Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲି ଚୋରାଚାଲାଣର ପୁଣି ଏକ କାରସାଦି –ଖାଲି ଓ୍ୱାଇଫର୍ମରେ ବାଲି ଚାଲାଣ

2/12/2019 at 10:45 PM

ଭୁବନେଶ୍ୱର   ୦୨।୧୨ – ଗଞ୍ଜାମରେ ମ୍ୟାଜିକ ପେନରେ ବାଲି ଲୁଟ୍‌ର ପର୍ଦ୍ଦାଫାଶ କରିବା ପରେ କଥା ସେଇଠି କିନ୍ତୁ ସରିନି । ଏବେ ୱାଇ ଫର୍ମ୍‌ରେ ବି ଗଡବଡି ଚାଲିଥିବା ଏକ କାରସାଦି ଧରାପଡ଼ିଛି। ଏକ ଚୋରାଚାଲଣକାରୀ ବାଲି ଟ୍ରକ୍‌କୁ ଗଞ୍ଜାମ ପ୍ରଶାସନ ଧରିବା ପରେ ଜଣାପଡିଛି ଏହି ନୂଆ ଧରଣ  ବାଲି ଠକେଇ ସଂପର୍କରେ ଜଣା ପଡ଼ିଛି। ସେପଟେ ରାଜଧାନୀ କୁଆଖାଇ, ଭାର୍ଗବୀ ଏବଂ କୁଶଭଦ୍ରା ନଦୀରେ ବି ମାଫିଆ  ବେଆଇନ୍ ବାଲି ଚାଲଣ କରୁଥିବା ଦେଖିବାକୁ ମିଳିଛି ।

ବାଲି ଚୋରାଚାଲାଣର ପୁଣି ଏକ କାରସାଦି। ଏ କାରସାଦି ଏବେ ସିଧା ପ୍ରଶାସନ ହାତରେ ଧରାପଡ଼ିଛି।  ପୁରୁଷୋତ୍ତମପୁର କନକାରୁ ବାଲି ଚାଲାଣ ହୋଇ ବ୍ରହ୍ମପୁର ଆସୁଥିଲା । ହେଲେ କେଉଁ ସ୍ଥାନକୁ ବାଲି ଚାଲାଣ ହେଉଥିଲା ତାହା ୱାଇ ଫର୍ମରେ ଉଲ୍ଲେଖ ନଥିଲା।  କେବଳ ସେତିକି ନୁହେଁ ତାରିଖ ମଧ୍ୟ ଉଲ୍ଲେଖ ନଥିଲା। କେତେ ଓଜନ ବାଲି ଚାଲାଣ ହେଉଛି ତାହା ମଧ୍ୟ ଉଲ୍ଲେଖ ନଥିଲା । ଏ ହେଉଛି ସେହି ୱାଇ ଫର୍ମ ।

ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, କେମିତି ଚାଲିଛି ବାଲି ଚାଲାଣ ଆଉ କାରବାର! ପୂର୍ବରୁ ନ୍ୟୁଜ୍ ୭ର ଷ୍ଟିଙ୍ଗ୍ ଅପରେସନ୍ରେ ସାମ୍ନାକୁ ଆସିଥିଲା ମ୍ୟାଜିକ୍‌ ପେନ କାରସାଦି । ମ୍ୟାଜିକ ପେନରେ ଲେଖି ଲିଭେଇ କେମିତି କୋଟି କୋଟି ବାଲି ଚାଲାଣ ହେଉଥିଲା ତାହା ନ୍ୟୁଜ ସେଭେନ ଦେଖାଇବା ପରେ ପ୍ରଶାସନ ଆକ୍ସନ ମୋଡକୁ ଆସିଥିଲା। ଆଉ ପ୍ରଶାସନର ଚଢ଼ାଉରୁ ଜଣା ପଡ଼ିଛି ୱାଇ ଫର୍ମର ହେରାଫେରି। ସେପଟେ ଜିଲ୍ଲାପାଳ କହିଛନ୍ତି ବେନିୟମ ବାଲି ଚାଲାଣକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲ୍‌ଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜଧାନୀ ଉପକଣ୍ଠ କୁଆଖାଇ, ଭାର୍ଗବୀ ଏବଂ କୁଶଭଦ୍ରା ନଦୀରୁ ବି ବେଆଇନ୍‌ ଭାବେ ଶହ ଶହ ଟ୍ରକ୍‌ ବାଲି ଉଠାଯାଉଥିବା  ଜଣାପଡିଛି । ଡଙ୍ଗା-ମୋଟର ବ୍ୟବହାର କରାଯାଇ ବାଲିକୁ ପାଇପ୍ ସାହାଯ୍ୟରେ ଗଦା କରାଯାଉଛି । ପୁଣି ଲୋଡର ମେସିନ୍ ଦ୍ବାରା ହାଇୱା ଗାଡିରେ ଲୋଡ କରାଯାଉଛି ।ରାଜଧାନୀଠୁ ମାତ୍ର କେଇ କିଲୋମିଟର ଦୂରରେ ଏଭଳି ବାଲି ଲୁଟ୍ ହେଉଛି । ବାଲିଅନ୍ତା, ଟଙ୍କପାଣି, ଝିଂଟି,  ଭିଙ୍ଗାରପୁର, ପ୍ରତାପରୁଦ୍ରପୁର, ମହୁଖଣ୍ଡା ଏବଂ ଭୁବନେଶ୍ବରର କେଶୁରା ବାଲିଘାଟରୁ ବାଲି ବୁହା ଚାଲିଛି । ସବୁ ଜାଣି ପ୍ରଶାସନ କାହିଁକି ଚୁପ୍‌ ରହିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଲେଶ୍ବର ଜିଲ୍ଲାର ଜଳେଶ୍ବର , ନୀଳଗିରି, ରେମୁଣା, ବାଲିଆପାଳ ବ୍ଲକରେ ବେଧଡକ ଭାବେ ବାଲି ଲୁଟ୍ କୁନେଇ ଲୋକେ ତାତିଲେଣି।

ଚୋରା ବାଲି ଚାଲଣ ଉପରେ ନ୍ୟୁଜ୍‌ ସେଭେନ୍‌ ଖବର ପ୍ରସାରଣ କରିଆସୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଲି ବାଲି ଚାଲଣ ହେଉଛି । ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି ।

   Related Posts