାନ ମଧ୍ୟ ବହୁତ ଥର ଭୁବନେଶ୍ୱର ଆସିଛନ୍ତି | ଅଂଶୁମାନଙ୍କ ଅଜା ଘର ବ୍ରହ୍ମପୁର କମାପଲ୍ଲୀରେ | ଅଂଶୁମାନଙ୍କ ମା ସୁଜାତା ହେଉଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ନାତୁଣୀ | ଅଂଶୁମାନଙ୍କ ଅଜାଙ୍କ ନାଁ ଭିକାରି ଚରଣ ଦାସ | କଟକ ଓଡ଼ିଆ ବଜାରରେ ଭିକାରି ଚରଣ ଦାସଙ୍କ ଏକ ପ୍ରେସ ରହିଛି | ସେ କାଜି ବଜାରରେ ରହନ୍ତି |ଅଂଶୁମାନଙ୍କ ଭଉଣୀ ସ୍ଵାଗତିକା ରଥ(ମୋନା) ଏବେ ହଂକଂରେ ଚାକିରୀ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.